ଗଜପତିରେ ବିଜେଡି ରଚିଲା ନୂତନ ଇତିହାସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ବିଜୁ ଜନତା ଦଳ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ରେ ରଚିଲା ନୂତନ ଇତିହାସ । ଗଜପତି ଜିଲ୍ଲାର ମୋଟ ୧୪ଗୋଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ୧୧ଗୋଟି ଆସନରେ ବିଜୟ ଲାଭ କରି ନୂତନ ଇତିହାସ ସୃଷ୍ଟି କରିବାରେ ସମର୍ଥ ହୋଇପାରିଛି । ଗତ ୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ବିଜୁ ଜନତା ଦଳ ୧୪ଗୋଟି ଆସନରୁ ମାତ୍ର ୫ଗୋଟି ଆସନରେ ବିଜୟ ହାସଲ କରିଥିବା ବେଳେ ବିଜେପି ୩ଗୋଟି ଏବଂ କଂଗ୍ରେସ ସର୍ବାଧିକ ୬ଗୋଟି ଆସନରେ ବିଜୟଲାଭ କରିଥିଲା । ଏଥିସହ ଗତ ବିଧାନ ସଭା ନିର୍ବାଚନରେ ଗଜପତି ଜିଲ୍ଲାରେ ରହିଥିବା ଦୁଇ ଗୋଟି ବିଧାନ ସଭା ଆସନ ଯଥା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟ ଲାଭ ହୋଇ ଥିବା ବେଳେ ମୋହନା ବିଧାନ ସଭା ଆସନଟି କଂଗ୍ରେସ ଅକ୍ତିଆର କରିଥିଲା । ଗତ ୨୦୧୭ ଜିଲ୍ଲାପରିଷଦ ନିର୍ବାଚନ ଏବଂ ଗତ ୨୦୧୯ ବିଧାନ ସଭା ନିର୍ବାଚନରେ ଗଜପତି ଜିଲ୍ଲାରେ ବିଜେଡିର ସ୍ଥିତି ଉଦ୍ବେଗ ଜନକ ଥିବା ସହ ଦୁଇ ଗୋଟି ବିଧାନ ସଭା ଆସନ ହରାଇବା ସହ ଜିଲ୍ଲା ପରିଷଦ ନିର୍ବାଚନରେ ସଠିକ୍ ଭାବେ ଆସନ ଦଖଲ କରିପାରିନଥିଲା । ହେଲେ ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜୁ ଜନତା ଦଳ ଗଜପତି ଜିଲ୍ଲାର ୧୪ଗୋଟି ଆସନରୁ ସର୍ବାଧିକ ୧୧ଗୋଟି ଆସନ ଦଖଲ କରି ନୂତନ ଇତିହାସ ସୃଷ୍ଟି କରିଲା । ଚଳିତ ପଞ୍ଚାୟତ ନିର୍ବାଚନକୁ ଗଜପତି ଜିଲ୍ଲାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଜପତି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ଡ.ତିରୁପତି ପାଣିଗ୍ରାହୀ ପ୍ରମୁଖଙ୍କ ନେତୃତ୍ୱରେ ପରିଚାଳନା ହୋଇଥିଲା । ଚଳିତ ନିର୍ବାଚନର ଏହି ସଫଳତା ନେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଡ.ତିରୁପତି ପାଣିଗ୍ରାହୀ କହିଛନ୍ତି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉନ୍ନୟନ ମୂଳକ ଯୋଜନାର ବିଭିନ୍ନ ଲୋକହିତକର କାର୍ଯ୍ୟପ୍ରତି ଗଜପତି ଜିଲ୍ଲାର ପଞ୍ଚାୟତ ବାସୀ ସଚେତନ ହୋଇ ସେମାନଙ୍କର ସଠିକ ରାୟ ପ୍ରଦାନ କରିଛନ୍ତି । ଗ୍ରାମପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକସ୍ତର, ତହସିଲସ୍ତର ସର୍ବପରି ଜିଲ୍ଲାସ୍ତରରର ସମସ୍ତ ବିଜୁ ଜନତା ଦଳ ପରିବାରର କର୍ମୀନେତା ଓ ଭାଇଭଉଣୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ସମର୍ଥନରେ ବିଜୁ ଜନତା ଦଳକୁ ଗଜପତି ଜିଲ୍ଲାରେ ଏଭଳି ନୂତନ ଇତିହାସ ସୃଷ୍ଟି ପାଇଁ ସଫଳତା ମିଳିପାରିଛି । ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଏଭଳି ସଫଳତା କାମନାକରି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଜିଲ୍ଲାର ୧୪ଗୋଟି ଜିଲ୍ଲାପରିଷଦ ଆସନରେ ବିଜୟୀ ଓ ଦ୍ୱିତୀୟରେ ରହିଥିବା ପ୍ରାର୍ଥୀ/ପ୍ରାର୍ଥିନୀମାନେ ହେଲେ ଯଥା କାଶୀନଗର ବ୍ଲକର ଜୋନ୍ ୧ର ବିଜେଡି ପ୍ରାର୍ଥିନୀ ଆର୍.ରାଜଲକ୍ଷ୍ମୀ ନିକଟତମ ପ୍ରତିଦ୍ୱନ୍ଦି ଭାଜପାର ଏ.ଶୈଳଜାଙ୍କୁ ୩୨୭୬ଭୋଟରେ ପରାସ୍ତ କରିଥିବା ବେଳେ ଜୋନ୍ ୨ରୋ ବିଜେଡି ପ୍ରାର୍ଥୀ ଜି.ତିରୁପତି ରାଓ ଭାଜପାର ନେଟିମ୍ମି କୋଟେଶ୍ୱର ରାଓଙ୍କୁ ୧୮୫୬ଭେଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସେହିପରି ଗୁମ୍ମା ବ୍ଲକର ଜୋନ୍ ୩ରେ କଂଗ୍ରେସ ପ୍ରାର୍ଥିନୀ ବିଜେଡିର ଗ୍ଲାଡି ଗମାଙ୍ଗଙ୍କୁ ୩୬୩୫, ଗୁମ୍ମା ବ୍ଲକର ଜୋନ୍ ୪ରେ ବିଜେଡିର ସନ୍ଧ୍ୟା ଶବର କଂଗ୍ରେସର ଗୀତାଞ୍ଜଳୀ ଭୂୟାଁଙ୍କୁ ୨୮୧୦, ନୂଆଗଡ ବ୍ଲକ ଜୋନ୍ ନଂ.୫ରେ କଂଗ୍ରେସର ରାଜୀବ ଦୋରା ବିଜେଡିର ଜେମ୍ସ ରାଇକାଙ୍କୁ ୩୫୭୯, ଗୋଷାଣୀ ବ୍ଲକର ଜୋନ୍ ୬ରେ ବିଜେଡିର ଏସ୍. ବାଲାରାଜୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଭାଜପାର ଜଗନ୍ନାଥ ପରିଡାଙ୍କୁ ୨୧୦୭, ଗୋଷାଣୀ ବ୍ଲକ ଜୋନ୍ ୭ରେ ବିଜେଡିର ନୀଳାବତୀ ପାରିଗା ଭାଜପା ପ୍ରାର୍ଥିନୀ ଜେ.ଭାରତୀ ଆମ୍ମାଙ୍କୁ ୩୧୩୨, ମୋହନା ବ୍ଲକର ଜୋନ୍ ନଂ ୮ରେ ବିଜେଡିର କୁନ୍ତଳା ମଲ୍ଲିକ କଂଗ୍ରେସ ପ୍ରାର୍ଥିନୀ ରୀନା ପ୍ରଧାନଙ୍କୁ ୫୬୨୦, ମୋହନା ବ୍ଲକ ଜୋନ୍ ନଂଦ ୯ରେ ବିଜେଡିର ଚନ୍ଦ୍ର କୁମାର ମଳିକ କଂଗ୍ରେସର ରାଜୀବ ମଳିକଙ୍କୁ ୪୪୦୨, ମୋହନା ବ୍ଲକ ଜୋନ୍ ୧୦ରେ ବିଜେଡିର ସୁନୀଲ ବିଶୋୟୀ କଂଗ୍ରେସର ୪୮୮୬, ଆର୍.ଉଦୟଗିରି ବ୍ଲକର ଜୋନ୍ ନଂ ୧୧ରେ ବିଜେଡିର ଯମୁନା ଦଳବେହେରା କଂଗ୍ରେସର ରୀତୁପୂର୍ଣ୍ଣ ମିଶ୍ରଙ୍କୁ ୧୬୦୬, ଆର୍.ଉଦୟଗିରି ବ୍ଲକର ଜୋନ୍ ୧୨ରେ ବିଜେପି ପ୍ରାର୍ଥୀ ଦଣ୍ଡପାଣି ବଡମୁଣ୍ଡି ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ଯୁଦ୍ଧିଷ୍ଠିର ବଡମୁଣ୍ଡିଙ୍କୁ ୧୩୯, ରାୟଗଡ ବ୍ଲକର ଜୋନ୍ ନଂ. ୧୩ରେ ବିଜେଡି ପ୍ରାର୍ଥୀ ଗୌତମୀ ଜାନୀ ବିଜେପିର ରେଣୁ ଭୂୟାଁଙ୍କୁ ୯୨୬ ଏବଂ ରାୟଗଡ ବ୍ଲକ ଜୋନ୍ ନଂ ୧୪ରେ ବିଜେଡିର ପିତାମ୍ବର ନାୟକ ବିଜେପି ପ୍ରାର୍ଥିନୀ ସୁକାନ୍ତି ଦଳେଙ୍କୁ ୬୭୬ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଜିଲ୍ଲାର ଏହି ୧୪ଗୋଟି ଜୋନ୍ ମଧ୍ୟରୁ ୧୧ଗୋଟିରେ ବିଜେଡି ବାଜିମାରି ନେଇଥିବା ବେଳେ ୨ଟିରେ କଂଗ୍ରେସ ଓ କେବଳ ଗୋଟିଏ ଆସନରେ ଭାଜପା ହାତଗଣତି ଭୋଟ ବ୍ୟବଧାନରେ ଜିତିବାରେ ସକ୍ଷମ ହୋଇଛି । ଜିଲ୍ଲାରେ କଂଗ୍ରେସ ନେତୃତ୍ୱ ଦୁରର୍ୱର୍ଳ ସତ୍ୱେ ଭୋଟ ହାରରେ ବିଜେଡି ତଳକୁ ଦ୍ୱିତୀୟରେ ରହିଥିବା ବେଳେ ଭାଜପା କେବଳ ଗୋଟିଏ ଜିଲ୍ଲାପରିଷଦ ବହୁ କଷ୍ଟରେ ହାତୋଇବାର ସକ୍ଷମ ହୋଇପାରିଛି ।


