ଜମ୍ବେଶ୍ୱରନାଥ ମନ୍ଦିର ପ୍ରତିଷ୍ଠା ଶତବାର୍ଷିକୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ପଞ୍ଚାୟତ ଜମ୍ବେଶ୍ୱରପୁର ଗ୍ରାମରେ ଜମ୍ବେଶ୍ୱରନାଥଙ୍କ ମନ୍ଦିର ପ୍ରତିଷ୍ଠା ଶତବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୯୨୩ ମସିହାରେ ସ୍ଥାନୀୟ ନିବାସୀ ଦୁର୍ଗାଚରଣ ମହାପାତ୍ର ଏହି ମନ୍ଦିରର ପ୍ରତିଷ୍ଠା କରିଥିଲେ । ଧୀରେ ଧୀରେ ମନ୍ଦିର ନଷ୍ଟ ହୋଇ ଯାଇଥିବା ବେଳେ ୮୦ ଦଶକରେ ଗ୍ରାମର ବଦାନ୍ୟ ବ୍ୟକ୍ତି କୃତିବାସ ଆଚାର୍ଯ୍ୟ ଭୂବନେଶ୍ୱରର ଯୋଗେନ୍ଦ୍ର ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହାକୁ ପୁନରୁଦ୍ଧାର କରିଥିଲେ । ପରେ ଏହି ମନ୍ଦିରର ପରିଚାଳନା ନିମନ୍ତେ ଏକ କମିଟି ଗଠନ ସହ ପ୍ରତ୍ୟେକ ବର୍ଷ ବାବା ଜମ୍ବେଶ୍ୱରନାଥଙ୍କ ବାର୍ଷିକ ଉତ୍ସବ ପାଳନ କରାଯାଉଛି । ଚଳିତ ବର୍ଷ ଏହି ଉତ୍ସବ ମନ୍ଦିର ପରିଚାଳନା କମିଟି ର ସଭାପତି ଭବାନୀ ଶଙ୍କର ପାଣିଗାହୀଙ୍କ ନେତୃତ୍ୱରେ ପାଳିତ ହୋଇଛି । ଆୟୋଜିତ ଉତ୍ସବରେ ଅଧିବାସ ସହ ମହିଳାମାନଙ୍କ ଦ୍ୱାରା ୧୦୮ କଳସ ଶୋଭାଯାତ୍ରା, ବାବା ଜମ୍ବେଶ୍ୱରନାଥଙ୍କ ରୁଦ୍ରାଭିଷେକ ଏବଂ ଯଜ୍ଞାଦି କର୍ମକାଣ୍ଡ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପୁରୋହିତ ପୀତବାସ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ପ୍ରତିଷ୍ଠା ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବେଦଜ୍ଞ ବ୍ରାହ୍ମଣ ଯୋଗଦେଇ ଶ୍ରଦ୍ଧା ଓ ଭକ୍ତିର ସହ ଯଜ୍ଞ କର୍ମକାଣ୍ଡ ସମ୍ପାଦନ କରିଥିଲେ । ଜମ୍ବେଶ୍ୱରପୁର ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଏହି ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ବାବା ଜମ୍ବେଶ୍ୱରନାଥଙ୍କୁ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରରେ ସାମୂହିକ ପ୍ରସାଦ ସେବନ କରାଯାଇଥିଲା । ଉତ୍ସବର ଶେଷ ଦୁଇ ଦିନ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସହଯୋଗରେ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


