ଦୁଇଦିନିଆ ଆଜାଦୀ କା ଅମୃତ ମହୋତ୍ସବ ଉଦଯାପିତ
କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-କୋଣାର୍କ ଥାନା ଅଧିନସ୍ଥ ବନାଖଣ୍ଡି ଗ୍ରାମପଞ୍ଚାୟତର ମାଙ୍କରଗୋରଡି ଗ୍ରାମ ଠାରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଗତ ୨୪ ଠାରୁ ଆରମ୍ଭ ହୋଇଥିବା ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ ଭାରତ ସ୍ୱାଧୀନତାରେ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଯଶସ୍ବୀ ମହାପୁରୁଷ ମାନଙ୍କ ଅମ୍ଲାନ କୀର୍ତର ସ୍ମୃତିଚାରଣ ନିମନ୍ତେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସଚେତନ ଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶ ପ୍ରେମ ଓ ଭକ୍ତିର ମହାନ ପରାକାଷ୍ଠା ପ୍ରଦର୍ଶନର ଏକ ସ୍ୱତନ୍ତ୍ରତା ବହନ କରୁଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସଂସଦର ରାଜ୍ୟ ଆବାହକ ପଣ୍ଡିତ ତ୍ରିଲୋଚନ ମିଶ୍ର, ସଂସ୍କୃତି ଗବେଷକ ଶକ୍ତି ପ୍ରସାଦ ଶତପଥୀ, ବନାଖଣ୍ଡି ସରପଞ୍ଚ ପ୍ରଜ୍ଞା ପରମିତା ନାୟକ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରାନ୍ତୀୟ ସହ ନିର୍ଦେଶକ ଜିତେନ୍ଦ୍ର କୁମାର ପ୍ରଧାନ, ରାଜ୍ୟପାଳପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ ଓ କ୍ଷେତ୍ର ପ୍ରଚାର ଅଧିକାରୀ ମନ ମୋହନ ପାଢୀ ପ୍ରମୁଖ ଯୋଗ ଦେଇ ମହାପୁରୁଷ ମାନଙ୍କ ଦେଶ ପ୍ରତି ଅମ୍ଲାନ କୀର୍ତର ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବ ସଂଗଠକ ବାବନ କୁମାର ନାୟକ, ନିରଂଜନ ସ୍ୱାଇଁ, ବନାଖଣ୍ଡି ବିଜେପି ସଭାପତି ବିଜୟ କୁମାର ସ୍ୱାଇଁ ଓ ପ୍ରଭାତ କୁମାର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


