ହିତାଧିକାରୀଙ୍କୁ ମାର୍ଚ୍ଚ ମାସର ଚାଉଳ ମିଳିବ କେବେ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତରେ ରେସନକାର୍ଡ ଧାରୀ ମାନଙ୍କୁ ମାର୍ଚ୍ଚ ମାସର ଚାଉଳ ମିଳିପାରିନି । ନିୟମାନୁଯାଇ ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହି ଚାଉଳ ଦିଆଯିବା କଥା । କିନ୍ତୁ ମାର୍ଚ୍ଚ ଯାଇ ଏପ୍ରିଲ ସରପିବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ମାର୍ଚ୍ଚ ମାସର ଚାଉଳ ଦିଆଯାଇ ନାହିଁ । ସ୍ଥାନୀୟ ହିତାଧିକାରୀଙ୍କ ଅଭିଯୋଗ ଅନୁଯାଇ ଏହି ପଞ୍ଚାୟତ ଅଧିନସ୍ଥ କଳିଗାଁ, ଇଛାପୁର, ବଣିଆରୀ, ମୁଦୁଲିପଦା, କଇଥଗଡିଆ, ଶାଳକଣିଆଁ ଆଦି ଗ୍ରାମର ୫୭୭ଜଣ ରେସନକାର୍ଡ ଧାରୀ ପରିବାର କଳିଗାଁ ପଞ୍ଚାୟତ କାର୍ଯ୍ୟାଳୟରୁ ରେସନ ସାମଗ୍ରୀ ପାଇଥାନ୍ତି । ପୁର୍ବରୁ ସେମାନେ ଚାଉଳ ପାଉନଥବବାନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବାପରେ ସେମାନଙ୍କୁ ଫେବୃୟାରୀ ମାସ ସୁଧା ଥିବା ସମସ୍ତ ବକେୟା ଚାଉଳ ବଣ୍ଟନ କରିଦେଇଥିଲେ । ଦୁଇ ଚାରିଦିନ ପରେ ମାର୍ଚ୍ଚ ମାସର ଚାଉଳ ବଣ୍ଟନ କରିବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ମାର୍ଚ୍ଚ ମାସର ଚାଉଳ ବଣ୍ଟନ କରି ନାହାନ୍ତି । ଏପରିକି ପଞ୍ଚାୟତକୁ ମଧ୍ୟ ଆଜି ପର୍ଯ୍ୟନ୍ତ ଚାଉଳ ଆସିଲା ନାହିଁ ବୋଲି ବିଦ୍ୟାଧର ସାହୁ, ଶତୃଘ୍ନ ମାଝୀ, ରମାକାନ୍ତ ସାହୁ, ଗୟାଧର ସାହୁ, ସୁବାସ ଚନ୍ଦ୍ର ଦାସ, କଳାକର ଦାସ, ପର୍ଶୁରାମ ଜେନା, ରମାକାନ୍ତ କାଣ୍ଡି, କହ୍ନେଇ ଦାସ ପ୍ରମୁଖ ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଯୋଗାଣ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି ।


