ଜିଲ୍ଲାପାଳଙ୍କ ଗୁମ୍ମା ବ୍ଲକ ଗସ୍ତ : ଉଦ୍‌ଘାଟନ କଲେ ଲାଇବ୍ରେରୀ ଗୃହ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଗୁମ୍ମା ବ୍ଲକ ଗସ୍ତ କରିଥିବାର ଜଣାପଡିଛି । ଏହି ଗସ୍ତ ସମୟରେ ସେ ବ୍ଲକର ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଆଦର୍ଶ ଗାଇ ଗୁହାଳ ଆଦି ପରିଦର୍ଶନ ଓ ନିରୀକ୍ଷଣ କରି ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିବାର ମଧ୍ୟ ଜଣାପଡିଛି । ଜିଲ୍ଲାପାଳ ଶ୍ରୀ ପଣ୍ଡା ପ୍ରଥମେ ଗୁମ୍ମା ବ୍ଲକ ଅନୁକୁଣ୍ଡାଗୁଡା ଆଶ୍ରମ ବିଦ୍ୟାଳୟ ଠାରେ ପହଞ୍ଚି ଅତ୍ୟାଧୁନିକ ଲାଇବ୍ରେରୀ ଗୃହ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସେ ପିଲାଙ୍କ ସହ ବସି ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ପାଠ୍ୟ ସମ୍ବନ୍ଧୀୟ ବିଭିନ ବିଷୟବସ୍ତୁ ସମ୍ପର୍କରେ ବୁଝାଇଥିଲେ । ଜିଲ୍ଲାପାଳଙ୍କ ଏପରି ପ୍ରେରଣା ଦାୟକ ଶିକ୍ଷା ପାଇ ପିଲାମାନଙ୍କ ମଧ୍ୟରେ ବେଶ ଆନନ୍ଦ ଖେଳିଯାଇଥିବାବେଳେ ଉତ୍ସାହ ବଢିଥିବାର ଦେଖିବାକୁ ମିଳିଥିଲା । ଉକ୍ତ ଲାଇବ୍ରେରୀ ଗୃହ ଜିଲ୍ଲାର ପ୍ରଥମ କରି ଉଦ୍‌ଘାଟିତ ହୋଇଥିବା ବେଳେ ଏପରି ୫୦ଗୋଟି ଲାଇବ୍ରେରୀ ବିକଶିତ କରାଯିବାର ରହିଛି ବୋଲି ସୂଚନା ପ୍ରଦାନ କରାଯାଇଛି । ଏଥିରେ ଆଦିବାସୀ ଛାତ୍ରମାନଙ୍କ ଜୀବନ, ଦକ୍ଷତା, ଶୈଳୀ, ବ୍ୟକ୍ତିତ୍ୱର ବିକାଶ, କାହାଣୀ କହିବା, ଉଚ୍ଚସ୍ୱରରେ ପଢିବା ଆଦି ବର୍ଷ ତମାମ ପ୍ରୋତ୍ସାହନ କାର୍ଯ୍ୟକଳାପ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହାପରେ ଜିଲ୍ଲାପାଳ ଶ୍ରୀପଣ୍ଡା କୁର୍ଲଣ୍ଡା ଗ୍ରାମକୁ ଯାଇ ଆଦର୍ଶ ଗାଇ ଗୁହାଳ ପରିଦର୍ଶନ କରିଥିଲେ । ସେହିପରି ସେରଙ୍ଗ ଗ୍ରାମ ଗସ୍ତ କରି ସେଠାକାର ୫ଟି ଅନ୍ତର୍ଭୁକ୍ତ ସେରଙ୍ଗ ହାଇସ୍କୁଲ ପରିଦର୍ଶନ କରିଥିଲେ । ଏଠାରେ ଚାଲିଥିବା ବିକାଶ ମୂଳକ କାର୍ଯ୍ୟ ତଥା ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ୍‌, ୱାଲ୍ ପେଇଣ୍ଟିଙ୍ଗ କାର୍ଯ୍ୟ ବୁଲି ଦେଖିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଗୁମ୍ମା ବିଡିଓ ଅନୁପ ଅଭିଷେକ ବେହେରା, ଗୁମ୍ମା ତହସିଲଦାର ଭାସ୍କରଚନ୍ଦ୍ର ସାହୁ, ବ୍ଲକ ସଂପ୍ରସାରଣ ଅଧିକାରୀ ମନୋଜ କୁମାର ସାହୁ, ପ୍ରଧାନଶିକ୍ଷକ ସୁନି ବଡମୁଣ୍ଡି ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ