ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଗ୍ରାମକୁ ମାଟି ରାସ୍ତା । ଅସରାଏ ବର୍ଷାରେ ରାସ୍ତାରେ ଯିବା କଷ୍ଟକର ହୋଇପଡୁଛି । ଏପରି ଅବସ୍ଥା ଦେଖିବାକୁ ମିଳିଛି ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମର ନାୟକ ସାହି ଠାରୁ କନ୍ତିଆ ଶାସନ ପର୍ଯ୍ୟନ୍ତ ୫ ଶହ ମିଟର ରାସ୍ତା । ଏହି ରାସ୍ତା ଉପରେ ଶାସନ, ଯେନାସାହିର ଶତାଧିକ ଲୋକ ନିର୍ଭର କରିଥାନ୍ତି । ସେହିପରି ସ୍କୁଲ ଓ କଲେଜକୁ ପିଲାମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଜନପ୍ରତିନିଧି ମାନଙ୍କ ପ୍ରତିଶୃତି ପାଣିର ଗାର ହୋଇଛି । ଏସଂପର୍କରେ ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ବର୍ଷା ଦିନ ପୂର୍ବରୁ ଉକ୍ତ ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରା ନଗଲେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ।


