ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ ଅଧିନ ଆର୍ଯ୍ୟପଲ୍ଲୀ ଅଂଚଳର ସମସ୍ତ ବାସହୀନ ପରିବାରଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବା ଦାବି ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆର୍ଯ୍ୟପଲ୍ଲୀ ଅଂଚଳର ଦୀର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ୱ ଧରି ୫୦୦ ଟି ଦଳିତ ଧୀବର ପରିବାର ଆବାଦୀ ଯୋଗ୍ୟ ଅନାବାଦୀ ବସ୍ତିରେ ବାସ କରି ଆସୁଛନ୍ତି । ହେଲେ, ଏ ପର୍ଯ୍ୟନ୍ତ ସେମାନଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଘର ପଟ୍ଟା ମିଳିଲା ନାହିଁ । ଯାହା ଫଳରେ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେମାନଙ୍କ ପଟ୍ଟା ପାଇଁ ଅନେକ ଥର ତହସିଲଦାରଙ୍କ ଠାରୁ ନେଇ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ସେପଟେ ଘର ପଟ୍ଟା ନଥିବାରୁ ବ୍ୟାଙ୍କ ଋଣ ଦେଉନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ପାଠପଢା କିମ୍ବା ଚାକିରି ପାଇଁ ପିଲାଙ୍କୁ ଆବାସିକ ପ୍ରମାଣପତ୍ର ମିଳୁନଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି । ତୁରନ୍ତ ଘର ପଟ୍ଟା ପ୍ରଦାନ କରାନଗଲେ ଆଗାମୀ ଦିନରେ ମାନ୍ୟବର ହାଇକୋର୍ଟ ର ଆଶ୍ରୟ ନିଆଯିବ ବୋଲି ଭାରତୀୟ ବିକାଶ ମଂଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଭାରତୀୟ ବିକାଶ ପରିଷଦର ରାଜ୍ୟ ସମ୍ପାଦକ ରାଜେନ୍ଦ୍ର ଦଳ ବେହେରା,, ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ, ଗୁରୁଦେବ ବେହେର. ସିପିଆଇ ନେତା ଏନ୍. ସୁକାନ୍ତ ଆଚାରୀଙ୍କ ସମେତ ଶତାଧିକ ଅଂଚଳ ବାସୀ ମାନେ ସାମିଲ ଥିଲେ ।