ଚିକିଟି ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଛତ୍ରପୁର, (ଦେବଦତ୍ତ ମହାରଣା):ଚାଷୀଙ୍କ ହିତ ବଦଳରେ ଜଳସେଚନ ପ୍ରକଳ୍ପକୁ ବାଟମାରଣା କରାଯାଉଥିବା ଅଭିଯୋଗରେ ଚିକିଟି ନିର୍ବାଚନମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଚିକିଟି ନିର୍ବାଚନମଣ୍ଡଳୀର ବିଜେପି ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏହି ବିକ୍ଷୋଭରେ ସାମିଲ ହୋଇ କିଛି ପ୍ରଶାସନ ଅଧିକାରୀଙ୍କୁ ହାତର କରି ନିର୍ବାଚନମଣ୍ଡଳୀର ଜଳସେଚନ ପ୍ରକଳ୍ପକୁ ଦିଗପହଣ୍ଡି ଅଞ୍ଚଳକୁ ଚଞ୍ଚକତା ଭାବେ ବାଟମାରଣା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ୧୯୭୩ ମସିହା ଠାରୁ ବାହୁଦା ନଦୀ ଉପରେ ଯେଉଁ ଆନିକଟ ତିଆରି ହୋଇଛି ଉକ୍ତ ଆନିକଟ ମାଧ୍ୟମରେ ଡାହାଣ ଓ ବାମ ପାଶ୍ୱର୍ କେନାଲରେ ଚିକିଟି ଅଞ୍ଚଳର ପ୍ରାୟ ୬୫୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ହୋଇଆସୁଥିଲା । କିନ୍ତୁ ଗତ ଦୁଇବର୍ଷ ହେଲା କଳିଙ୍ଗଦୋଳା ଆନିକଟ ଉପର ମୁଣ୍ଡ ନିକଟରେ ଏକ ମେଗା ଲିଫ୍ଟ ଯୋଜନା କରାଯାଇ ଚିକିଟି ଅଞ୍ଚଳର ୬୫୦୦ ହେକ୍ଟର ଜମିୁ ଜଳସେଚିତ କରୁଥିବା ଜଳକୁ ଗତି ବଦଳାଇ ଦିଗପହଣ୍ଡି ଅଞ୍ଚଳର ମାତ୍ର ୯୫୫ ହେକ୍ଟର ଜମି ପାଇଁ ଜଳସେଚିତ ବ୍ୟବସ୍ଥା କରାଯାଇଛି । ଏହି ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ଗତ ୨ ବର୍ଷ ହେଲା ଚିକିଟି ଅଞ୍ଚଳରେ ଚାଷୀଙ୍କ ସମସ୍ୟା ଦୁଇଗୁଣା ବୃଦ୍ଧି ପାଇଛି । ଜମିକୁ ଜଳସେଚନ ପାଇଁ ପାଣି ନିଅଣ୍ଟିଆ ଯୋଗୁଁ ଚାଷୀ ହନ୍ତସନ୍ତ ହୋଇଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ସେହିପରି ତିତିଲି ବାତ୍ୟାରେ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ପୁରିଆସାହି ଜଳସେଚନ ଯୋଜନାକୁ ଆଜିକୁ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଉକ୍ତ ଡ୍ୟାମର ନିର୍ମାଣ ଶେଷ ହୋଇପାରିନାହିଁ । ଫଳରେ ଚାଷୀ ଜଳକଷ୍ଟ ଦୂର ହୋଇପାରିନାହିଁ । ବାଘଲଟି ଜଳସେଚନ ଯୋଜନାରେ ବାମ ପାଶ୍ୱର୍ କେନାଲର ସଂପ୍ରସାରଣ ହେଉଅଛି କିନ୍ତୁ ଡାହାଣ ପାଶ୍ୱର୍ କେନାଲର ସଂପ୍ରସାରଣ ଉପରେ ବିଲକୁଲ ଧ୍ୟାନ ଦିଆଯାଉନାହିଁ । ଏଣୁ ବାମ ପାଶ୍ୱର୍ ସହ ଡାହାଣ ପାଶ୍ୱର୍ କେନାଲକୁ ସଂପ୍ରସାରଣ କରି ତୁରନ୍ତ ଚାଷୀଙ୍କ ଜଳ ଯୋଗାଇବା ନିମନ୍ତେ ଚିକିଟି ନିର୍ବାଚନମଣ୍ଡଳୀର ଚିକିଟି ଓ ପାତ୍ରପୁର ବ୍ଲକର ଚାଷୀଙ୍କ ଜଳକଷ୍ଟ ଦୂର କରିବା ପାଇଁ ଚାଷୀ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଚାଷୀଙ୍କ ସହ ଭାରତୀୟ ଜନତାପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସାମନ୍ତରାୟ ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ପାତ୍ରପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।


