ଚୋରା ପଥର ଚିପ୍ସ ବୋଝେଇ ହାଇୱାକୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ
ଘଟଗାଁ(ଯୁଗାବ୍ଦ ନ୍ୟୁଜ୍) : ଘଟଗାଁ ବ୍ଲକ ଶ୍ରୀ ଦୁର୍ଗା କନଷ୍ଟ୍ରକସନ କମ୍ପାନୀର ଏକ କ୍ରସରରୁ ବେଆଇନ୍ ଭାବେ ବିଭିନ୍ନ ସ୍ଥାନକୁ ପଥର ଚିପ୍ସ ଚୋରା ଚାଲାଣ କରାଯାଉଥିବାର ଗତ କିଛି ଦିନ ହେବ ସ୍ଥାନୀୟ ଲୋକେ ଜିଲ୍ଲାପାଳ, ତହସିଲଦାରଙ୍କ ପାଖରେ ଅଭିଯୋଗ କରିଆସୁଥିଲେ । ତେବେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବାରୁ ଗତ କାଲି ବିଳମ୍ବିତ ରାତିରେ ସ୍ଥାନୀୟ ଲୋକେ କମ୍ପାନୀର ଦୁଇଟି ପଥର ଚିପ୍ସ ବୋଝେଇ ହାଇୱାକୁ ଘଟଗାଁ-ହରିଚନ୍ଦନପୁର ରାସ୍ତାରେ ଅଟକାଇ ପୋଲିସର ଜିମା ଦେଇଛନ୍ତି । ଘଟଗାଁ ପୋଲିସ ଦୁଇ ହାଇୱାକୁ ଥାନାକୁ ଆଣିବା ସହ କାଗଜ ପତ୍ର ଯାଂଚ କରୁଛି ଓ ଦୁଇ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟ ପକ୍ଷରେ ଦୀର୍ଘ ଦିନରୁ ଦୁର୍ଗା କମ୍ପାନୀ କିଛି ସରକାରୀ ଅଧିକାରୀଙ୍କୁ ମୋଟା ଅଙ୍କର ଲାଂଚ ଦେଇ ଏହିପରି ବିନା ଟିପି ଚାଲାଣରେ ଶହ ଶହ ଟ୍ରିପ ପଥର ଚିପ୍ସ ବିକ୍ରି କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଥି ସହିତ ବିନା ଲିଜ୍ ରେ ଦୁର୍ଗା କମ୍ପାନୀ ଜଙ୍ଗଲ ଭିତରେ ବ୍ଲାଷ୍ଟିଙ୍ଗ କରି ପଥର ଆଣୁଥିବା ମଧ୍ୟ ଲୋକ ମାନେ ଅଭିଯୋଗ କରିଛନ୍ତି ଓ ଏଥି ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ଅନୁସାରେ ବିଗତ ୮ ରୁ ୧୦ ବର୍ଷ ହେବ ଘଟଗାଁ ବ୍ଲକ୍ ଅନ୍ତର୍ଗତ ଖଂଟଘର ପଂଚାୟତ ନିକଟବର୍ତୀ ଟମକିଆ ସାହି ନିକଟରେ ଦୁର୍ଗା କନଷ୍ଟ୍ରକସନ୍ ନାମକ ୨୦୦ ଟିପିଏଚ୍ ଷ୍ଟନ୍ କ୍ରସନ ବିନା ସ୍ଥାୟୀ ଲିଜ୍ରେ ଅସ୍ଥାୟୀ ପରମିଟ୍ ଅର୍ଡରରେ ଏହି କ୍ରସର ଚାଲୁ କରାଯାଉଛି ବୋଲି ଲୋକେ ପ୍ରକାଶ କରିଛନ୍ତି । ଏହି ଖଣୀରେ କ୍ରସରରେ ଆଇନ ଉଲ୍ଲଘ୍ନ କରି ବେଆଇନ ଭାବେ ଖଣି ଉତୋଳନ କରି ପ୍ରତ୍ୟେକ ଦିନ ବଡ ବଡ ଗାଡି ସାହାଯ୍ୟରେ ହଜାର ହଜାର ଟନ୍ର ପଥର ଚିପ୍ସ ବାହାରକୁ ଦିନ ନାହିଁ ରାତି ନାହିଁ ସବୁବେଳେ ଚାଲାଣ କରାଯାଉଛି । ଆହୁରି ମଧ୍ୟ ଶ୍ରୀ ଦୁର୍ଗା କନଷ୍ଟ୍ରକସନ କମ୍ପାନୀ ସରକାରଙ୍କ ଖଣି ନିୟମ ଅନୁଯାୟୀ କୌଣସି କାର୍ଯ୍ୟ ଠିକ୍ ଭାବେ କରିନାହିଁ ଲିଜ୍ଧାରୀ ଲିଜ୍ ନେବା ପରେ ଲିଜ୍ ନେଇଥିବା ଅଂଚଳକୁ ପାଚେରୀ ବୁଲାଇବା ସହିତ ସୂଚନା ଫଳକ ଲଗାଇବା କଥା କିନ୍ତୁ ତାହା ମଧ୍ୟ କରିନାହିଁ । ଯାହା ଫଳରେ ଅତିଚତୁରତାର ସହିତ ଲିଜ୍ ନିଆଯାଇଥିବା ସିମା ପାର କରି ଖଣିଖନନ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ୧୦ ମିଟର ଗାତରେ ଖଣିଖନନ କରାଯାଉଅଛି । ଫଳରେ ବନ୍ୟଜନ୍ତୁ ଓ ଗାଁର ଗାଇ, ବଳଦ ସମେତ ଅନେକ ଲୋକଙ୍କର ଜୀବନ ହାନୀ ହେଉଥିବା ଶୁଣିବାକୁ ମିଳୁଛି । ନିୟନ ଅନୁସାରେ ଖଣିଖନନ କରାଯାଇଥିବା ଗାତ ଗୁଡିକୁ ମାଟି ଭରଣ କରି ସମତଳ କରିବା କଥା କିନ୍ତୁ ତାହା ମଧ୍ୟ ଆଜି ପର୍ଯ୍ୟନ୍ତ କରୁନଥିବା ଦେଖିବାକୁ ମିଳୁଛି । ତାସହିତ ଖଣିର ଚତୁର୍ପାଶ୍ୱରେ ୭ମିଟର ସୁରକ୍ଷା ଜୋନ ରହିବା କଥା କିନ୍ତୁ ତାହା ମଧ୍ୟ ନାହିଁ । ଯେଉଁଥିରେ ବଡ ଧରଣର ଦୁର୍ଘଟଣା ହେବାର ଆଶଂଙ୍କା ରହିଅଛି । ବିନା ସୁରକ୍ଷା ବଳରେ ଖଣୀ ଉତୋଳନ କରିଚାଲିଛନ୍ତି । ଏଥିସହିତ ଦିନବେଳେ ହେଭି ବ୍ଲାଷ୍ଟିଂ ଦ୍ୱାରା କ୍ରସର ନିକଟରେ ଥିବା ଘର ଗୁଡିକର କାନ୍ଥ ଫାଟି ଯାଉଥିବା ଲୋକେ ଅଭିଯୋଗ ଆଣିଛନ୍ତି । ସବୁଠାରେ ଦୃଷ୍ଟି ଦେବାର ବିଷୟ ଏହାକି ସାରା ବିଶ୍ୱ ବର୍ତମାନ ବାୟୁ ପ୍ରଦୁଷଣକୁ ନେଇ ଚିନ୍ତିତ କିନ୍ତୁ ଏଠାରେ ଦିନରାତି କ୍ରସର ଚଲାଇ ପ୍ରଦୁଷଣ କରୁଛନ୍ତି । ଯାହାଫଳରେ ନିକଟବର୍ତି ଚାଷଜମି ଗୁଡିକରେ ଚାଷ ଠିକ୍ସେ ହେଉନଥିବା ସହିତ ଧୂଳିଧୂଆଁରେ ଅନେକ ଲୋକେ ବିଭିନ୍ନ ପ୍ରକାର ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ସ୍ଥାନୀୟ ଲୋକେ କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ସବୁଠାରୁ ଦୁଃଖର ବିଷୟ ଏହାକି ଏ ସମସ୍ତ କାମ ଖୁଲମ ଖୁଲା ବ୍ଲକ୍ ପ୍ରଶାସନ ଆଖି ଆଗରେ ଚାଲୁଥିଲେ ମଧ୍ୟ ଏଥିପ୍ରତି ବ୍ଲକ୍ ପ୍ରଶାସନର ଦୃଷ୍ଠି ପଡୁନାହିଁ କାହିଁକି ? ଯାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ଲୋକେ ସରକାରୀ ବାବୁ ମାନଙ୍କର କାର୍ଯ୍ୟପ୍ରତି ସନ୍ଦେହ ସୃଷ୍ଟି ହେଉଥିବା ଜଣାପଡିଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ବ୍ଲକ୍ ପ୍ରଶାସନ ପାଖରେ ଅଭିଯୋଗ କରିଆସୁଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ ଏ ସମ୍ପର୍କରେ ସବୁବେଳେ ପଛଘୁଂଚା ଦେଉଥିବା ମଧ୍ୟ ସ୍ଥାନୀୟଲୋକେ ପ୍ରକାଶ କରିଛନ୍ତି । ତେବେ ଲୋକମାନଙ୍କର କହିବା କଥା ଏଥିପ୍ରତି ଜିଲ୍ଲା ପ୍ରଶାସନ ଯଥାଶିଘ୍ର ଦୃଷ୍ଠି ଦେଇ ଦୁର୍ଗା କନଷ୍ଟ୍ରକସନ କ୍ରସର ବିରୋଧରେ ଯଥାବିଦ୍ଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କ୍ରସରଟିକୁ ସବୁଦିନ ପାଇଁ ବନ୍ଦ କରାଯାଉ ବୋଲି ପ୍ରକାଶ କରିଛନ୍ତି । ନଚେତ ଆଗାମି ଦିନରେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଉହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି ।


