ଫର୍ଜାନା ଖାତୁନ୍ଙ୍କ ପାଇଁ ଭୋଟଭିକ୍ଷା କଲେ ପୂର୍ବତନ ମନ୍ତ୍ରୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ପୌରାଞ୍ଚଳର ୧୬ ନମ୍ବର ୱାର୍ଡର କଂଗ୍ରେସ ପ୍ରାର୍ଥୀନୀ ଫର୍ଜାନା ଖାତୁନ୍ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା । ଶ୍ରୀ ବେହେରା କହିଥିଲେ ଯେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ସବୁବେଳେ କଂଗ୍ରେସର ଭୋଟହାର ବିଜେଡି ଅପେକ୍ଷା ଅଧିକ ରହିଛି । ଯାହା ୨୦୧୯ ଓ ୨୦୧୪ ସାଧାରଣ ନିର୍ବାଚନରେ ପ୍ରମାଣିତ ହୋଇଥିଲା । କଂଗ୍ରେସ ପୌରାଞ୍ଚଳରୁ ଅଧିକ ଭୋଟ ପାଇ ବିଜେଡି ପ୍ରାର୍ଥୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥିଲା । ତେଣୁ ସେହି ଅବସ୍ଥାର ପୂନରାବୃତ୍ତି ଏହି ପୌର ନିର୍ବାଚନରେ ହେବ । ସେହିପରି ବିଜେଡି ଶାସନ କାଳରେ ଲୋକେ ଅତିଷ୍ଟ ହୋଇଗଲେଣି । ତେଣୁ ଲୋକେ ନିଶ୍ଚିତ ଭାବେ କଂଗ୍ରେସକୁ ଜିତାଇବେ ବୋଲି କହିଥିଲେ । ଏହି ଅବସରରେ ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ଯୋଗଦେଇ କହିଲେ ପୌରାଞ୍ଚଳରେ ଡ୍ରେନ ସୁବିଧା ନାହିଁ । ତେଣୁ ବର୍ଷାଦିନେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଲୋକଙ୍କ ଘରେ ବର୍ଷାପାଣି ପଶେ । ଏହି ସବୁ ସମସ୍ୟାରେ ପୌରବାସୀ ଜର୍ଜରିତ ହୋଇ ସରକାରୀ ଦଳ ବିରୋଧରେ ନିଶ୍ଚିତ ଭାବେ ଭୋଟ ଦେବେ ବୋଲି ସେ କହିଥିଲେ । ସେହିପରି ଫରଜାନଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା ଓ ନଗର ସଭାପତି ଶ୍ରୀ ମହାନ୍ତି ଭୋଟରଙ୍କୁ ନିବେଦନ କରିଥିଲେ ।