ସହଯୋଗର ହାତ ବଢାଇଲା ମାର୍ୱାଡ଼ି ମହିଳା ସମିତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଖରା ଛୁଟି ଚାଲିଛି । ଛୁଟି ପରେ ସ୍କୁଲ୍ ଖୋଲିବ । ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । କିଭଳି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସି ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ, ଏ ନେଇ ରାଜଧାନୀ ଉପକଣ୍ଠରେ ଥିବା ଚନ୍ଦକା-ଡମ୍ପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଅବସ୍ଥିତ ଆଦିବାସୀପଲ୍ଲୀ କନ୍ଦଳେଇ ଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାର ଜଣାପଡ଼ିଛି । ସୂଚନାଯୋଗ୍ୟ, ଫନି ବାତ୍ୟାରେ ବିଦ୍ୟାଳୟରେ ଲାଗିଥିବା ଦୁଇଟି ସିଲିଂ ପଙ୍ଖା ନଷ୍ଟ ହୋଇଯାଇଥିଲା । ଯଦ୍ୱାରା ବିଦ୍ୟାର୍ଥୀମାନେ ଶ୍ରେଣୀଗୃହରେ ତାତିରେ ଆଉଟ ପାଉଟ ହୋଇଯାଆନ୍ତି । ପାଠରେ ମନ ଲାଗୁନଥିଲା । ବିଦ୍ୟାର୍ଥୀମାନଙ୍କର ଏତାଦୃଶ ଖବର ଶୁଣି କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ମାର୍ୱାଡି ମହିଳା ସମିତି ପକ୍ଷରୁ ସରକାରୀ କନ୍ଦଳେଇ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଦୁଇଟି ସିଲିଂ ପଙ୍ଖା ଯୋଗାଇ ଦେଇଥିବା ବେଳେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ପ୍ରତିଟି ଆଦିବାସୀ ବିଦ୍ୟାର୍ଥୀମାନଙ୍କୁ ଖାତା, କଲମ, ପେନ୍ସିଲ୍, ସ୍ଲେଟ, ରବର, ଡ୍ରଇଁ ବାକ୍ସ ଇତ୍ୟାଦି ପାଠ୍ୟ ଉପକରଣ ଯୋଗାଇ ଦେଇଛି । ସମିତିର ସଭ୍ୟା ସନ୍ତୋଷୀ ଜୈନ, ସାମାଜିକ କର୍ମୀ ରାମଚନ୍ଦ୍ର ସାହୁ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା ଓ ସୁଶାନ୍ତ ସାହୁଙ୍କ ଉପସ୍ଥିତିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀଙ୍କୁ ପାଠ୍ୟ ଉପକରଣ ସାମଗ୍ରୀ ସହ ଦୁଇଗୋଟି ସିଲିଂ ପଙ୍ଖା ହସ୍ତାନ୍ତରିତ କରାଯାଇଛି । ଗାଁର ବିକାଶ ନେଇ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ସୁଶାନ୍ତ ସାହୁ କୁହନ୍ତି, ଆଗାମୀ ଦିନରେ ବିଦ୍ୟାର୍ଥୀ ଏବଂ ବିଦ୍ୟାଳୟର ବିକାଶ ପାଇଁ ପରିବେଶ ଉପଯୋଗୀ ବିଦ୍ୟାଳୟ ସୃଷ୍ଟି ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଏହି ଅବସରରେ ସୂଚନା ଦେଇଥିଲେ । ମାର୍ୱାଡି ମହିଳା ସମିତିର ଏତାଦୃଶ ପଦକ୍ଷେପକୁ ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରସାଦ ଡ଼େଙ୍ଗ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି ।


