ମୌଳିକ ସମସ୍ୟାକୁ ନେଇ ସିଭିଲ ସୋସାଇଟିର ଆନ୍ଦୋଳନ ଚେତାବନୀ

ବାଲେଶ୍ୱର, (ସରୋଜ ପଣ୍ଡା) :-ସହର ସମେତ ବାଲେଶ୍ୱର ଜିଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ସ୍ୱାସ୍ଥ୍ୟ ସେବା, ଅଘୋଷିତ ବିଦ୍ୟୁତ କାଟ ଓ ପାନୀୟ ଜଳ ସଙ୍କଟକୁ ନେଇ ଉଦବେଗ ପ୍ରକାଶ କରିଛି ସିଭିଲ ସୋସାଇଟି । ଏନେଇ ସୋସାଇଟିର ଏକ ପ୍ରତିନିଧି ଦଳ ଶନିବାର ଜିଲପାଳଙ୍କୁ ସାକ୍ଷାତ ସହ ସମସ୍ୟା ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ସହରାଞ୍ଚଳରେ ଚୋରି, ଡକାୟତି, ରାହାଜାନି, ଛିନ୍‌ତାଇ, ନିଶା କାରବାର, ନାରୀ ନିର୍ଯ୍ୟାତନା ପ୍ରଭୃତି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ବେଳେ ଏହାକୁ ରୋକିବାରେ ଜିଲା ପୁଲିସର ନିଷ୍କ୍ରିୟତା ଅନ୍ତରାୟ ହୋଇଥିବା ସୋସାଇଟିର କର୍ମକର୍ତ୍ତା ଆରୋପ କରିଥିଲେ । ସହଦେବଖୁଣ୍ଟା ଆଦର୍ଶ ଥାନାରେ ଗତ ଦୁଇ ବର୍ଷ ଧରି ଅଧିକାରୀ ନ ରହିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିଚାଳନାର ବାସ୍ତବତାର ବୋଲି ସେମାନେ କହିଥିଲେ । ସେହିପରି ସହରବାସୀଙ୍କୁ ଉନ୍ନତମାନର ସେବା ପ୍ରଦାନ ପାଇଁ ଆରମ୍ଭ ହୋଇଥିବା ଅମୃତ ଯୋଜନା କେବଳ କାଗଜପତ୍ରରେ ଚାଲିଥିବା ବେଳେ ସହରର ଅନେକ ୱାର୍ଡ଼ରେ ଶୁଦ୍ଧ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି । ବାଲେଶ୍ୱରରେ ଟାଟା ପାୱାରର ମୁଖ୍ୟ ଦପ୍ତର ଥିଲେ ମଧ୍ୟ ସହର ସମେତ ଜିଲାର ଗ୍ରାମାଞ୍ଚଳରେ ଚାଲିଥିବା ବାରମ୍ବାର ଅଘୋଷିତ ବିଜୁଳି କାଟ ବର୍ତ୍ତମାନର ଗ୍ରୀଷ୍ମ ପ୍ରକୋପରେ ଜନଜୀବନକୁ ଦୁର୍ବିସହ କରିଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟରେ ଏହା ପାଠପଢ଼ାରେ ଘୋର ଅସୁବିଧା ସୃଷ୍ଟି କରିଛି । ଅନ୍ୟପକ୍ଷରେ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ୍ ଆଦାୟରେ ଏହି ଘରୋଇ ବିଦ୍ୟୁତ୍ ସଂସ୍ଥାର ଜୁଲମ୍ କ୍ରମଶଃ ଅସହ୍ୟ ହୋଇଥିବା ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଅନୁରୂପ ଭାବେ ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ପ୍ରଦାନରେ ଚରମ ଅବନତି ଘଟିଛି । ଫକୀରମୋହନ ମେଡିକାଲ୍ କଲେଜ୍ ଓ ହସପିଟାଲ୍ କାର୍ଯ୍ୟକ୍ଷମ ହେବାପରେ କାଗଜ କଲମରେ ଶତାଧିକ ଡାକ୍ତର ନିଯୁକ୍ତି ପାଇଥିବା କୁହାଯାଉଥିଲେ ବି ସେମାନେ ନିଜ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଡାକ୍ତରମାନେ ଉତ୍ତମ ସେବା ପ୍ରଦାନ ପରିବର୍ତ୍ତେ ଘରୋଇ ହସପିଟାଲକୁ ଅଧିକ ପ୍ରୋତ୍ସାହିତ କରୁଥିବା ସମ୍ପର୍କରେ ସିଭିଲ୍ ସୋସାଇଟିର ସଦସ୍ୟମାନେ ଅଭିଯୋଗ କରିଛନ୍ତି । ତେବେ ଜନସାଧାରଣଙ୍କ ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଶେଷ ଧ୍ୟାନଦେବାକୁ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଏନେଇ ସିଭିଲ ସୋସାଇଟି ପକ୍ଷରୁ ଦାବି ସମ୍ବଳିତ ସ୍ମାରକପତ୍ର ସଂପୃକ୍ତ ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ସିଭିଲ୍ ସୋସାଇଟି ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତିି । ଦାବିପତ୍ର ପ୍ରଦାନ ବେଳେ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସମ୍ପାଦକ ମନୋଜ ନାୟକ, କୋଷାଧ୍ୟକ୍ଷ ସନ୍ତୋଷ ସାହୁ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ସୀତାରାମ ପ୍ରଧାନ, ଦେବେନ୍ଦ୍ର ଧଳ, ମାୟାଧର ମହାପାତ୍ର, ସଞ୍ଜୀତ୍ ପତି, ଭରତ ଲେଙ୍କା, ପ୍ରଦୀପ ଶୁକ୍ଳା, ମାୟାଧର ମହାରଣା, ଜ୍ୟୋତ୍ସ୍ନା ପାଣି, ସରସ୍ୱତୀ ପଣ୍ଡା, ବରୁଣ ବେହେରା, କ୍ରୀଷ୍ଣା ସାହା ଓ ତ୍ରିଦୀବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ