“ରାଧେ’ରେ ବିଗ୍ବସ୍ ପ୍ରତିଯୋଗୀ
ମୁମ୍ବାଇ: ସବୁଥର ପରି ୨୦୨୦ର ଇଦକୁ ମଧ୍ୟ ଆଗୁଆ ବୁକିଂ କରି ନେଇଛନ୍ତି ଦବଙ୍ଗ ଖାନ୍ । ଆଗାମୀ ଇଦ୍ରେ ସଲମାନ୍ ଦର୍ଶକଙ୍କୁ ଭେଟି ଦେବେ ନିଜର ନୂଆ ଫିଲ୍ମ “ରାଧେ: ୟାର୍ ମୋଷ୍ଟ୍ ୱାଣ୍ଟେଡ୍ ଭାଇ’ । କିଛି ଦିନ ପୂର୍ବରୁ ଏହି ଫିଲ୍ମର ଷ୍ଟାର କାଷ୍ଟ ଘୋଷଣା କରାଯାଇଥିଲା । “ଭାରତ’ ପରେ ଜ୍ୟାକି ଶ୍ରଫ୍ ଏବଂ ଦିଶା ପଟାନୀ ପୁଣି ଥରେ ଏହି ଫିଲ୍ମରେ ସଲମାନ୍ଙ୍କ ସହ କାମ କରିବେ । ତେବେ ଚର୍ଚ୍ଚା ହେଉଛି ଯେ ସଲମାନ୍ଙ୍କ ଫିଲ୍ମରେ “ବିଗ୍ ବସ୍’ର ପ୍ରତିଯୋଗୀ ନଜର ଆସିବେ ।
ସୂଚନା ମୁତାବକ “ରାଧେ’ରେ “ବିଗ୍ ବସ୍ ୮’ର ବିଜେତା ତଥା ଟେଲି ଅଭିନେତା ଗୌତମ୍ ଗୁଲାଟି ନଜର ଆସିବେ । ସେ କେଉଁ ରୋଲରେ ଅଭିନୟ କରିବେ, ସେ ବିଷୟରେ କିଛି ସୂଚନା ମିଳିନାହିଁ । କିନ୍ତୁ କୁହାଯାଉଛି ଯେ ଫିଲ୍ମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । “ବିଗ୍ ବସ୍-୮’ର ବିଜେତା ହେବା ପରେ ତାଙ୍କୁ ଏକ ନୂଆ ପରିଚୟ ମିଳିଥିଲା । ସେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଏହା ପୂର୍ବରୁ ସେ “ଅଜହର୍’ ଓ ଫିଲ୍ମ “ବେହେନ୍ ହୋଗି ତେରି’ରେ ନଜର ଆସିଥିଲେ । ଆଉ ଏବେ ତାଙ୍କୁ ସଲମାନ୍ ଖାନ୍ଙ୍କ ସହ ଅଭିନୟ କରିବାକୁ ସୁଯୋଗ ମିଳିଛି ।
“ରାଧେ’ରେ ସଲମାନ୍ ଓ ଦିଶା ଲିଡ୍ ରୋଲରେ ନଜର୍ ଆସିବେ । ନେଗେଟିଭ୍ ଚରିତ୍ରରେ ନଜର ଆସିବେ ରଣଦୀପ ହୁଡା । ଫିଲ୍ମଟିକୁ ପ୍ରଭୁଦେବା ନିର୍ଦ୍ଦେଶନା ଦେଉଥିବା ବେଳେ ସଲମାନ୍, ସୋହେଲ୍ ଖାନ୍ ଓ ଅତୁଲ ଅଗ୍ନିହୋତ୍ରୀ ମିଳିତ ଭାବେ ପ୍ରଯୋଜନା କରୁଛନ୍ତି । ୱାଣ୍ଟେଡ୍’ ଓ “ଦବଙ୍ଗ-୩’ ପରେ ପ୍ରଭୁଦେବାଙ୍କର ସଲମାନଙ୍କ ସହ ଏହା ତୃତୀୟ ଫିଲ୍ମ ।


