ସୁଡଙ୍ଗପୂର୍ଣ୍ଣ ନଦୀବନ୍ଧ କଣ୍ଟିଘାଇ ଆଁ ଭିତରେ ଲୀନ ହେବ ଚାଙ୍ଗୁଆ ଗାଁ !

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀର କଣ୍ଟି ଏସ୍କେପ ଯୋଗୁ ବନ୍ୟାର ପ୍ରକୋପ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। ନଦୀର ଆଖୁଆପଦା ଆନିକଟ ଠାରେ ବନ୍ୟା ଜଳ ବିପଦ ସଂକେତ ଛୁଇଁ ସାମାନ୍ୟ ବୃଦ୍ଧି ଘଟିଲେ କଣ୍ଟି ଏସ୍କେପ ଦେଇ ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏସ୍କେପ ସଂଲଗ୍ନ ଖୋଳାନାଳ ଦେଇ ବନ୍ୟା ଜଳ ଦ୍ରୁତ ଗତିରେ ମାଡି ଆସି ବ୍ଲକର ଷୋଳମପୁର, ନପଙ୍ଗ, ମାଳଦା ଓ କୁରିଗାଁ ପଞ୍ଚାୟତକୁ ଜଳବନ୍ଦୀ କରିଦିଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କଣ୍ଟିରୁ ନିଷ୍କାସିତ ହେଉଥିବା ବନ୍ୟା ଜଳ ପ୍ରଥମେ ଖୋଳା ନାଳ ତଟବର୍ତ୍ତି ଚାଙ୍ଗୁଆ ଗାଁକୁ ଛୁଇଁଥାଏ। ଗାଁଟିରେ ପ୍ରାୟ୫୦ରୁ ଅଧିକ ପରିବାର ଛୁଆ ପିଲା ଧରି ବସବାସ କରୁଥିବା ବେଳେ ବୈତରଣୀ ବନ୍ୟା ସତେ ଯେମିତି ଏମାନଙ୍କ ପାଇଁ ଦେହସୁଆ ହୋଇଯାଇଛି। ବିଗତ ୪ବର୍ଷ ପୂର୍ବରୁ ଯାଜପୁର ଜଳସମ୍ପଦ ବିଭାଗ ପକ୍ଷରୁ ଖୋଳାମୁହଁ ଠାରୁ ଚାଙ୍ଗୁଆ ରାଉତସାହି ଯାଏଁ ଏକ ଘେରି ବନ୍ଧ ନିର୍ମାଣ ହୋଇଥିଲା।କଣ୍ଟି ଏସ୍କେପ ଦାଉରୁ ଗ୍ରାମବାସୀଙ୍କୁ ସୁରକ୍ଷା ଦେବାପାଇଁ ଉକ୍ତ ଖୋଳା ନାଳ ବନ୍ଧ ନିର୍ମାଣର ଲକ୍ଷ୍ୟ ଥିଲେ ସୁଦ୍ଧା ତାହା କିନ୍ତୁ ସମ୍ଭବ ହୋଇ ପାରିନଥିଲା। ତତ୍କାଳୀନ ନିର୍ବାହୀ ଯନ୍ତ୍ରୀଙ୍କ ଇସାରାରେ ଜନୈକ ଠିକାଦାର ଅତି ତରବରିଆ ଭାବେ ବନ୍ଧ ନିର୍ମାଣ କରି ନଦୀ ପଟରୁ ପଥର ପ୍ୟାକିଂ କାମ ସାରିଦେଇ ଛୁ ମାରିଥିଲା। ୨୦୨୦ ମସିହାରେ ବନ୍ୟା ଆସିବା ଯୋଗୁ ଏସ୍କେପ ଦେଇ ନିଷ୍କାସିତ ପାଣି ବନ୍ଧର ସ୍ଥିତିକୁ ଦୋହଲାଇ ଦେଇଥିଲା। ଏପରିକି ପଥର ପ୍ୟାକିଂ ଅନେକ ମାତ୍ରାରେ ନାଳ ମଧ୍ୟକୁ ଖସି ଯାଇଥିବା ବେଳେ ବନ୍ଧ ତମାମ କେଉଁଠି ନା କେଉଁଠି ସୁଡଙ୍ଗ ସୃଷ୍ଟି ହୋଇଥିଲା। ଭୟଭୀତ ଅବସ୍ଥାରେ ଲୋକ ରହିଥିବା ବେଳେ ଗୁରୁତ୍ୱ ଦୃଷ୍ଟିରୁ ଏହାର ମରାମତି ପାଇଁ ଜଳସମ୍ପଦ ବିଭାଗ ଏଯାଏଁ ଦୃଷ୍ଟି ଦେଇନାହିଁ।ପୁଣି ଚଳିତ ବର୍ଷ ଦୁଇ ଦୁଇ ଥର ବନ୍ୟା ଆସି ଖୋଳା ବନ୍ଧକୁ ସମ୍ପୂର୍ଣ୍ଣ ଦୁର୍ବଳ କରିଦେଇଥିବା ବେଳେ ପଥର ପ୍ୟାକିଂ ଭିତରେ ସୁଡଙ୍ଗ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହାଛଡା ଅନେକ ସ୍ଥାନରେ ବର୍ଷା ଯୋଗୁ ବନ୍ଧଟି ଅଧାରୁ ଅଧିକ ଧୋଇ ଯାଇଛି। ଏବେ ଦୁର୍ବଳ ଖୋଳା ନାଳ ବନ୍ଧକୁ ନେଇ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପରିସ୍ଥିତି ଏଭଳି ଦେଖାଦେଇଛି ଯେ ବଡ ଧରଣର ବନ୍ୟା ଆସିଲେ କିଛି ବର୍ଷ ମଧ୍ୟରେ ଚାଙ୍ଗୁଆ ଗାଁ କଣ୍ଟି ଏସ୍କେପ ମୁହଁ ଖୋଳାନାଳମଧ୍ୟରେ ସମ୍ପୂର୍ଣ୍ଣ ଲୀନ ହେବ ଏଥିରେ ସନ୍ଦେହ ନାହିଁ। ତେଣୁ ଭଦ୍ରକ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମର ନରେନ୍ଦ୍ର ରାଉତ, ରାଜୁ ରାଉତ, କାଦମ୍ବିନୀ ରାଉତ, ଭକ୍ତହରି ରାଉତ, ମହେନ୍ଦ୍ର ରାଉତ, କନକ ରାଉତ, କେଦାର ଦାସ, ବିଜୟ ରାଉତ, ସୁରେନ୍ଦ୍ର ରାଉତ, ରମାକାନ୍ତ ରାଉତ, ଗୌରାଙ୍ଗ ରାଉତ, ପ୍ରଭାସିନୀ ରାଉତ ପ୍ରମୁଖ ଦାବି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ