ନିଶା ବନ୍ଦ କର ମହିଳାମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଆଉ ସମ୍ମାନ ଦିଅ

ରାଇରଙ୍ଗପୁର, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଜିପାବନ୍ଧ ପଞ୍ଚାୟତର ପୋଖରୀଆ ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ‘ହୋ’ ସମାଜ ତରଫରୁ ‘ହୋ ଗାଲାଂ ଜୁମୁରୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ସମ୍ମାନିତ ଅତିଥି ଭାବେ ଯଶିପୁର ମାନ୍ୟବର ବିଧାୟକ ଇଂ ଗଣେଶରାମ ସିଂଖୁଣ୍ଟିଆ, ଅନ୍ୟତମ ଅତିଥି ଭାବେ କରଞ୍ଜିଆର ମାନ୍ୟବର ବିଧାୟିକା ବାସନ୍ତୀ ହେମ୍ବ୍ରମ ଯୋଗଦେଇ ସମାଜରେ ଶାନ୍ତି, ମୈତ୍ରୀ ବିଶେଷକରି ମହିଳାମାନଙ୍କ ଉନ୍ନତି ପାଇଁ ଏବଂ ସମାଜରେ ସେମାନଙ୍କ ସମ୍ମାନ ଏବଂ ସୁରକ୍ଷା ପାଇଁ ସମସ୍ତେ ବଦ୍ଧପରିକର ହୋଇ କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ । ବିଶେଷକରି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ନିଶା ବନ୍ଦ କରିବା, ନିଶା ଯୋଗୁ ପଥଭ୍ରଷ୍ଟ ହୋଇଯାଉଥିବା ଯୁବକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ଅସାମାଜିକ ଲୋକଙ୍କ କବଳରୁ ମହିଳାମାନଙ୍କୁ ସୁରକ୍ଷା ଦେବା ଏବଂ ମହିଳାମାନଙ୍କୁ ରାସ୍ତାଘାଟରେ କୌଣସି ସାମଗ୍ରୀ ବେପାର ବଣିଜରେ ନିୟୋଜିତ ନକରିବା ପାଇଁ ଆହ୍ୱାନ ଦେଇଥିଲେ । ହୋ ସମାଜର ପରମ୍ପରା ଓ ନୀତି ଅନୁଯାୟୀ ମହିଳାମାନଙ୍କୁ ଯଥେଷ୍ଟ ସମ୍ମାନ ଓ ସୁରକ୍ଷା ଦେବା ପ୍ରତ୍ୟେକ ଲୋକଙ୍କର ମାନବିକତା ହେବା ଉଚିତ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଯଶିପୁର ବିଧାୟକ ଇଂ ଗଣେଶରାମ ସିଂଖୁଣ୍ଟିଆ ଉପସ୍ଥିତ ରହି ସବୁ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବାରୁ ହୋ ସମାଜ ପକ୍ଷରୁ ତାଙ୍କୁ ଅଶେଷ ଧନ୍ୟବାଦ ଦିଆଯାଇଥିଲା । ଏଠାରେ ଉଲ୍ଲେଖନୀୟ ଯେ, ଶ୍ରୀ ଖୁଣ୍ଣିଆଙ୍କ ପ୍ରଚେଷ୍ଟାରେ ରାଷ୍ଟ୍ରସ୍ତରୀୟ ହୋ ଗାଲାଂ ଜୁମୁରୁ କାର୍ଯ୍ୟକ୍ରମ ଦୁଇ ଦୁଇଥର ଅତି ସଫଳତାର ସହିତ ସମ୍ପାଦନ ହୋଇପାରିଥିବା ଏବଂ ହୋ ସମାଜ ପ୍ରତି ବିଧାୟକ ଶ୍ରୀ ଖୁଣ୍ଟିଆଙ୍କର ବିଶେଷ ଅବଦାନ ଏବଂ ସମର୍ପଣ ମନୋଭାବ ଯୋଗୁ ହୋ ଗାଲାଂ ସମିତି ପକ୍ଷରୁ ତାଙ୍କୁ ସାଧୁବାଦ ଦିଆଯାଇଥିଲା । ବିଶିଷ୍ଟ ଅତିଥିଭାବେ ଯୋଗ ଦେଇଥିବା କରଞ୍ଜିଆ ମାନ୍ୟବର ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଉପସ୍ଥିତ ରହି ହୋ ସମ୍ପ୍ରଦାୟର ବିଶିଷ୍ଟ ବ୍ୟକ୍ତିମାନଙ୍କର ବଦାନ୍ୟତା ପାଇଁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଏହିଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଚାଲୁ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସଭାରେ ୱାରାଂଚିତି ଲିପିକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍ କରିବା ପାଇଁ ଯଶିପୁର ବିଧାୟକ ଶ୍ରୀ ଖୁଣ୍ଟିଆ ଦାବି କରିବା ସଙ୍ଗେ ସଙ୍ଗେ ମହିଳାମାନଙ୍କର ଏହି ସମାଜ ପ୍ରତି ଥିବା ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରଘୁନାଥ ହେମ୍ବ୍ରମ, ସମାଜସେବା ପାଇଁ ସ୍ୱପ୍ନା ଫାଉଣ୍ଡେସନର ସହ ସମ୍ପାଦକ କୃଷ୍ଣଚନ୍ଦ୍ର ସାଣ୍ଡିଲି, ଓଡ଼ିଶା ଆଦିବାସୀ ଫାଉଣ୍ଡେସନର ସଭାପତି ଗମନ କଳା ଏବଂ ଗୁଗୁଲ ପ୍ଲାଟଫର୍ମର ଡ଼ିଜାଇନର ଗଣେଶ ବିଲଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ହୋ ସମାଜର ସମସ୍ତ କଳାକାର, ନବନିର୍ବାଚିତ ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ହୋ ଗାଲାଂ ସମିତି ତରଫରୁ ସମ୍ମାନିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ହୋ ଗାଲାଂ ସମିତି ସଭାପତି ଗଙ୍ଗାଧର ହେମ୍ବ୍ରମ, ସାଧାରଣ ସମ୍ପାଦକ ମହାନ୍ତି ଜେରାଇ, ଉପଦେଷ୍ଟା ରାଙ୍ଗ୍‌ସା ଜେରାଇ ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ