ତପସ୍ୟା ଭବନର ୧୮ ତମ ବାର୍ଷିକ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ମନୁଷ୍ୟ ସମାଜ ବସ୍ତୁବାଦୀ ହୋଇ ଗଲାଣି । ରାତିଦିନ ମଣିଷ କେବଳ ବସ୍ତୁବାଦୀ କାର୍ଯ୍ୟ ହାସଲ କରିବା ପାଇଁ ଲାଗି ପଡିଛି । ଇଶ୍ୱରଙ୍କୁ ପ୍ରାର୍ଥନା କରିବା ପାଇଁ ଅନେକଙ୍କ ପାଖରେ ଏବେ ସମୟର ଅଭାବ । ଏହାଦ୍ୱାରା ମନୁଷ୍ୟକୁ ମାନସିକ ଶାନ୍ତି ମିଳିପାରୁନାହିଁ । ଫଳରେ ବିଭିନ୍ନ ପ୍ରକାର ମାନସିକ ରୋଗରେ ଏବେ ମନୁଷ୍ୟ ଆକ୍ରାନ୍ତ ହୋଇପଡୁଛି । ଏହି ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଇବା ପାଇଁ ଉଚିତ ମାର୍ଗ ହେଉଛି ଆଧ୍ୟାତ୍ମିକତା । ଆଧ୍ୟାତ୍ମିକ ମାର୍ଗରେ ମଣିଷ ନିଜକୁ କିଛି କ୍ଷଣ ପାଇଁ ସାମିଲ କରିପାରିଲେ ନିଜକୁ ଅନ୍ତର୍ନିହିତ ଶାନ୍ତି ମିଳିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ କେନ୍ଦ୍ରାପଡ଼ା ବଡହାଟସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ତପସ୍ୟା ଭବନ ସେବା କେନ୍ଦ୍ରର ୧୮ ତମ ବାର୍ଷିକ ଉତ୍ସବରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଏଥିରେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆମେ ଯେଉଁ ବସ୍ତୁବାଦୀ ଦୁନିଆ ପଛରେ ଧାଉଁଛେ ତାହା ମୃତ୍ୟୁ ବେଳକୁ ଆମ ସାଙ୍ଗରେ ଯିବ ନାହିଁ । ଏହି ଧାରଣା ଯଦି ସମସ୍ତଙ୍କ ମନରେ ଜାଗ୍ରତ ହେବ ତେବେ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ କିଛି ସମୟ ବାହାର କରି ମାନସିକ ଶାନ୍ତି ପାଇଁ ଧ୍ୟାନ ମଗ୍ନ ରହିବ । ଏହାଦ୍ୱାରା ଆମେ ବସ୍ତୁବାଦୀ ଦୁନିଆ ଠାରୁ କିଛି ସମୟ ପାଇଁ ଦୁରେଇ ରହି ପାରିବା । ଫଳରେ ଆମକୁ ମାନସିକ ଶାନ୍ତି ମିଳିପାରିିବ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ନଗରପାଳ ସରିତା ସାହୁ କହିଲେ ପ୍ରତ୍ୟେକ ମଣିଷ ପ୍ରତିଦିନ କିଛି ସମୟ ବାହାର କରି ଧ୍ୟାନ ଓ ଯୋଗ କରିବା ଆବଶ୍ୟକ । ଯୋଗ କରିବା ଦ୍ୱାରା ଆମେ ଶାରିରୀକ ସୁସ୍ଥ ରହି ପାରିବା । ଧ୍ୟାନ କରିବା ଦ୍ୱାରା ଆମେ ମାନସିକ ଭାବେ ସୁସ୍ଥ ହୋଇ ପାରିବା । କିନ୍ତୁ ଆମେ ମୋହ ମାୟାରେ ପଡି ଧ୍ୟାନ ଓ ଯୋଗ କଥା ଭୁଲି ଯାଉଥିବାରୁ ବିଭିନ୍ନ ମାନସିକ ଓ ଶାରିରୀକ ରୋଗରେ ପିଡିତ ହେଉଛେ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ ଯୋଗଦେଇ କହିଲେ ସାଂସାରିକ ଜୀବନରୁ କିଛି ସମୟ ବାହାର କରି ଆମକୁ ଆଧ୍ୟାତ୍ମିକ ମାର୍ଗ କଥା ଚିନ୍ତା କରିବାକୁ ପଡିବ । ମୁନିଋଷିମାନେ ଯେଉଁ ସବୁ ଉପଦେଶ ଦେଇ ଯାଇଛନ୍ତି ତାହା ସମାଜ ଗଠନ ପାଇଁ ବେଶ ଉପଯୋଗୀ । ତାହାକୁ ଆମେ ଅଧ୍ୟୟନ କରିପାରିଲେ ସଂସାରରେ ଥାଇ ମଧ୍ୟ ଆମକୁ ସଂସାରର ବନ୍ଧନ ବାନ୍ଧି ରଖି ପାରିବ ନାହିଁ । ରାଜନେତାମାନେ ମଧ୍ୟ ଆଧ୍ୟାତ୍ମିକ ପୁସ୍ତକରୁ ବେଶ ଜ୍ଞାନ ଅର୍ଜନ କରି ପାରିବେ । କାରଣ ରାମାୟଣ ଓ ମହାଭାରତ ଭଳି ଗ୍ରନ୍ଥରେ ରାଷ୍ଟ୍ର ଶାସନ କରିବା କଥା ମଧ୍ୟ ବର୍ଣ୍ଣନା କରାଯାଇଛି ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧୭ ନମ୍ବର ୱାର୍ଡ କାଉନସିଲର ଉମେଶ ଚନ୍ଦ୍ର ନାୟକ(ସ୍ୱାଧୀନ), ବରିଷ୍ଠ ସାମ୍ବାଦିକ ଆଶିଷ ସେନାପତି, ସୋମନାଥ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବି.କେ. ଶୈଳେନ୍ଦ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ରାଜଯୋଗ ଆଧାରରେ ମଣିଷକୁ ପ୍ରକୃତ ଶାନ୍ତି ମିଳିପାରିବ । ଆଧ୍ୟାତ୍ମିକ ଉନ୍ନତିରେ ସମାଜର ସାମଗ୍ରୀକ ଉନ୍ନତି ହୋଇ ପାରିବ । ବ୍ରହ୍ମାକୁମାରୀ ସନ୍ଧ୍ୟାରାଣୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ବି.କେ. ପଦ୍ମଲୋଚନ, ବି.କେ. ଯଦୁ, ବି.କେ. ରାନୁ, ବି.କେ. ଧରଣୀ, ବି.କେ. ଅନନ୍ତ, ବି.କେ. ରବି, ବି.କେ. ତାପସ, ବି.କେ. ରଘୁ, ବି.କେ. ମିନତୀ, ବି.କେ. ଲକ୍ଷ୍ମୀ, ବି.କେ ମୁନୁ ପ୍ରମୁଖ ପରିଚାଳନା କରିଥିଲେ । ଭାବଗ୍ରାହୀ କଳା ନିକେତନ ପକ୍ଷରୁ ବିମଳ ପ୍ରସାଦ ପରିଡ଼ାଙ୍କ ନିର୍ଦେଶନାରେ କଳାକାରମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ