ପୌରପାଳିକା ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲର ଅନ୍ତିମ ଦିନରେ…

ଯୋଡ଼ା, (ସମୀର କୁମାର ଦାସ) :ପୌରପାଳିକା ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲର ଅନ୍ତିମ ଦିନରେ ଅଧ୍ୟକ୍ଷ ପଦବୀ ପାଇଁ ଜାତୀୟ ଦଳ କଂଗ୍ରେସ ପକ୍ଷରୁ କରୁଣାକର ପାତ୍ର, ବିଜେପିରୁ ସୁଶାନ୍ତ କୁମାର ବେବର୍ତ୍ତା, ଶାସକ ବିଜେଡି ଦଳ ପକ୍ଷରୁ ଡ. ଜଗଦୀଶ ପ୍ରସାଦ ସାହୁ, ବହୁଜନ ମୁକ୍ତି ପାର୍ଟି ପକ୍ଷରୁ ସଚିଦାନନ୍ଦ ମଣ୍ଡଳ, ସ୍ୱାଧିନ ପ୍ରାର୍ଥୀ ଭାବେ ରବିନ୍ଦ୍ର କୁମାର ଦାସ, ସୁରେନ୍ଦ୍ରନାଥ ଜେନା, ବିଦ୍ୟାଭାରତୀ ଘଣା, ରଣଜିତ୍ କୁମାର ଦାସ, ସନ୍ତୋଷ କୁମାର ବଳ, ସଞ୍ଜୟ କୁମାର ସାହା ପ୍ରମୁଖ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି।ମୋଟ ୧୩ ଜଣ ନାମାଙ୍କନ ଫର୍ମ କ୍ରୟ କରିଥିବା ବେଳେ ସେ ମଧ୍ୟରୁ ୧୦ ଜଣ ଅନ୍ତିମ ଦିବସ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ନିର୍ବାଚନକୁ ନେଇ ଯୋଡା ପୌରାଞ୍ଚଳରେ ପ୍ରବଳ ରାଜନୈତିକ ଉଷ୍ମତା ଦେଖାଦେଇଥିବା ବେଳେ ଦଳିୟ ଟିକେଟ ହାସଲ କରିବା ପାଇଁ ପ୍ରବଳ ପ୍ରତିଯୋଗୀତା ଦେଖିବାକୁ ମିଳିଥିଲା। ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିଜ ନିଜର ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ନେଇ ଶୋଭାଯାତ୍ରାରେ ବାହାରି ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି। ସେହିପରି ସ୍ୱାଧିନ ପ୍ରାର୍ଥୀ ଭାବେ ରବିନ୍ଦ୍ର କୁମାର ଦାସ ଏକ ବିରାଟ ପଟୁଆର ମଧ୍ୟରେ ଆସି ତାଙ୍କର ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଂଗ୍ରେସ ଦଳ ପକ୍ଷରୁ କରୁଣାକର ପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ସେ ଦୀର୍ଘ ଦିନ ଧରି କଂଗ୍ରେସର ଦୁର୍ଦ୍ଦିନରେ ମଧ୍ୟ ଦଳ ସହିତ ରହିଆସିଛନ୍ତି। ସେ ପୂର୍ବରୁ ଯୋଡା ପୌରପାଳିକାରେ ପାରିଷଦ ଏବଂ ୨ ବର୍ଷ ପାଇଁ ଅଧ୍ୟକ୍ଷ ଭାର ମଧ୍ୟ ତୁଲାଇଆସିଥିଲେ। କଂଗ୍ରେସ ଦଳ ପକ୍ଷରୁ ପ୍ରତ୍ୟେକ ୱାର୍ଡରେ ପାରିଷଦ ପଦବୀ ନିମନ୍ତେ ପ୍ରାର୍ଥୀ ଦିଆଯାଇପାରିନଥିବା ବେଳେ କେବଳ ଅଧ୍ୟକ୍ଷ ପଦବୀ ପାଇଁ କରୁଣାକର କଂଗ୍ରେସର ଭାର ବହନ କରିଛନ୍ତି। ବିଜେପି ପକ୍ଷରୁ ମନୋନୀତ ସୁଶାନ୍ତ କୁମାର ବେବର୍ତ୍ତା ଯୋଡା ପୌରପାଳିକାରେ ପୂର୍ବରୁ ପାରିଷଦ ଭାବେ କାର୍ଯ୍ୟ କରିଆସିଛନ୍ତି। ସେ ବିଜେପି ଦଳର ଜଣେ ଉତ୍ତମ ସଂଗଠକ ଭାବେ ଦୀର୍ଘ ଦଶନ୍ଧି ଧରି କାର୍ଯ୍ୟ କରିଆସିଛନ୍ତି। ତାଙ୍କ ନେତୃତ୍ୱରେ ଗତ ସାଧାରଣ ନିର୍ବାଚନରେ ବିଜେପି ଯୋଡା ପୌରପାଳିକାରେ ସର୍ବାଧିକ ଭୋଟ ପାଇଥିବା ଯୋଗୁଁ ଦଳରେ ତାଙ୍କର ପତିଆରା ବୃଦ୍ଧି ପାଇଛି। ଶାସକ ବିଜେଡି ଦଳ ପକ୍ଷରୁ ଡାକ୍ତର ଜଗଦୀଶ ପ୍ରସାଦ ସାହୁଙ୍କୁ ଶେଷ ମୁହୁର୍ତ୍ତରେ ମନୋନୀତ କରାଯାଇଥିବା ବେଳେ ଦୀର୍ଘ ୩୦ ବର୍ଷ ଧରି ଯୋଡା ଅଞ୍ଚଳରେ ରହି ସେ ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେଇଆସିଛନ୍ତି। ଫଳରେ ଯୋଡା ଜନସାଧାରଣଙ୍କ ସହିତ ସେ ବେସ ପରିଚିତ। ଯୋଡା ସହରର ପ୍ରସିଦ୍ଧ ଲକ୍ଷ୍ମୀ ମନ୍ଦିର ସହିତ ତାଙ୍କ ପରିବାର ଯୋଡି ହୋଇଥିବାରୁ ତାଙ୍କର ଅନ୍ୟ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସେହିପରି ସ୍ୱାଧିନ ପ୍ରାର୍ଥୀ ରବିନ୍ଦ୍ର କୁମାର ଦାସ ଯୋଡା ପୌରପାଳିକାରେ ଦୀର୍ଘ ଅଢେଇ ବର୍ଷ ଧରି ଅଧ୍ୟକ୍ଷ ପଦବୀ ସୁଚାରୁ ରୂପେ ତୁଲାଇଆସିଛନ୍ତି। ବିଜେପି ଓ ବିଜେଡି ଦଳ ସହଯୋଗରେ ୨୦୧୩ରେ ସେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ଅନାସ୍ଥା ଭୋଟରେ ତାଙ୍କୁ ଗାଦିଚ୍ୟୁତ ହେବାକୁ ପଡିଥିଲା। ସେବେଠାରୁ ସେ ବିଜେଡି ଦଳ ମଧ୍ୟରେ ରହି ଦଳୀୟ ସଂଗଠନକୁ ମଜବୁତ କରିଆସିଥିବା ବେଳେ ବିଜେଡି ତାଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ କରିବ ବୋଲି ସମସ୍ତଙ୍କ ଧାରଣା ଥିଲା। ତେବେ ଦଳ ତାଙ୍କୁ ଅଣଦେଖା କରି ଟିକେଟ ନଦେବାରୁ ସେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଜଣାପଡିଛି। ସୁରେନ୍ଦ୍ରନାଥ ଜେନା କଂଗ୍ରେସ ଦଳ ପକ୍ଷରୁ ନିର୍ବାଚିତ ହୋଇ ଉପନଗରପାଳ ଭାବେ ଦାୟିତ୍ୱ ତୁଲାଇଆସିଥିଲେ। ବିଦ୍ୟାଭାରତୀ ଘଣା ଜଣେ ଉଚ୍ଚ ଶିକ୍ଷିତା ଯୁବତୀ ଭାବେ ନୂଆକରି ରାଜନୀତିରେ ପାଦ ଦେଇଥିବା ବେଳେ ସେ ମଧ୍ୟ ଲୋକଙ୍କର ଆସ୍ଥା ଭାଜନ ହୋଇପାରିବେ ବୋଲି ଆଶା ପ୍ରକଟ କରନ୍ତି। ରଣଜିତ୍ କୁମାର ଦାସ ଜଣେ ଶ୍ରମିକ ନେତା ଭାବେ ଟାଟା କମ୍ପାନୀଙ୍କ ଶ୍ରମିକ ସଂଘରେ ସମ୍ପାଦକ ରହି ବହୁବାର ଦାୟିତ୍ୱ ତୁଲାଇଆସିଛନ୍ତି। ସନ୍ତୋଷ କୁମାର ବଳ ମଧ୍ୟ ବିଜେଡି ଦଳରେ ରହି ବହୁଦିନ ଧରି ସାଂଗଠନିକ ଦାୟିତ୍ୱ ତୁଲାଇଆସୁଥିବା ବେଳେ ସେ ପୂର୍ବରୁ ଯୋଡା ପୌରପରିଷଦର ୧୪ନଂ ୱାର୍ଡରୁ ପାରିଷଦ ଭାବେ ନିର୍ବାଚିତ ହୋଇ ଦାୟିତ୍ୱ ତୁଲାଆଛନ୍ତି। ସେ ମଧ୍ୟ ବିଜେଡି ଦଳ ଠାରୁ ଟିକେଟ ଆଶା କରିଥିବା ବେଳେ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଯୋଡା ପୌରପାଳିକାର ୧୪ଟି ୱାର୍ଡ ମଧ୍ୟରୁ ୧ନଂ ୱାର୍ଡରେ ୬ଜଣ, ୨ନଂ ୱାର୍ଡରେ ୬ଜଣ, ୩ନଂ ୱାର୍ଡରେ ୪ଜଣ, ୪ନଂ ୱାର୍ଡରେ ୫ଜଣ, ୫ନଂ ୱାର୍ଡରେ ୩ଜଣ, ୬ନଂ ୱାର୍ଡରେ ୪ଜଣ, ୭ନଂ ୱାର୍ଡରେ ୫ଜଣ, ୮ନଂ ୱାର୍ଡରେ ୫ଜଣ, ୯ନଂ ୱାର୍ଡରେ ୩ଜଣ, ୧୦ନଂ ୱାର୍ଡରେ ୩ଜଣ, ୧୧ନଂ ୱାର୍ଡରେ ୫ଜଣ, ୧୨ନଂ ୱାର୍ଡରେ ୩ଜଣ, ୧୩ନଂ ୱାର୍ଡରେ ୭ଜଣ ଓ ୧୪ନଂ ୱାର୍ଡରେ ୭ଜଣ ପାରିଷଦ ପଦବୀ ନିମନ୍ତେ ଦଳିତ ପ୍ରାର୍ଥୀ ସହିତ ସ୍ୱାଧିନ ପ୍ରାର୍ଥୀ ପତ୍ର ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ