‘ଆଦର୍ଶ ବ୍ୟକ୍ତିତ୍ୱ ଓ ଆଦର୍ଶ ସମାଜ ନିର୍ମାଣ’ ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କପାଳେଶ୍ୱରସ୍ଥିତ ଆନନ୍ଦ ମାର୍ଗଯୋଗ ସାଧନାକେନ୍ଦ୍ର ପରିସରରେ ବିଶ୍ୱ ଆଧ୍ୟାତ୍ମିକ ସମାଜ ସେବା ସଂଗଠନ ଆନନ୍ଦମାର୍ଗ ପ୍ରଚାରକ ସଙ୍ଘ, କେନ୍ଦ୍ରାପଡା ଶାଖା ଦ୍ୱାରା ଆୟୋଜିତ ତଥା କେନ୍ଦ୍ରାପଡାର ବିଭିନ୍ନ ମହାବିଦ୍ୟାଳୟ ରାଷ୍ଟ୍ରୀୟ ସେବା ଯୋଜନାର ସହଯୋଗରେ “ଆଦର୍ଶ ବ୍ୟକ୍ତିତ୍ୱ ଓ ଆଦର୍ଶ ସମାଜ ନିର୍ମାଣ” ସମ୍ପର୍କିତ ଏକ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ସମାଜର ଭବିଷ୍ୟ ପିଢି ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟୋପଯୋଗୀ ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ, ଡେରାବିଶ ଡିଗ୍ରୀ ମହାବିଦ୍ୟାଳୟ, ବିରୂପା ମହାବିଦ୍ୟାଳୟ, ବୀର ହନୁମାନଜୀଉ ମହାବିଦ୍ୟାଳୟ, ଚିତ୍ରୋତ୍ପଳା ମହିଳା ମହାବିଦ୍ୟାଳୟ, ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀମାନେ ଯୋଗଦେଇ ଆଦର୍ଶ ବ୍ୟକ୍ତିତ୍ୱ ଓ ଆଦର୍ଶ ସମାଜ ନିର୍ମାଣର ବିଭିନ୍ନ ଦିଗ ଉପରେ ଉଭୟ ତାତ୍ୱିକ ଓ ବ୍ୟବହାରିକ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ ଅବସରରେ ତଥା ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉତ୍ସବରେ ପ୍ରଶିକ୍ଷାର୍ଥୀମାନେ ଦୁଇଦିନ ଧରି ନେଇଥିବା ପ୍ରଶିକ୍ଷଣରେ ଶିକ୍ଷା ଲାଭ କରିଥିବା ଜ୍ଞାନକୁ କାର୍ଯ୍ୟରେ ଲଗାଇ ସମାଜକୁ ଗଢିବା ପାଇଁ ଦୃଢ ଶପଥ ନେଇଥିଲେ । ଏହି ଶିବିରରେ ଯୋଗ ସାଧନାକେନ୍ଦ୍ରର ଅଧିକାରୀ ଆଚାର୍ଯ୍ୟ ବିକାଶାନନ୍ଦ ଅବଧୂତଙ୍କ ପୈାରହିତ୍ୟରେ ଏବଂ ଆନନ୍ଦମାର୍ଗ ପ୍ରଚାରକ ସଙ୍ଘର ରାଜ୍ୟ ସଂଯୋଜକ ଇଂ କାହ୍ନୁଚରଣ ବେହୁରାଙ୍କ ସଫଳ ସଂଯୋଜନାରେ ପରିଚାଳିତ ଏହି ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଆନନ୍ଦମାର୍ଗର ବରିଷ୍ଠ ସନ୍ୟାସୀ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଯୋଗ ବିଶେଷଜ୍ଞ ଆଚାର୍ଯ୍ୟ ପ୍ରିୟକୃଷ୍ଣାନନ୍ଦ ଅବଧୂତ, ସହ ପ୍ରଶିକ୍ଷକ ଭାବେ ପ୍ରଫେସର ଡଃ. କୁଳମଣୀ ନାୟକ ଯୋଗଦେଇ ‘ମାନବ ଜୀବନ ଏକ ଆଦର୍ଶର ଧାରା’, ‘ନୈତିକତା ଜୀବନର ଆଧାରଶାଳା’ ସର୍ବାତ୍ମକ ବିକାଶ ପାଇଁ ଯୋଗ ବିଜ୍ଞାନ, ଆତ୍ମୋନ୍ନତି ପାଇଁ ଆଧ୍ୟାତ୍ମିକ ଅନୁଶୀଳନ, ଆଦର୍ଶ ସମାଜର ବିଭିନ୍ନ ଅଙ୍ଗ, ଆଦର୍ଶ ସମାଜ ନିର୍ମାଣରେ ଆମର ଭୂମିକା ଶୀର୍ଷକ ପ୍ରମୁଖ ମହତ୍ୱପୂର୍ଣ୍ଣର୍ ବିଷୟବସ୍ତୁ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶିବିରର ସହଯୋଗୀ ସଂଗଠନ ମହାବିଦ୍ୟାଳୟ ଗୁଡିକର ରାଷ୍ଠ୍ରୀୟ ସେବା ଯୋଜନା ଅଧିକାରୀ ଅନୁରାଧା ପରିଡା, ପ୍ରଫେସର ପ୍ରମୋଦ ବେହେରା, ପ୍ରଫେସର ମୃତ୍ୟୁଞ୍ଜୟ ମହାନ୍ତି, ଟି.କେ. ପରିଡା ପ୍ରମୁଖ ସହ ଯୋଗ କରିଥିବା ବେଳେ ବିଭିନ୍ନ ପ୍ରାନ୍ତର କର୍ମକର୍ତ୍ତା ପିତାମ୍ବର ଭୂୟାଁ, ଅରୁଣ କୁମାର ସ୍ୱାଇଁ, ବନ୍ଦିତା ଦାସ, ରାଜଶ୍ରୀ ବିଶ୍ୱାଳ, ଆଶିଷ କୁସୁମ, ସରୋଜ ମହାପାତ୍ର, ଆଦିତ୍ୟ ପ୍ରଧାନ, ବଣ୍ଟି, ପ୍ରକାଶ, ଶଙ୍କର, ପ୍ରତିମା ପ୍ରମୁଖ ବହୁ ଆଧ୍ୟାତ୍ମିକ ପ୍ରେମୀମାନେ କାର୍ଯ୍ୟନିର୍ବାହ କରିଥିଲେ । ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ମହାବିଦ୍ୟାଳୟରେ ଏହି ପ୍ରଶିକ୍ଷଣ ଲବ୍ଧ ଜ୍ଞାନକୁ ପ୍ରସାର କରାଇବାକୁ ଦାୟୀତ୍ୱ ନେଇଥିଲେ । ଶେଷରେ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।


