ରାସ୍ତା ମରାମତି ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ପଡାବାସୀଙ୍କ ଦାବି
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଦେଇ ପ୍ରବାହିତ ହେଉଛି ଗୋବରୀ ନାଳ । ଏହି ନାଳ ମାଧ୍ୟମରେ ଚାଷ ଜମିରୁ ଉଦବୃତ ଜଳ ନିଷ୍କାସିତ ହୋଇଥାଏ । ଓଡିଶା ସରକାରଙ୍କ ଜଳ ସଂପଦ ବିଭାଗର ଜଗତସିଂହପୁର ଡ୍ରେନେଜ ଡିଭିଜନ ତରଫରୁ ୨୦୨୧-୨୨ ଆର୍ଥୀକ ବର୍ଷରେ ଏହି ନାଳ ସଫେଇ କାର୍ଯ୍ୟ ଜାରି ରହିଛି । ନାଳ ସଫେଇ କରାଯିବା ସହ ନାଳରେ ପୋଲ ଓ ଗାର୍ଡ ୱାର୍ଲ ନିର୍ମାଣ କରାଯାଉଛି । ଉକ୍ତ ନାଳ ସଫେଇ ହେବା ଫଳରେ ବାଂଶ ପଂଚାୟତର ଗୋବରୀକୂଳ ପଡାଗାଁର ୪୦ରୁ ଉର୍ଦ୍ଧ୍ୱ ପରିବାରଙ୍କର ଦୁଃଖ ବଢିବାରେ ଲାଗିଛି । ଗୋବରୀ ନାଳ ପାଶ୍ୱର୍ରେ ଏହି ପଡା ଗାଁଟି ଅବସ୍ଥିତ । ନାଳ ପାଶ୍ୱର୍ ଦେଇ ଏହି ପଡାଗାଁର ରାସ୍ତା ଯାଇଅଛି । ନାଳ ସଫେଇ ହେବା ଦ୍ୱାରା ରାସ୍ତା ପାଶ୍ୱର୍ରୁ ମାଟି ଅତଡା ନ ଖସିବା ପାଇଁ ଡ୍ରେନେଜ ବିଭାଗ ପକ୍ଷରୁ ରାସ୍ତା ପାଶ୍ୱର୍ରେ ଗାର୍ଡ ୱାର୍ଲ ମଧ୍ୟ ନିର୍ମାଣ କରାଯାଇଛି । କିନ୍ତୁ ରାସ୍ତା ଉଚ୍ଚା ହୋଇଥିବା ବେଳେ ଗାର୍ଡ ୱାର୍ଲଟି ତଳେ ନିର୍ମାଣ କରାଯାଇଛି । ଯାହାଫଳରେ ରାସ୍ତାରୁ ମାଟି ଅତଡା ଖସୁଛି । ମାଟି ଅତଡା ଖସିବାରୁ ପଡାକୁ ସଂଯୋଗ କରୁଥିବା ପ୍ରାୟ ୫୦୦ମିଟର ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଯାହାଫଳରେ ଉକ୍ତ ପଡା ମଧ୍ୟକୁ ଚାରି ଚକିଆ ଯାନ ଯିବା ଦୁରର କଥା, ଦୁଇ ଚକିଆ ଯାନ ଯିବା କଷ୍ଟ ସାଧ୍ୟ ହୋଇପଡିଛି । ଏପରିକି ରାତି ଅଧରେ କାହାର ଦେହ ଖରାପ ହେଲେ ପଡା ମଧ୍ୟକୁ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡି ଯାଇପାରୁନାହିଁ । କେବଳ ସେତିକି ନୁହେଁ ଗର୍ଭବତୀ, ବୃଦ୍ଧବୃଦ୍ଧା ଆଦି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏହି ରାସ୍ତା ଉପରେ ଛୋଟ ଛୋଟ ପିଲାଙ୍କୁ ସ୍କୁଲକୁ ଯିବା ପାଇଁ ଅଭିଭାବକମାନେ ଭୟ କରୁଛନ୍ତି । ମାଟି ଅତଡା ଖସିବା ଦ୍ୱାରା ରାସ୍ତାଟି ସଂପୂର୍ଣ୍ଣ ନଷ୍ଟ ହେବାକୁ ବସିଛି । ଅପରପକ୍ଷେ ଲଘୁଚାପ ଜନିତ ବର୍ଷା ସହ ଆଗକୁ ବର୍ଷା ଦିନ ଆସୁଥିବାରୁ ତୁହାକୁ ତୁହା ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାରେ ଉକ୍ତ ରାସ୍ତାଟି ଧୋଇ ଯିବାର ମଧ୍ୟ ଆଶଙ୍କା ରହିଛି । ରାସ୍ତା ଧୋଇ ହୋଇଗଲେ ପଡା ମଧ୍ୟକୁ ଯିବା କଷ୍ଟ ସାଧ୍ୟ ହୋଇ ପଡିବ ବୋଲି ପଡାବାସୀ ଅଭିଯୋଗ କରିଛନ୍ତି । ମାଟି ଅତଡା ଖସୁଥିବାରୁ ଏହାକୁ ଅଟକାଇବା ପାଇଁ ପଡାବାସୀଙ୍କ ତରଫରୁ ବାଉଁଶ,ବାଲି ବସ୍ତା ଆଦି ପକା ଯାଇଥିବା ପଡାବାସୀ କହିଛନ୍ତି । ଏହି ରାସ୍ତା ପାଶ୍ୱର୍କୁ ଯଥା ଶୀଘ୍ର ପଥର ପ୍ୟାକିଂ କରିବା ସହିତ ରାସ୍ତା ମରାମତି କରିବା ପାଇଁ ପଡାର ସୁରେଶ ଚନ୍ଦ୍ର ଦାସ, ଚୈତନ୍ୟ ଚରଣ ଦାସ, ଉଲ୍ଲାସ ଚନ୍ଦ୍ର ଦାସ, ଚକ୍ରଧର ଦାସ, ଶଙ୍କର ପୋଲେଇ, ଶଙ୍କର ଦାସ ଆଦି ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏ ସଂପର୍କରେ ଡ୍ରେନେଜ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ.ସୂର୍ଯ୍ୟକାନ୍ତ ଦିକ୍ଷୀତଙ୍କୁ ପଚାରିବାରୁ ଗୋବରୀ ନାଳ ସଫେଇ କାର୍ଯ୍ୟ ଜାରି ରହିଛି । ରାସ୍ତାକୁ ସୁରକ୍ଷା ଦେବା ପାଇଁ ସେଠାରେ ଗାର୍ଡ ୱାର୍ଲ ନିର୍ମାଣ କରାଯାଇଥିବା ବେଳେ ରାସ୍ତା ସମାନରେ ମାଟି ପୋତେଇ କରାଯିବ । ପରବର୍ତୀ ସମୟରେ ଉକ୍ତ ସ୍ଥାନରେ ପଥର ପ୍ୟାକିଂ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।