ଠାକୁରାଣୀ ଯାତ୍ରା ଉତ୍ସବରେ ବୁଲିଲା ଖଣ୍ଡା : ଯୁବକଙ୍କୁ ଖଣ୍ଡା ଚୋଟରେ ଜଣେ ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ କ୍ରମଶଃ ବୃଦ୍ଧି ପାଇଛି।ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନ ପରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର,ପୋଲସରା ଥାନା ଅଞ୍ଚଳରେ ରାଜନୈତିକ ହିଂସାକାଣ୍ଡ ଘଟି ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ବେଳେ ଦିଗପହଣ୍ଡି ଥାନା ଇଲାକାରେ ଘଟିଛି ଆଉଏକ ଡବଲ ମର୍ଡର ଘଟଣା । ରାଜନୈତିକ ଶତ୍ରୁତା କାରଣରୁ ୨ ଜଣ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରାଯାଇଛି।କେତେବେଳେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ପ୍ରତିଶୋଧ ପରାୟଣ ହୋଇ ପରାଜିତ ପ୍ରାର୍ଥୀଙ୍କ ସମର୍ଥକଙ୍କ ଉପରେ ଘାତକ ଆକ୍ରମଣ କରୁଥିବା ବେଳେ ଆଉ କେତେବେଳେ ପରାଜିତ ପ୍ରାର୍ଥୀ ଆକ୍ରୋଶ ମୂଳକ ଭାବେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ଉପରେ ମରଣାନ୍ତକ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଏଭଳି ଏକ ରାଜନୈତିକ ହିଂସାକାଣ୍ଡ ଭଳି ଏକ ସମ୍ବେଦନଶୀଳ ଘଟଣା ବୁଧବାର ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ଠାକୁରାଣୀ ଯାତ୍ରା ଉତ୍ସବ ପାଳିତ ହେଉଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂପୃକ୍ତ ଗ୍ରାମର ମହେନ୍ଦ୍ର ସାହୁ ଓ କାହ୍ନୁ ବେହେରାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି ।କାହ୍ନୁଙ୍କ ଖଣ୍ଡା ଚୋଟରେ ମହେନ୍ଦ୍ର ଗୁରୁତର ଆହତ ହୋଇଛନ୍ତି । ଉପସ୍ଥିତ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆହତଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ ୨୨୫/୨୨ରେ ଏକ ମାମଲା ରୁଜୁ କରି କରି ଘଟଣାର ତଦନ୍ତ ଚଳାଇଥିବା ଥାନା ସୁତ୍ରରୁ ପ୍ରକାଶ ।


