ସି.ପି.ଆଇ.(ଏମ) ଜିଲ୍ଲା କାର୍ଯ୍ୟାଳୟରେ ଆନ୍ତର୍ଜାତିକ ମଇ ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସହରର ଖଡିଅଙ୍ଗସ୍ଥିତ ସି.ପି.ଆଇ.(ଏମ) ଜିଲ୍ଲା କାର୍ଯ୍ୟାଳୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ମୋଦି ସରକାର କର୍ପୋରେଟ ସପକ୍ଷରେ ଆଇନଗତ ପରିବର୍ତ୍ତନମାନ କରୁଛନ୍ତି । ୪୪ଟି ଶ୍ରମ ଆଇନ ପରିବର୍ତ୍ତନ କରି ଶ୍ରମିକ ବିରୋଧି ୪ଟି ଶ୍ରମ କୋର୍ଡରେ ପରିଣତ କରିଛନ୍ତି । ସେହିପରି ଚାଷୀମାନଙ୍କ ବିରୋଧରେ ଆଣିଥିବା ୩ଟି କଳା କୃଷି ଆଇନକୁ ବ୍ୟାପକ ଆନ୍ଦୋଳନ ଫଳରେ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି । ସମସ୍ତ ସରକାରୀ ଉଦ୍ୟୋଗକୁ ବିକ୍ରୀ ଚାଲିଛି । ବୀମା, ବ୍ୟାଙ୍କ, ପରିବହନ ସେବା, ବିମାନ ବନ୍ଦର, ଜଲପଥ ଓ ସ୍ଥଳପଥକୁ ବିକ୍ରୀ ଚାଲିଛି । ଦରଦାମରେ ନିୟନ୍ତ୍ରଣ ନାହିଁ । କରୋନା ମହାମାରୀରେ ଦେଶର ଆର୍ଥିକ ଅବସ୍ଥା ଭୁଷୁଡି ପଡିଥିଲା ବେଳେ ଆଦାନୀ ଓ ଆମ୍ବାନୀଙ୍କ ଶକ୍ତି ବୃଦ୍ଧି ହୋଇଛି । ଏହି ଭଳି ପରିସ୍ଥିତିରେ ମଇ ଦିବସ ପାଳନ ଅବସରରେ ପାର୍ଟିର ପତାକା ଉତ୍ତୋଳନ କରିଥିଲେ ବରିଷ୍ଠ ନେତା ମାଧବ ଦାସ ଓ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ ବରିଷ୍ଠ ନେତା ଜଗତଜୀବନ ଦାଶ । ମୁଖ୍ୟବକ୍ତା ଭାବେ ଜିଲ୍ଲା ସମ୍ପାଦକ ଗୟାଧର ଧଳ ବକ୍ତବ୍ୟ ରଖି କହିଲେ ଲାଲ ଝଣ୍ଡା ଶକ୍ତିଶାଳି ହେଲେ ହିଁ ଦେଶକୁ ରକ୍ଷା କରାଯାଇ ପାରିବ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା କନଷ୍ଟ୍ରକସନ ୱାର୍କର୍ସ ୟୁନିଅନର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମଲିକ, ନିରାକାର ସାହୁ, ମାନଭଞ୍ଜନ ଷଡଙ୍ଗୀ, ବିନୟ କୁମାର ମଲ୍ଲିକ, ମହେଶ୍ୱର ସାହୁ, ମୋହନ କୁମାର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।


