କିଶୋର ନ୍ୟାୟରେ ପୋଲିସର ଭୂମିକା ଉପରେ ଏକ ଦିନିଆ କର୍ମଶାଳା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥିଙ୍କ ଅଧ୍ୟକ୍ଷତାରେ ଆଜି ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷରେ କିଶୋର ନ୍ୟାୟରେ ପୋଲିସ୍‌ର ଭୂମିକା ଉପରେ ସ୍ୱତନ୍ତ୍ର କିଶୋର ପୋଲିସ୍ ୟୁନିଟ୍ ସଦସ୍ୟଙ୍କ ନିମନ୍ତେ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥି କହିଥିଲେ ଯେ ବାଲ୍ୟବିବାହ ମୁକ୍ତ ଗ୍ରାମ ପ୍ରତ୍ୟେକ ଥାନାରେ ପୋଲିସ ତରଫରୁ ଆମ ପୋଲିସ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ଉପସ୍ଥିତ ଥିବା ସମସ୍ତ ଥାନା ଅଧିକାରୀମାନଙ୍କୁ ଶିଶୁ ସୁରକ୍ଷାର ସମସ୍ତ ଦିଗରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ଲାଗି ଆହ୍ୱାନ ଦେଇଥିଲେ ଏବଂ ଥାନାକୁ ଆସୁଥିବା ସମସ୍ତ ଶିଶୁଙ୍କୁ ସ୍ୱତନ୍ତ୍ର ସେବା ଠିକ୍ ସମୟରେ ଯୋଗାଇଦେବା ନିମନ୍ତେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅନୁରୋଧ କରିଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯେ, ଦୁର୍ଘଟଣାରେ ପିଢିତ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖି ସହାଯ୍ୟକାରୀଙ୍କୁ ୨ହଜାର ଟଙ୍କା ସରକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି ଦେବା ବ୍ୟବହସ୍ଥା ରହିଥିବା ବିଷୟରେ ଅବଗତ କରାଇଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ ଯୋଗଦେଇ ପ୍ରତ୍ୟେକ ଥାନାରେ କିପରି ଶିଶୁମିତ୍ର ଥାନା ଭାବରେ ସମସ୍ତ ସୁବିଧା ରହିବ ସେଥିପ୍ରତି ସମସ୍ତଙ୍କର ସହଯୋଗ ଲୋଡିଥିଲେ । ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଅଳକା ସାହୁ ଉପସ୍ଥିତ ରହି ଅବହେଳିତ ଶିଶୁମାନଙ୍କୁ ଜିଲ୍ଲାର ସମସ୍ତ ପୋଲିସ ସହାୟତା କରିଥିବାରୁ ଭୂୟସି ପ୍ରଶଂସା କରିଥିଲେ । ଏହାପରେ ଖୋର୍ଦ୍ଧାର ପୂର୍ବତନ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ବେଣୁଧାର ସେନାପତି ପ୍ରଶିକ୍ଷକ ଭାବେ ଯୋଗଦେଇ ପୋକ୍ସୋ ଆଇନ, ବାଲ୍ୟବିବାହ ଏବଂ ଆଇନ ସହ ଦ୍ୱନ୍ଦରେ ଥିବା ଶିଶୁମାନଙ୍କ ଉପରେ ପୋଲିସର ଭୂମିକା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଏସଡିପିଓ, ଆର୍‌.ଉଦୟଗିରି ଏସ୍‌ଡିପିଓ, ସମସ୍ତ ଡିଏସପି, ଜିଲ୍ଲାର ସମସ୍ତ ଥାନାଧିକାରୀ, ସମସ୍ତ ଶିଶୁ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ୟୁଏନ୍‌ଏଫପିଏର ଜିଲ୍ଲା ସଂଯୋଜିକା ସଂଯୁକ୍ତା ତ୍ରିପାଠୀ, ଏକ୍ସନ-ଏଡ୍‌ର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର, ‘ଅରୁଣା’ର ଜିଲ୍ଲା ସଂଯୋଜିକା ସୁସ୍ମିତା ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ “ହେଲ୍ପ ଏ ଚାଇଲ୍ଡ ଇଣ୍ଡିଆ” ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂଯୋଜକ ପି.ବର୍ଦ୍ଧନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ