ଷଷ୍ଠ ବାଲେଶ୍ୱର ଜିଲ୍ଲା ପରିଷଦର ତୃତୀୟ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :-ଷଷ୍ଠ ବାଲେଶ୍ୱର ଜିଲା ପରିଷଦର ତୃତୀୟ ବୈଠକ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ୱର ଲୋକସଭା ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର ଭଦ୍ରକ ଲୋକସଭା ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଭୋଗରାଇ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଅନନ୍ତ ଦାସ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ସିନ୍ଧେ, ଜିଲ୍ଲା ପରିଷଦ ଉପ-ସଭାପତି ଅନୂସୟା ପ୍ରଧାନ, ସୋର ବିଧାୟକଙ୍କ ପ୍ରତିନିଧି ଅଜୟ କୁମାର ପଣ୍ଡା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ନୀଳଗିରି ଉପ-ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀଙ୍କ ସମେତ ଜିଲା ପରିଷଦ ସଭ୍ୟ/ସଭ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ଜିଲାରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଜିଲାର ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାକୁ ନେଇ ଉପସ୍ଥିତ ବିଧାୟକ ଓ ଜିଲା ପରିଷଦ ସଦସ୍ୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଭିତ୍ତିଭୂମିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିକ୍ଷକ ଅଭାବ ପୂରଣ ନେଇ ଗରୁତ୍ୱ ଦିଆ ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଥିଷଲ । ସେହିପରି ୫-ଟି ରୂପାନ୍ତରିତ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟଗୁଡିକରେ ସ୍ଥିତି ଆହୁରି ଉଦବେଗଜନକ ଥିବା ବେଳେ ଏଥିପ୍ରତି ବିଭାଗ କେବେ ଗୁରୁତ୍ୱ ଦେବ ବୋଲି ସଭ୍ୟମାନେ ପ୍ରଶ୍ନ କରିଥିଲେ । ଅନୁରୂପ ଭାବେ ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଉପସ୍ଥିତ ଜିଲା ପରିଷଦ ସଦସ୍ୟ ତଥା ବିଧାୟକମାନ କ୍ଷୋଭ ପ୍ରକାଶ ସହ ଖାଲିପଡ଼ିଥିବା ଡାକ୍ତର ପଦ କେବେ ପୂରଣ ହେବ ବୋଲି ପ୍ରଶ୍ନ କରିଥିଲେ । ଜିଲାରେ ମାତ୍ର ୭୮ ଜଣ ଡାକ୍ତର ଥିବା ବେଳେ ଏଥିରୁ ବହୁ ଡାକ୍ତର ନିଯୁକ୍ତି ପିଏଚସି ଓ ସିଏଚସିକୁ ଯାଉ ନାହାନ୍ତି । କେତେକ ପିଏଚସିରୁ ଡାକ୍ତରଙ୍କୁ ଆଣି ସିଏଚସିରେ ଅବସ୍ଥାପିତ କରିବା ଫଳରେ ସେଠାରେ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି । ଅନ୍ୟପକ୍ଷରେ ଜିଲ ପାଇଁ ମଞ୍ଜୁର ୧୬୬ ଡାକ୍ତର ପଦ କେବେ ପୂରଣ ହେବ ତାହାକୁ ନେଇ ସମସ୍ତେ ଉଦବେଗ ପ୍ରକାଶ କରିଥିଲେ । ସେହିପରି ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କିତ ଆଲୋଚନାରେ ବିଶେଷଜ୍ଞ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଅଭାବ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ସ୍ୱାସ୍ଥ୍ୟସେବାକୁ ପ୍ରଭାବିତ କରୁଥିବାରୁ ଏ ଦିଗରେ ବିଶେଷ ବ୍ୟବସ୍ଥା କରିବାକୁ ସଦସ୍ୟ-ସଦସ୍ୟାମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ସିନ୍ଧେ ବିଭାଗୀୟ ଅଧିକାରୀମାନଙ୍କୁ ଏସବୁର ସମାଧାନ ପାଇଁ ବିହିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ସମ୍ପ୍ରତି ଚାଲିଥିବା ବିଭିନ୍ନ ପ୍ରକଳ୍ପ କାମଗୁଡିକୁ କିଭଳି ତ୍ୱରାନ୍ୱିତ କରାଯାଇପାରିବ ସେ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସହିପରି ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏମିତିକି ପୌରପାଳିକା ପକ୍ଷରୁ ଜିଲାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଅଧପନ୍ତରିଆ କାର୍ଯ୍ୟକୁ ନେଇ ଆଜିର ବୈଠକରେ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରାୟ କାର୍ଯ୍ୟରେ ଗୁଣବତ୍ତା ରହୁ ନଥିବା ବେଳେ ଧାର୍ଯ୍ୟ ସମୟଠାରୁ ବହୁ ବିଳମ୍ବରେ ସମ୍ପୂର୍ଣ୍ଣ ହେବା ପଛର କାରଣ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନେ ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷରେ ଉତ୍ତର ଓଡିଶାର କେନ୍ଦ୍ରସ୍ଥଳ ଭାବେ ବାଲେଶ୍ୱରରେ ଏକ କୃଷି ମହାବିଦ୍ୟାଳୟ ଓ କୃଷି ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ କରିବାକୁ ବୈଠକରେ ନିଷ୍ପତି ହୋଇଥିଲା । ବୈଠକ ଶେଷରେ ଜିଲ୍ଲା ପରିଷଦ ଉପସଭାପତି ଅନୂସୟା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ