ଗଇଦୁଆ ଶିବାନନ୍ଦ ଚିକିତ୍ସାଳୟରେ ଦାତବ୍ୟ ବହୁବିଧ ସ୍ୱାସ୍ଥ୍ୟସେବା ଶିବିର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚୟତର ଗଇଦୁଆ ଶିବାନନ୍ଦ ଚିକିତ୍ସାଳୟ ପରିସରରେ ଦିବ୍ୟଜୀବନ ସଙ୍ଘ ଆନୁକୂଲ୍ୟରେ ଏକ ଦାତବ୍ୟ ବହୁବିଧ ସ୍ୱାସ୍ଥ୍ୟସେବା ଶିବିର ଡଃ. ବ୍ୟାସଦେବ ଯୋଗୀଙ୍କ ସ୍ମୃତିରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟସେବା ଶିବିର ଦିବ୍ୟଜୀବନ ସଙ୍ଘ ଶାଖା, କେନ୍ଦ୍ରାପଡାର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ କରକମଳରେ ଉଦଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୫ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ, ପଞ୍ଚାୟତସମିତି ସଭ୍ୟ ଜୀତେନ୍ଦ୍ର ରାଉତ,କୋରୋ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ରଞ୍ଜିତ ପ୍ରସାଦ ଜେନା, ସୁନାକର ନାୟକ, ନୃସିଂହ ଦାସ ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କ ସେବାରେ ସହଯୋଗ କରିଥିଲେ । ଏହି ସ୍ୱାସ୍ଥ୍ୟସେବା ଶିବିରରେ ଚକ୍ଷୁ, ସ୍ତ୍ରୀ ଓ ପ୍ରସୁତି, ଦନ୍ତ, ଭେଷଜ ଓ ଶିଶୁ ବିଭାଗର ବିଶେଷଜ୍ଞ ଓ ଚିକିତ୍ସକମାନେ ୩୭୮ଜଣ ରୋଗୀଙ୍କୁ ଚିକିତ୍ସା କରିବା ସହ ମାଗଣା ଔଷଧ ପ୍ରଦାନ କରିଥିଲେ । ଭୁବନେଶ୍ୱରସ୍ଥିତ ଆପୋଲ ଘରୋଇ ହସପିଟାଲର ଡା. ସରୋଜିନୀ ଯୋଗୀ ଏବଂ ତାଙ୍କ ସହଯୋଗୀ ଚିକିତ୍ସକମାନଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟସେବା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସତ୍ୟସାଇ ସେବା ସମିତିର ସେବାଦଳର ଆବାହକ ସଞ୍ଜୟ, ପ୍ରଶାନ୍ତ, ପ୍ରକାଶ, ବିଶ୍ୱପ୍ରକାଶ, ଶ୍ରୀବତ୍ସ, ନିକୁଞ୍ଜ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଯୁବ ସମାଜସେବୀ କୈଳାସ ରାଉତ ଏହି ଶିବିରର ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ