ବଡ ରାଧାକାନ୍ତ ମଠ ପରିଚାଳନା କମିଟି ଗଠିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବଡରାଧାକାନ୍ତ ମଠ ପ୍ରାଙ୍ଗଣରେ ମଠ ପ୍ରସିଦ୍ଧ ବଡରାଧାକାନ୍ତ ମଠ ପରିଚାଳନା କମିଟି ଗଠିତ ହୋଇଥିବାର ଜଣାପଡିଛି । ଏଥିରେ ଆଖପାଖ ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ, ପ୍ରଶାସକ, ସାଧୁ ବୈଷ୍ଣବ, ଭକ୍, ଶିଷ୍ୟ ତଥା ସାଧାରଣ ଜନତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବଡରାଧାକାନ୍ତ ମଠ ଅଧିକାରୀ ଗୌଡୀୟ ବୈଷ୍ଣବ ସମ୍ପ୍ରଦାୟର ବାବା ଯଶୋଦାନନ୍ଦନ ଦାସଙ୍କ ପ୍ରତି ଓଡିଶା ଦେବୋତ୍ତର ବିଭାଗର ଅବିଚାର ତଥା ବାବା ଶ୍ରୀଯଶୋଦାନନ୍ଦନ ଦାସଙ୍କ ବୃନ୍ଦାବନ ଗମନ ଯୋଗୁଁ ମଠ ପରିଚାଳନାରେ ଦେଖାଦେଇଥିବା ବିଶୃଙ୍ଖଳାର ସୁସମାଧାନ ପାଇଁ ବୈଠକରେ ଆହୂତ ହୋଇ ଥିଲା । ପୂର୍ବତନ ମଠାଧିକାରୀ ବାବା ଯଶୋଦାନନ୍ଦନ ଦାସ ଗୌଡୀୟ ବୈଷ୍ଣବ ଦର୍ଶନ ଓ ପରମ୍ପରା ବାର୍ତ୍ତାବହ । ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ ୧୩/୧୪ ବର୍ଷ ମଧ୍ୟରେ ମନ୍ଦିରର ଉନ୍ନତି ଚରମ ସୀମାରେ ପହଞ୍ଚିପାରିଥିବାର ଆଲୋଚନା ହୋଇଥିଲା । ସାମ୍ପ୍ରତିକ ପରିସ୍ଥିତିରେ ବାବା ଯଶୋଦାନନ୍ଦନ ଦାସଙ୍କ ଅନୁପସ୍ଥିତରେ ଠାକୁରଙ୍କ ଦେବନୀତି, ପରିଚାଳନା ନିମନ୍ତେ ସର୍ବସମ୍ମତିକ୍ରମେ ସ୍ଥାନୀୟ ଜନତାଙ୍କ ମଧ୍ୟରୁ ସମସ୍ତ ବର୍ଗର ଲୋକଙ୍କୁ ନେଇ ଏକ ୯ଜଣିଆ କମିଟି ଗଠନ କରାଯାଇଥିଲା । ନିର୍ବଚିତ ସଦସ୍ୟମାନେ ହେଲେ ସେବା ନିବୃତ୍ତ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଇନଜୀବୀ ଶାନ୍ତନୁ କୁମାର ଆଚାର୍ଯ୍ୟ, ସଂକୀର୍ତ୍ତନି ଗୁରୁ ରାମକୃଷ୍ଣ ପାତ୍ର, ଅବସର ପ୍ରାପ୍ତ ପ୍ରଧ୍ୟାପକ ଏମ୍.ଶିବ ରାମ କ୍ରିଷ୍ଣା, ସମାଜସେବୀ ଦେବେନ୍ଦ୍ର କୁମାର ସାହୁ, ପୂଜା ପଣ୍ଡା ନୃସିଂହ ପ୍ରସାଦ ପଣ୍ଡା,, ବୁଦ୍ଧିଜୀବୀ ଗୋକୁଳା ନନ୍ଦ ସାହୁ, ବଂଶାନୁକ୍ରମିକ ମଠାଧିକାରୀ ଦ୍ୱାରକାନାଥ ଅଧିକାରୀ, ଶିଷ୍ୟ ଦେବେନ୍ଦ୍ର କୁମାର ପାଢୀ । ଏହି ବୈଠକରେ ପାରଳାଖେମୁଣ୍ଡି ସ୍ଥିତ ଐତିହାସିକ ବଡରାଧାକାନ୍ତ ମଠର ଦେବନୀତି, ଯାନିଯାତ୍ରାଦିର ସୁପରିଚାଳନା ପାଇଁ ପାରଳାଖେମୁଣ୍ଡି ର ଶତାଧିକ ନାଗରିକ, ଭକ୍, ଶିଷ୍ୟ, ବୁଦ୍ଧିଜୀବୀ, ମହିଳା, ସାଧୁ, ବୈଷ୍ଣବ, ଚାଷୀ, ଉଦ୍ୟୋଗପତି ଆଦି ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ରହି କମିଟି ଚୟନ ଓ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଯେହେତୁ ଏହି ମଠ ଏକ ଐତିହାସିକ ଗୁରପୀଠ, ତାହାର ସୁପରିଚାଳନା ତଥା ଗୌଡୀୟ ବୈଷ୍ଣବ ଦର୍ଶନ ଓ ପରମ୍ପରାର ରକ୍ଷା ନିମନ୍ତେ ଉକ୍ତ କମିଟି ଗଠନ କରିଥିବାର ସୂଚନା ଦିଆଯାଇଛି ।


