ଟି.ବବିତା କୁମାରୀ ହେଲେ ବେଲଗୁଣ୍ଠା ଉପନଗରପାଳ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ରାଜ୍ୟରେ ନଗରପାଳ ନିର୍ବାଚନ ପରେ ଆଜି ଉପନଗରପାଳ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା I ବେଲଗୁଣ୍ଠା ବିଜ୍ଞପିତ ଅଞ୍ଚଳ ପରିଷଦର ନଗରପାଳ ପଦବୀ ସମେତ ସମସ୍ତ 13 ଟି ୱାର୍ଡ଼ର କାଉନସିଲର୍ ପଦ ହାତେଇ ଥିଲା ବିଜେଡ଼ି I ତେଣୁ ଉପନଗରପାଳ ପଦ ମଧ୍ୟ ବିଜେଡ଼ି ଭାଗରେ ପଡିବା ନିଶ୍ଚିତ ହୋଇଯାଇଥିଲା I ଏହି ଅବସରରେ ଆଜି ସାତ ନମ୍ବର୍ ୱାର୍ଡ୍ କାଉନସିଲର୍ ତଥା ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡ଼ିରେ ଯୋଗ ଦେଇଥିବା ସିଏଚ୍ ଲିଙ୍ଗରାଜ ପାତ୍ରଙ୍କ ସ୍ତ୍ରୀ ଟି.ବବିତା କୁମାରୀ ଆଜି ଉପନଗରପାଳ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ I ସେ ଜଣେ ମାତ୍ର ନାମାଙ୍କନ ପତ୍ର ଦାଖଲ କରିଥିବାରୁ ନିର୍ବାଚନ ଅଧିକାରୀ ବେଲଗୁଣ୍ଠା ତହସିଲଦାର ଧରଣୀଧର ବେହେରା ଏବଂ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଢୀ ଦିନ ଏକ ଘଣ୍ଟା ସମୟରେ ବବିତା କୁମାରୀଙ୍କୁ ଉପନଗରପାଳ ଭାବେ ଘୋଷଣା କରିଥିଲେ I ପୂର୍ବରୁ ବବିତା କୁମାରୀ ସାତ ନମ୍ବର୍ ୱାର୍ଡ୍ ରୁ ନିର୍ଦ୍ୱନ୍ଦ୍ୱରେ କାଉନସିଲର୍ ଭାବେ ନିର୍ବାଚିତ ହୋଇଥିବା ବେଳେ ଆଜି ମଧ୍ୟ ନିର୍ଦ୍ୱନ୍ଦ୍ୱରେ ଉପନଗରପାଳ ଭାବେ ନିବାର୍ଚିତ ହୋଇଥିଲେ I ଏହି ଅବସରରେ ତାଙ୍କୁ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ନଗରପାଳ ଫିରୋଜ ସେଠୀ, ପୂର୍ବତନ ନଗରପାଳ ତଥା ବିଜେଡ଼ି ନଗର ସଭାପତି ରବୀନ୍ଦ୍ର ନାଥ ମହାପାତ୍ର, ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, ବରିଷ୍ଠ ନେତା ଟୁଟୁ ସୁବୁଦ୍ଧି,ସାଧାରଣ ସମ୍ପାଦକ ସନ୍ତୋଷ ସୁବୁଦ୍ଧି,କାଉନସିଲର୍ ଦିବ୍ୟ ରଞ୍ଜନ ଦାଶ, ଦିଲ୍ଲୀପ୍ କୁମାର ଆଚାରୀ, ପ୍ରଦୀପ ସେଠୀ,ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ନୂତନ ଉପନଗରପାଳଙ୍କୁ ଶୁଭେଚ୍ଛା ଜଣାଇଥିଲେ I ସେ ଆଗାମୀ ଦିନରେ ସମସ୍ତଙ୍କୁ ନେଇ ବେଲଗୁଣ୍ଠା ସହରର ପ୍ରଗତି ପାଇଁ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ I


