ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ସଚେତନତା ସଭା
ବାଲେଶ୍ୱର, (ସରୋଜ ପଣ୍ଡା) :-ବିଶ୍ୱ ଜନସଂଖ୍ୟା ଦିବସ-୨୦୨୨ ପାଳନ ଅବସରରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବାର ନିୟୋଜନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଲୋକମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୁଲାଳସେନ ଜଗଦ୍ଦେବ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିବା ସହିତ ପରିବାର ନିୟୋଜନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବା ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଶଶାଙ୍କ ଶେଖର ଚୌଧୁରୀ, ଡିପିଏମ ଶ୍ରୀ ଅନୀଲ କୁମାର ମହାନ୍ତି, ଡିଏମଆରସିଏଚ୍ ଏଲିନା ସାମଲ, ଏଡିପିଏଚସିଓ ଶ୍ରୀ ରମଣୀକାନ୍ତ ଭଞ୍ଜ ପ୍ରମୁଖ ଏଥିରେ ଉପସ୍ଥିତ ରହି ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ହୋର୍ଡିଂ, ପୋଷ୍ଟର, ଲିଫ୍ଲେଟ୍ ବଂଟନ ଏବଂ ସଚେତନତା ରଥ ପରିକ୍ରମା ମାଧ୍ୟମରେ ଲୋକ ମାନଙ୍କୁ ପରିବାର ନିୟୋଜନର ଆବଶ୍ୟକତା ଓ ଫାଇଦା ବୁଝାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ୨୦୨୧-୨୨ ବର୍ଷ ପାଇଁ ପରିବାର ନିୟୋଜନ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଏବଂ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିବା ବ୍ଲକ, ଡାକ୍ତର ଏବଂ କର୍ମଚାରୀମାନଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା । ପରିବାର ନିୟୋଜନ କ୍ଷେତ୍ରରେ ଖଇରା ବ୍ଲକ ଜିଲ୍ଲାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ଡାକ୍ତର ବେଣୁଧର ହୁଇ ଜିଲ୍ଲାରେ ଅଧିକ ସଂଖ୍ୟାରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିବାରୁ ପୁରସ୍କୃତ ହୋଇଥିଲେ । ଡାକ୍ତର ଅନୁପ କୁମାର ଘୋଷଙ୍କୁ “ଲାଇଫ୍ ଟାଇମ୍ ଆୱାର୍ଡ ଇନ ଫ୍ୟାମିଲି ପ୍ଲାନିଂ ସର୍ଭିସ” ପ୍ରଦାନ କରାଯାଇ ଥିଲା । ଏହି ସଚେତନତା ସଭାରେ ଜିଲ୍ଲା ଓ ବ୍ଲକସ୍ତରୀୟ ମେଡିକାଲ ଅଫିସର, ବିପିଏମ, ପିଏଚଇଓ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।


