ରେଞ୍ଜ ଅଫିସ୍ରେ ବସି ମଦ ପିଉଛନ୍ତି ବନ ଅଧିକାରୀ
କରଞ୍ଜିଆ, (ଜିତେନ୍ଦ୍ର ରାଜ) :-ରେଞ୍ଜ ଅଫିସ୍ରେ ବସି ମଦ ପିଉଛନ୍ତି ବନ ଅଧିକାରୀ ! ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ । ରାଜ୍ୟରେ ହାତୀ ଶିକାରକୁ ନେଇ ବନ ବିଭାଗ ବିବାଦରେ ଫସିଥିବା ବେଳେ ରେଞ୍ଜ ଅଧିକାରୀଙ୍କ ମଦ ପିଇବା ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ବଢ଼ିଛି । ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ନିଜ ଅଫିସ୍ରେ ବସି ମଦ ପିଉଛନ୍ତି ! ମଦ ପିଇବା ସମୟରେ ସେ ସାଦା ପୋଷାକରେ ଥିବା ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି । ତେବେ ଏହି ଭିଡିଓଟି କେବେକାର, ତାହା ଜଣାପଡ଼ି ନାହିଁ । ଏନେଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ବୁଧବାର ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ହାତୀ ଆକ୍ରମଣରେ ମୃତ ଜଣେ ଯୁବକଙ୍କ ପରିବାରକୁ କେବେ କ୍ଷତିପୂରଣ ମିଳିବ ପ୍ରଶ୍ନରେ ରାଗିଯାଇ ଥିଲେ ମାତାଲ୍ ଅବସ୍ଥାରେ ଥିବା ଶ୍ରୀ ପୃଷ୍ଟି । ଆଉ ମନଇଚ୍ଛା ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇଥିବା ଅଭିଯୋଗ ହୋଇଛି । ନିଶାସକ୍ତ ଅବସ୍ଥାରେ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ଖବର ପ୍ରଚାରିତ ହେବା ପରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ରେଞ୍ଜର ପ୍ରଦୀପ କୁମାର ପୃଷ୍ଟିଙ୍କୁ କୈଫିୟତ ତଲବ କରିଛନ୍ତି । ତିନି ଦିନ ମଧ୍ୟରେ ଲିଖିତ ଭାବେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।


