ନିର୍ବାକ ପ୍ରେମରୁ ଖଇର ଓ ଇତିହାସଙ୍କ ସାଂସାରିକ ସୁଖୀ ଜୀବନର ବାର୍ତ୍ତା
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :- ପ୍ରେମ ପାଇଁ ଆଉ କିଛି ନୁହେଁ କେବଳ ପ୍ରେମ ହିଁ ଲୋଡା । କଥା କହିନପାରିଲେ କ’ଣ ହେଲା ହୃଦୟକୁ ବୁଝିବା ଭଳି ହୃଦୟଟିଏ ଦରକାର । କେନ୍ଦୁଝରର ଦିବ୍ୟାଙ୍ଗ ଝିଅ ଖଇର ଓ ମୟୁରଭଞ୍ଜର ଦିବ୍ୟାଙ୍ଗ ପ୍ରେମିକ ଇତିହାସଙ୍କୁ ଜୀବନସାଥୀ ଭାବେ ପାଇବା ପରେ ଏହା ପୁଣି ଥରେ ପ୍ରମାଣିତ ହୋଇଛି । ଏମାନଙ୍କ ପ୍ରେମ ବିବାହ ଏବେ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟିବାରେ ଲାଗିଛି । କେନ୍ଦୁଝର ମନୋଜ ମଞ୍ଜରୀ ଶିଶୁ ଭବନରେ ପଢୁଥିଲେ ଉଭୟ ଖଇର ଓ ଇତିହାସ । ଅଲଗା ଅଲଗା ଶ୍ରେଣୀରେ ପଢୁଥିଲେ ବି ଦୁହିଁଙ୍କ ମଧ୍ୟରେ ପରିଚୟ ଥିଲା । ପଢା ଶେଷ ହେବା ପରେ ଇତିହାସ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମ କରିବାକୁ ଚାଲି ଯାଇ ଥିଲେ । ଆଉ ଖଇର ଘରେ ରହିଯାଇଥିଲେ । ହଠାତ୍ ଉଭୟଙ୍କର ଫେସବୁକ ପ୍ଲାଟଫର୍ମରେ ଭେଟ ହୋଇଥିଲା । ଓଠ ସିନା କିଛି କହିପାରୁନଥିଲା ହେଲେ ଲେଖା ରେ ଲେଖାରେ ଉଭୟଙ୍କ ମନ ମିଶିଥିଲା । ଦିନେ ଭିଡିଓ କଲ କରି ଇତିହାସ ଖଇରଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ ପ୍ରସ୍ତାବ ଦେଇଥିଲେ । ସେତେବେଳକୁ ଖଇର ବି ମନେ ମନେ ଇତିହାସକୁ ଆପଣାର କରିସାରିଥିଲେ । ତେଣୁ ଆଉ ବିଳମ୍ବ ନକରି ତାଙ୍କ ପ୍ରେମ ଆଉ ବିବାହ ପ୍ରସ୍ତାବରେ ରାଜି ହୋଇଥିଲେ ଖଇର । ଘରେ ବିବାହ କଥା ପଡିବାରୁ ବାପା, ମା’ଙ୍କୁ ଖଇରିଙ୍କ କଥା କହିଥିଲେ ଇତିହାସ । ପ୍ରଥମେ ପ୍ରଥମେ ଘର ଲୋକ ଏଥିରେ ରାଜି ନଥିଲେ ବି ପରେ ରାଜି ହୋଇଥିଲେ । ଶେଷରେ ଉଭୟ ପରିବାର ଙ୍କ ସହମତିରେ ଖଇରି ଓ ଇତିହାସ ପବିତ୍ର ବିବାହ ବନ୍ଧନରେ ବାନ୍ଧି ହୋଇ ଗଢିଛନ୍ତି ନୂଆ ସଂସାର । ଖଇର କେବଳ ସ୍ୱାମୀଙ୍କର ନୁହେଁ ଆଖାପାଖ ଲୋକଙ୍କ ପାଇଁ ପାଲଟିଛନ୍ତି ଅଲିଅଳି । ଖଇରିଙ୍କ ବ୍ୟବହାରରେ ଘର ଲୋକଙ୍କ ଠାରୁ ସାହିପଡିଶା ସମସ୍ତେ ଭାରି ଖୁସି । ଏବେ ସମାଜରେ ପ୍ରେମ ପ୍ରତାରଣାକୁ ନେଇ ଅପରାଧ ବଢୁଥିବା ବେଳେ ଖଇର ଓ ଇତିହାସଙ୍କ ପ୍ରେମ କାହାଣୀ ଯୁବ ସମାଜ ପାଇଁ ଏକ ସୁଖୀ ଦାମ୍ପତ୍ୟ ଜୀବନର ବାର୍ତ୍ତା ନିଶ୍ଚୟ ।


