‘କଳାକାର’ପକ୍ଷରୁ ମଞ୍ଚସ୍ଥ ‘ଅନ୍ତିମ ଇଚ୍ଛା’
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ଅନ୍ୟତମ ନାଟ୍ୟାନୁଷ୍ଠାନ ‘କଳାକାର’ ପକ୍ଷରୁ ଉତ୍କଳ ଦିବସ ଅବସରରେ ନାଟକ ‘ଅନ୍ତିମ ଇଚ୍ଛା’ ସଂସ୍କୃତି ଭବନ ମୁକ୍ତ ରଙ୍ଗମଞ୍ଚରେ ମଞ୍ଚସ୍ଥ ହୋଇଯାଇଛ । ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟକକୁ ଉଦଘାଟନ କରିବା ସହ ସମାଜ ସଂସ୍କାର ସାଙ୍ଗକୁ ମଞ୍ଚ ନାଟ୍ୟକଳା ଉଜ୍ଜୀବିତ ରଖିବାରେ ‘କଳାକାର’ର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ସମାଜ ଓ ମଣିଷ ମଧ୍ୟରେ ଶ୍ରେଷ୍ଠତାକୁ ନେଇ ସଭ୍ୟତା ଆରମ୍ଭରୁ ଚାଲିଥିବା ଆଲୋଚନା ର୍ଯ୍ୟାଲୋଚନା ମଧ୍ୟରେ ବାହାରିଛି ନିର୍ଯ୍ୟାସ । ସମାଜ ଶ୍ରଷ୍ଠ ହେଲେ ମଧ୍ୟ ସାମାଜିକ ପରମ୍ପରା ଓ ନିୟମର ସୃଷ୍ଟିକର୍ତ୍ତା କିଏ, ଏହା ସମସ୍ତଙ୍କ ପାଇଁ ବିରାଟ ପ୍ରଶ୍ନବାଚୀ । ସମାଜରେ ବଞ୍ôଚବା ପାଇଁ ଅହରହ ସଂଘର୍ଷ କରୁଥିବା ସାଧାରଣ ମଣିଷ ପ୍ରତି ମୂହୁର୍ତ୍ତରେ ଶୋଷଣର ଶିକାର ହୋଇ ଚାଲିଥିବା ବେଳେ ସାମାଜିକ ଅନୁଶାସନ ଆଜି କାହିଁକି ଦୁର୍ବଳ ହୋଇଯାଉଛି । ଏହିଭଳି ବିଷୟବସ୍ତୁକୁ ନେଇ କଳାକାର ନାଟ୍ୟାନୁଷ୍ଠାନର ସଦସ୍ୟମାନଙ୍କ ଦ୍ୱାରା ପରିବେଶିତ ହୋଇଥିଲା ନାଟକ ‘ଅନ୍ତିମ ଇଚ୍ଛା’ । ବିଶିଷ୍ଟ ନାଟ୍ୟକାର ଅରୁଣ କୁମାର ପରିଚ୍ଛାଙ୍କ ରଚିତ ନାଟକକୁ ନିର୍ଦ୍ଦେଶନା ଦେଇଥିଲେ ତରୁଣ କୁମାର ବିଶ୍ୱାଳ । ଏଥିରେ ଡ. ଅସୀତ, ତପନ, ଅଶ୍ୱିନୀ, ଶ୍ରୀତମ, ନବୀନ, ସସ୍ମିତା, ମେହେକ, ଅମର ପ୍ରମୁଖ ଅଭିନୟ କରିଥିଲେ । ମନୋରଞ୍ଜନ ପଣ୍ଡା ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବାବାଜୀ ଏବଂ ରଞ୍ଜନ ଶବ୍ଦ ତଥା ଆଲୋକ ପରିଚାଳନା କରିଥିଲେ । ‘କଳାକାର’ର ମୁଖ୍ୟ ସୁରଞ୍ଜନ ଦାସମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ କିଶୋର ଲେଙ୍କା, ନାରାୟଣ ସିଂ, ସୌମ୍ୟରଞ୍ଜନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସହରର ବହୁ ବିଶିଷ୍ଟ ବ୍ୟକ୍ତି ଓ ନାଟ୍ୟପ୍ରେମୀ ଉପସ୍ଥିତ ରହି ଏହି ନାଟକକୁ ମନଭରି ଉପଭୋଗ କରିଥିଲେ ।


