ଚାରିଛକ ଫାଣ୍ଡି କୁ ଥାନାର ମାନ୍ୟତା ଦାବି
ନିମାପଡ଼ା, (ସନ୍ତୋଷ ଦାଶ ) :-ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ଚାରି ଛକ ଠାରେ ୧୯୮୧ ମସିହାରେ ଏକ ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା । ଭୋଦର, କଳାପାଞ୍ଚଣ, ତୁଳସୀପୁର, ବାହାରଣା, ତମ୍ପାଳୋ, ଛଣିଜଙ୍ଗ ପ୍ରଭୁତି ଛଅଟି ପଞ୍ଚାୟତ ର ୮୯ ଟି ଗ୍ରାମକୁ ନେଇ ଫାଣ୍ଡି ଟି ଗଠିତ ହୋଇଥିଲା। ଚାରିଛକ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ଏଠାରୁ ଚାରି ଦିଗକୁ ଅର୍ଥାତ ପୁରୀ ଭାୟା ଗୋପ, ଭୁବନେଶ୍ୱର ଭାୟା ପିପିଲି,ନିମାପଡା, କଟକ ଭାୟା ନିଆଳି, ଫୁଲନଖରା , ଅସ୍ତରଙ୍ଗ ଭାୟା କାକଟପୁର, ନୟାହାଟ ପ୍ରଭୁତି ସ୍ଥାନ କୁ ଯିବାକୁ ପଡ଼ିଥାଏ । ଚାରିଛକ ବାଟ ଦେଇ କଟକ,ପୁରୀ ,ଭୁବନେଶ୍ୱର ,କୋଣାର୍କ, କାକଟପୁର, ଅସ୍ତରଙ୍ଗ, ରାଉର କେଲା, କଲିକତା, ପାରାଦ୍ଵିପ ପ୍ରମୁଖ ସ୍ଥାନକୁ ଶତାଧିକ ଯାତ୍ରୀବାହୀ ବସ ଯାତାୟାତ କରିଥାନ୍ତି । କୋଣାର୍କ ର ସୂର୍ଯ୍ୟମନ୍ଦିର, ପୁରୀ ର ଶ୍ରୀ ଜଗନ୍ନାଥ ମନ୍ଦିର ,ଅସ୍ତରଙ୍ଗ ର ଜାହାନିଆପିର, କାକଟପୁର ର ମା ମଙ୍ଗଳା ମନ୍ଦିର, ଚୌରାଶି ର ବରାହୀ ମନ୍ଦିର ,ମାଧବ ର ମାଧବାନନ୍ଦ ମନ୍ଦିର କୁ ଏହି ବଜାର ଦେଇ ବହୁ ପର୍ଯ୍ୟଟକ, ଯାତ୍ରୀ ଯାତାୟାତ କରିଥାନ୍ତି । ଏଠାରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଶବ ବ୍ୟବଚ୍ଛେଦ କେନ୍ଦ୍ର , ମହିଳା ମହାବିଦ୍ୟାଳୟ , ବିଭିନ୍ନ ବ୍ୟାଙ୍କ ର ଶାଖା ରହିଛି । ସ୍ଥାନୀୟ ମହିଳା କଲେଜ କୁ ପ୍ରତିଦିନ ତିନି ହଜାରରୁ ଅଧିକ ଛାତ୍ରୀ ଅଧ୍ୟୟନ ଲାଗି ଆସି ଥାନ୍ତି । ପ୍ରାୟ ସାତ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଏହି ଫାଣ୍ଡିରେ ଭଲ ଗାଡ଼ି ଖଣ୍ଡିଏ ନାହିଁ ।ଫାଣ୍ଡିରେ ଷ୍ଟାଫ କମ୍ ଥିବାରୁ ବିଭିନ୍ନ ସମୟରେ ଅପରାଧୀ ମାନେ ଅପରାଧ ଘଟାଇ ଫେରାର ହୋଇ ଯାଉଛନ୍ତି ।ଯେହେତୁ ଏହି ବଜାର ଟି କଟକ ,ଜଗତସିଂପୁର ଓ ପୁରୀ ଜିଲ୍ଲା ସୀମାରେ ରହିଛି ବହୁ ଚୋରା ବ୍ୟବସାୟୀ ଚୋରା ମାଦକ ଦ୍ରବ୍ୟ ଆଣି ଏ ଅଞ୍ଚଳରେ କାରବାର କରି ଖସିଯାଉଛନ୍ତି। ଫାଣ୍ଡିକୁ ଥାନା ମାନ୍ୟତା ଲାଗି ଜନ ସାଧାରଣଙ୍କ ପକ୍ଷରୁ ବାରମ୍ବାର ଦାବି ସତ୍ତ୍ୱେ ରାଜ୍ୟ ସରକାର ଙ୍କ ପକ୍ଷରୁ ତଦନ୍ତ କରାଯାଇ ଫାଣ୍ଡି କୁ ଥାନା ର ମାନ୍ୟତା ମିଳିବ ବୋଲି ସୂଚନା ଦିଆଯାଇଥିଲା ।ମାତ୍ର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ନଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ଫାଣ୍ଡିକୁ ଥାନାର ମାନ୍ୟତା ସମ୍ପର୍କରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର ଙ୍କୁ ପଚାରିବାରେ ଫାଣ୍ଡି କୁ ଥାନା କରାଯିବାକୁ ଫିଜିବିଲିଟି ରିପୋର୍ଟ ପଠାଯାଇଛି ।ରିପୋର୍ଟ ର ଉତ୍ତର କିଛି ଉପରୁ ଆସିନାହିଁ । ଫାଣ୍ଡିକୁ ଥାନା ଘୋଷଣା କରାଯିବା ଲାଗି ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ, ସନାତନ ପାତ୍ର , କୃଷ୍ଣ ଚନ୍ଦ୍ର ରାଉତ, ଗୋପୀନାଥ କର ସମେତ ଚାରି ଛକ ପ୍ରେସ କ୍ଲବ୍ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦାବି ହେଉଛି ।