ସାରଦା ଖଣିରେ ଇଡିଙ୍କ ଚଢୋଉ
ଯୋଡା, (ସମୀର କୁମାର ଦାସ):ସୋମବାର ସକାଳୁ ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ସୋୟାବାଲିଠାରେ ଅବସ୍ଥିତ ସାରଦା ଖଣି କାର୍ଯ୍ୟାଳୟ, ଏବଂ ୨ ନିର୍ଦ୍ଦେଶକଙ୍କ ଘର ଏବଂ କମ୍ପାନୀର ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଟ ଶିଶିର ଗୋଏଲଙ୍କ ଘରେ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଙ୍କ ପକ୍ଷରୁ ଚଢାଉ ଜାରି ରହିଛି । ବେଆଇନ ଅର୍ଥ କାରବାର ସମ୍ପୃକ୍ତି ଅଭିଯୋଗରେ ଏହି ଚଢାଉ କରାଯାଇଥିବା ଜଣାପଡିଛି । ତେବେ ଏହି ଚଢାଉ ସମୟରେ ସାରଦା ଖଣିର ୨ ନିର୍ଦ୍ଦେଶକ ଅର୍ଜୁନ ସାଶ୍ୱତ ଶର୍ମା ଓ ବିନୋଦ ବିହାରୀ ସାହୁ ଉପସ୍ଥିତ ନଥିବା ଜଣାପଡିଛି । ତେବେ ଏହି ଚଢାଉ ସମୟରେ ଖଣି କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନେ ପୂର୍ବରୁ ଖବର ପାଇ ନିଜ ନିଜର ମୋବାଇଲ ବନ୍ଦ ରଖି ଚତୁରତାର ସହ ଖସି ଯାଇଥିବା ଜଣାପଡିଛି । ତେବେ ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଏହି ଚଢାଉ ଏକକାଳୀନ କଲିକତା, ଗୁରଗାଁଅ ଏବଂ ଓଡିଶାରେ ହେଉଥିବା ବେଳେ ଏଥିରେ ଦିଲ୍ଲୀ, କଲିକତା ଏବଂ ଓଡିଶାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । ଖବର ଲେଖା ଯିବା ପର୍ଯ୍ୟନ୍ତ ଏହି ଚଢାଉ ଜାରି ରହିଥିବା ବେଳେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଛଡାଯାଇନାହିଁ । ଏପରିକି ସୁରକ୍ଷା କର୍ମିଚାରୀମାନଙ୍କର ମୋବାଇଲକୁ ମଧ୍ୟ ଜବତ କରି ରଖାଯାଇଛି । ସମଗ୍ର ଅଞ୍ଚଳକୁ ପୁଲିସ ଛାଉଣି କରିଦିଆଯାଇଥିବା ବେଳେ ତୁରନ୍ତ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ଅର୍ଜୁନ ଶର୍ମାଙ୍କୁ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ସେ ଅପରାହ୍ନରେ ନିଜ ବାସଭବନରେ ପହଞ୍ଚିଛନ୍ତି । ଇଡି ପକ୍ଷରୁ ତାଙ୍କୁ ଜେରା ଜାରି ରହିଛି । ସୂଚନା ଯୋଗ୍ୟ, କେନ୍ଦୁଝର ଜିଲା ତଥା ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଠାକୁରାଣୀ ଖଣିର ବି-ବ୍ଲକରେ ୯୪୭.୦୪୬ ହେକ୍ଟର ପରିମିତ ସାରଦା ମାଇନ୍ସ ପ୍ରାଃ ଲିଃ ଖଣିଟି ଅବସ୍ଥିତ । ଏହି ଖଣିରେ ବିନା ପରିବେଶ ମଞ୍ଜୁରୀରରେ ଅତିରିକ୍ତ ଖଣି ଖନନ କରାଯାଇଥିବା ନଜରକୁ ଆସିଥିଲା । ଫେବୃଆରୀ ୨୦୨୦ ଏବଂ ମାର୍ଚ୍ଚ ୨୦୨୦ ମଧ୍ୟରେ ଏହି ବେଆଇନ ଖନନ କରାଯାଇଛି । ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଏପରି ଖଣି ଖନନ ସମ୍ପୂର୍ଣ୍ଣ ଭାବେ ବେଆଇନ ହୋଇଥିବା ବେଳେ ତତ୍କାଳୀନ ଯୋଡା ଖଣି ଉପନିର୍ଦ୍ଦେଶକ ସଲିଲ କୁମାର ବେହେରା ବେଆଇନ ଖଣି ଖନନ ନେଇ ସାରଦା ଖଣିକୁ ୨ହଜାର ୫୬ କୋଟି ୩୮ଲକ୍ଷ ୪୩ ହଜାର ୫ଶହ ୬୭ ଟଙ୍କା ଜୋରିମାନା ଦେବାକୁ ସାରଦା ଖଣିର ନିର୍ଦ୍ଦେଶକ ଅର୍ଜୁନ ସାରସ୍ୱତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବେଆଇନ ଖନନ ପାଇଁ ଗତ ଜୁନ ମାସ ୬ ତାରିଖରେ ଓ ଗତ ବର୍ଷ ଜାନୁଆରୀ ମାସ ୭ ତାରିଖରେ ଖଣି ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ଏବଂ ଏହାର ଶୁଣାଣୀ ୨୫ ତାରିଖକୁ ରଖାଯାଇଥିଲା । ବେଆଇନ ଖନନ ସମ୍ବନ୍ଧରେ ସାରଦା ଖଣି କର୍ତ୍ତୁପକ୍ଷ କୌଣସି ସନ୍ତୋଷ ଜନକ କୈଫିୟତ ଦେଇପାରିନଥିଲେ । ଫଳରେ ବିନା ଅନୁମୋଦନରେ ଏହି ଅତିରିକ୍ତ ଖନନକୁ ଏମ୍ଏମ୍ଡିଆର ଆକ୍ଟ-୨୧ର ୫ ଅନୁସାରେ ଅବୈଧ ଘୋଷଣା କରି ଏହି ଜୋରିମାନା କରାଯାଇଥିବା ଖଣି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଏହି ଖଣିଟି ଅନ୍ୟମିତତା ନେଇ ଦୀର୍ଘ ୬ ବର୍ଷ ଧରି ବନ୍ଦ ରହିଥିଲା । ଷ୍ଟିଲ ମିଣ୍ଟ ରିପୋର୍ଟର ତଥ୍ୟ ଅନୁଯାୟୀ ସାରଦା ଖଣିର ପରିବେଶ ମଞ୍ଜୁରୀ ଅକାମୀ ହୋଇପଡିଥିବା ଦର୍ଶାଇ ଏହି ଖଣିଟିକୁ ତୁରନ୍ତ ବନ୍ଦ କରିବା ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଣୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ପତ୍ର ଦିଆଯାଇଥିଲା । ଫଳରେ ରାଜ୍ୟ ସରକାର ଏହି ଖଣିଟିକୁ ତୁରନ୍ତ ବନ୍ଦ କରିଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଦର୍ଶାଯାଇଥିଲା ଯେ, ୨୦୦୪ ରେ ପରିବେଶ ମଞ୍ଜୁରୀ ନିମନ୍ତେ ସାରଦା ଖଣି କମ୍ପାନୀ ଆବେଦନ କରିଥିଲେ ଓ ୫ ବର୍ଷ ପାଇଁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ତେବେ ୨୦୧୭ରେ କେତେକ ଖଣି ଅନ୍ୟମିତତା ପଦାକୁ ଆସିବା ପରେ ଏହି ଖଣିଟି ମଧ୍ୟ ଏହାର ପର୍ଯ୍ୟାୟଭୁକ୍ତ ହୋଇ ଖଣିଟିକୁ ବନ୍ଦ କରିଦିଆଯିବା ସହ ୯୩୩ କୋଟି ଟଙ୍କା ଜୋରିମାନା କରାଯାଇଥିଲା । ଏଥିପାଇଁ ଖଣିଟି ୬ମାସ ପାଇଁ ବନ୍ଦ ରହିଥିବା ବେଳେ ଗତ ବର୍ଷ ଜାନୁଆରୀ ମାସରେ ଏହି ଜୋରିମାନ ଟଙ୍କା ପୈଠ କରିବା ସର୍ତ୍ତରେ ଖଣିଟିକୁ ଚାଲୁ କରିବା ପାଇଁ ସୁପ୍ରିମ କୋର୍ଟ ଅନୁମତି ପ୍ରଦାନ କରିଥିଲେ । ଖଣି କମ୍ପାନୀ ଏହି ଅର୍ଥ ଜମା କରିବା ପରେ ଖଣି କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ବନ୍ଦ ନୋଟିସ୍ ପାଇବା ପରେ ଏହାକୁ ଆହ୍ୱାନ କରି ଖଣି କମ୍ପାନୀ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସର୍ବୋଚ୍ଚ ନ୍ୟାୟ।।ଳୟଙ୍କ ନିର୍ଦ୍ଦେଶକୁ ବିଚାରକୁ ନେଇ ଏହି ଖଣିଟିକୁ ପରବର୍ତ୍ତି ନିର୍ଦ୍ଦେଶନାମା ୨୧ ଅକ୍ଟୋବର ରେ ଆସିବା ପର୍ଯ୍ୟନ୍ତ ପୂର୍ବରୁ ଦିଆଯାଇଥିବା ସମସ୍ତ ନୋଟିସ୍ ଉପରେ ରହିତାଦେଶ ଜାରି କରିଥିଲେ । ଫଳରେ ଖଣିଟି ପୁନଃର୍ବାର କାର୍ଯ୍ୟକ୍ଷମ ହୋଇପାରିଥିଲା । ଖଣିର କାର୍ଯ୍ୟକାଳ ସରିଯିବା ପରେ ସାରଦା କମ୍ପାନୀ ଖଣିଟି ବନ୍ଦ ଥିବା ସମୟକୁ ପୁନଃବିଚାର କରି ଖଣି ଖନନ ନିମନ୍ତେ ଅନୁମତି ଦେବା ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଏହି ଖଣିଟିରୁ ଲୁହାପଥର ସାଧାରଣତଃ ନିକଟରେ ଅବସ୍ଥିତ ଏକ ଘରୋଇ କମ୍ପାନୀକୁ ଯାଇଥାଏ । ସମ୍ପୃକ୍ତ କମ୍ପାନୀ ଲୁହାପଥରର ବଜାର ଦର ଠାରୁ ଢେର କମ ଦରରେ ଏହାକୁ କିଣୁଥିବା କାଗଜପତ୍ରରେ ଦର୍ଶାଯାଇଥାଏ । ସାରଦା କମ୍ପାନୀର ନିଜସ୍ୱ କାରଖାନାଟିଏ ନଥିବା ବେଳେ ଏହି ଉପାୟରେ ଲକ୍ଷ ଲକ୍ଷ ଟନ୍ ଲୁହାପଥର ବାହାରକୁ ରପ୍ତାନୀ କରାଯାଇ କୋଟି କୋଟି ଟଙ୍କାର ଆର୍ôଥକ ଅନିୟମିତତା କରାଯାଇଥିବା ଜଣାପଡିଛି ।


