ଚିକେନ ର ଅହେତୁକ ଦରବୃଦ୍ଧି ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ସାରା ରାଜ୍ୟରେ ଏବେ ବଜାରରେ ଚିକେନ୍ ଦର ଅହେତୁକ ଭାବେ ବଢ଼ିଯାଇଛି । ତାର ପ୍ରଭାବ ପାଞ୍ଚପିଢ଼ ଉପଖଣ୍ଡ ଅଞ୍ଚଳ ରେ ମଧ୍ୟ ଦେଖିବାକୁ ମିଳିଛି। ଦେଶୀ କୁକୁଡ଼ା ଓ ଖାସି ମାଂସ ଦର ବ୍ରୋୟଲର ଦାମ ରୁ ତିନିଗୁଣା ରୁ ଅଧିକ ଥିବାରୁ ଅଧିକାଂଶ ଲୋକ ଚିକେନ ଖାଇବାକୁ ପସନ୍ଦ କରନ୍ତି ଓ ଏହା ସମସ୍ତଙ୍କ ପକେଟ କୁ ସୁହାଇ ଥାଏ। ସପ୍ତାହେ ତଳେ ଚିକେନ୍ ମାଂସ କେଜି ପ୍ରତି ୨୦୦ରେ ମିଳୁଥିଲା । ଏବେ ତାହା ବଢ଼ି ଏବେ ୨୫୦ ରେ ପହଞ୍ଚିଛି । ଫଳରେ ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଖରାଦିନେ କୁକୁଡ଼ା ମୃତ୍ୟୁହାରରେ ବୃଦ୍ଧି ତଥା କୁକୁଡ଼ା ଖାଦ୍ୟ ଦର ବୃଦ୍ଧି ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି କୁହାଯାଉଛି । ଗତ କିଛି ଦିନ ହେବ ଏହି ଦର ବୃଦ୍ଧି ହୋଇଛି । ବଜାର ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସାରା ଦେଶରେ ଏବେ ବିବାହ ଋତୁ ଚାଲିଛି । ବିବାହ ଭୋଜିରେ ଚିକେନ୍ ମେନ୍ୟୁ ମୁଖ୍ୟ ଖାଦ୍ୟ ସାମଗ୍ରୀ ପାଲଟିଛି । କରୋନା କଟକଣା ହଟିଥିବାରୁ ଲୋକଙ୍କୁ ବିବାହରେ ଯୋଗ ଦେବାର କଟକଣା ନାହିଁ । ଫଳରେ ଚାହିଦା ଅନୁସାରେ ଯୋଗାଣ ହୋଇପାରୁନାହିଁ । ଏହାବାଦ ଚଳିତ ବର୍ଷ ଗରମ ପ୍ରବଳ ହେବା ଯୋଗୁ କୁକୁଡ଼ା ଉତ୍ପାଦନ ଉପରେ ପ୍ରଭାବ ପଡିଛି । ଫାର୍ମଗୁଡିକରେ କୁକୁଡା ଗରମ ସହି ନପାରି ମରି ଯାଉଥିବା ଦେଖାଯାଉଛି । ଫଳରେ ଏହା ଯୋଗାଣକୁ ପ୍ରଭାବିତ କରୁଛି । ଅନ୍ୟପକ୍ଷରେ କୁକୁଡା ଉତ୍ପାଦନ ଏବଂ ଯୋଗାଣ କ୍ଷେତ୍ରରେ କାମ କରୁଥିବା କମ୍ପାନିଗୁଡିକୁ ଉତ୍ପାଦନ ଏବଂ ପରିଚାଳନା ଜନିତ ଚାପ ସହିବାକୁ ପଡୁଛି । କୁକୁଡ଼ା ଖାଦ୍ୟ ଦର ବଢ଼ିଥିବାରୁ ସେ ବାବଦରେ ସେମାନଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି । ଅଧିକ ଖର୍ଚ୍ଚକୁ ଖାଉଟିଙ୍କ ଉପରେ ଥୋଇ ଦିଆଯାଉଛି । ଫଳରେ ଚିକେନ୍ ଖୁଚୁରା ଦର ବଢ଼ି ଚାଲିଛି । କୁକୁଡ଼ା ବ୍ୟବସାୟୀଙ୍କ କହିବା ମୁତାବକ, ପୂର୍ବରୁ କୁକୁଡା ଦାନା ପ୍ୟାକେଟ ପିଛା ୧୭୦୦ ଟଙ୍କା ଥିଲା । ତାହା ଏବେ ୨୪୦୦ କୁ ବଢ଼ିଛି । ଫଳରେ କମ୍ପାନି ସେମାନଙ୍କ ଖର୍ଚ୍ଚ ଚାପ କମାଇବା ପାଇଁ ଦର ବଢ଼ାଇଛନ୍ତି । ଯାହାର ପ୍ରଭାବରେ ଚିକେନ ଦର ଏବେ ପ୍ରାୟ ୨୫୦ ଟଙ୍କା ଛୁଇଁଛି । ସେ ପଟେ ହୋଟେଲ ଏବଂ ରେସ୍ତୋରାଁ ଗୁଡିକ ଅଧିକ ଚିକେନ୍ କ୍ରୟ କରୁଥିବାରୁ ସେମାନଙ୍କୁ ବ୍ୟବସାୟୀ କିଲୋ ପିଛା ୨୩୦ ଟଙ୍କାରେ ବିକ୍ରି କରୁଛନ୍ତି । ଏପଟେ କମ୍ପାନିଗୁଡ଼ିକ ନିକଟରେ ଉତ୍ପାଦନ ଏବଂ ବଣ୍ଟନ ଦାୟିତ୍ୱ ରହୁଥିବାରୁ ସେମାନେ ମଧ୍ୟ ବିଭିନ୍ନ ସମୟରେ ଦର ବଢ଼ାଉ ଦେଉଥିବା ଅନ୍ୟ ଜଣେ ବ୍ୟବସାୟୀ ଅଭିଯୋଗ ଆଣିଛନ୍ତି । ସାଧାରଣ ଗ୍ରାହକ ୨୪୦ ଟଙ୍କାରୁ ୨୫୦ ଟଙ୍କାରୁ ଟଙ୍କାରେ କିଣୁଥିବା ବେଳେ ଦରକୁ ନେଇ ଅସନ୍ତୋଷ ପ୍ରକଟ କରୁଛନ୍ତି । ଇଦ୍ ପରଠାରୁ ଏଭଳି ଦରବୃଦ୍ଧି ଦେଖାଯାଇଛି । ଏଭଳି ସ୍ଥିତି ଲାଗି ରହିଲେ ଚିକେନ କିଲୋ ପିଛା ଦର ୩୦୦ ଟଙ୍କା ଛୁଇଁବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।


