ଗଜରାଜପୁର ଓ ତିରୁଣା ସମବାୟ ସମିତି ନିର୍ବାଚନ : ସମବାୟ ସମିତିରେ ଧର୍ମଗୁଳାରେ ୩ଜଣ ବିଜୟୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକର ୬ଟି ସମବାୟ ସମିତି ମଧ୍ୟରୁ ରବିବାର ୨ଟି ସମବାୟ ସମିତିରେ ନିର୍ବାଚନ ଶେଷ ହୋଇଛି । ଗଜରାଜପୁର ସମବାୟ ସମତିରେ ୧୫ଟି ଜୋନ୍ ପାଇଁ ନିର୍ବାଚନ ହୋଇଥିବା ବେଳେ ତିରୁଣା ସମବାୟ ସମିତିର ୧୫ଟି ଜୋନ ମଧ୍ୟରୁ ୬ଟି ଜୋନରେ ଅପ୍ରତିଦ୍ୱନ୍ଦୀ ଭାବେ ପ୍ରାର୍ଥୀ ନିର୍ବାଚିତ ହୋଇଥିବାରୁ ବାକି ୯ଟି ଜୋନ୍ ପାଇଁ ନିର୍ବାଚନ ହୋଇଥିଲା । ଗଜରାଜପୁର ସମବାୟ ସମିତିରେ ୪୭୦ଭୋଟର ମତ ସାବ୍ୟସ୍ତ କରିବାର ଥିବା ବେଳେ ୪୨୮ଜଣ ଭୋଟର ମତ ସାବ୍ୟସ୍ତ କରିଥିଲେ । ସେହିପରି ତିରୁଣା ସମବାୟ ସମିତିରେ ୮୬ଜଣ ଭୋଟର ମତ ସାବ୍ୟସ୍ତ କରିବାର ଥିବା ବେଳେ ୮୪ଜଣ ଭୋଟର ମତ ସାବ୍ୟସ୍ତ କରିଥିଲେ ମଧ୍ୟ ସେଥିମଧ୍ୟରୁ ୨ଟି ଭୋଟ ନାକଚ ହୋଇଥିବା ଜଣାଯାଇଛି । ତିରୁଣା ସମବାୟ ସମିତିରେ ୩ଟି ଜୋନ୍୍ରେ ଉଭୟ ପ୍ରାର୍ଥୀଙ୍କର ସମାନ ସଂଖ୍ୟକ ଭୋଟ ହୋଇଥିବାରୁ ଧର୍ମଗୁଳା ମାଧ୍ୟମରେ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଗଜରାଜପୁରରେ ନିର୍ବାଚନ ଅଧିକାରୀ ଭାବେ ଅମର କୁମାର ମଲ୍ଲିକ ନିର୍ବାଚନ ପରିଚାଳନା କରିଥିବା ବେଳେ ତିରୁଣାରେ ଚିତରଂଜନ ନାୟକ ନିର୍ବାଚନ ପରିଚାଳନା କରିଥିଲେ । ଉଭୟ ବୁଥକୁ ବିଡିଓ ରଶ୍ମୀରେଖା ମଲ୍ଲିକ ବୁଲି ଦେଖିଥିଲେ । ଶାନ୍ତିଶୃଙ୍ଖଳା ସହ ଉଭୟ ବୁଥରେ ନିର୍ବାଚନ ସରିଥିବା ଜଣାଯାଇଛି ।


