ବିଭିନ୍ନ ଦାବି ନେଇ କୁକୁଡ଼ା ଚାଷୀ ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ଆଦମପୁର ଗ୍ରାମ୍ୟ ଜଙ୍ଗଲ ଠାରେ ବିଭିନ୍ନ ଦାବିନେଇ ଭଦ୍ରକ ଜିଲ୍ଲା କୁକୁଡ଼ା ଚାଷୀ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ନୀଳମଣି ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଧାମନଗର, ଭଣ୍ଡାରିପୋଖରୀ, ଚାନ୍ଦବାଲି, ତିହିଡି, ବାସୁଦେବପୁର, ବନ୍ତ ପ୍ରମୁଖ ବ୍ଲକର ଅଗ୍ରଣୀ କୁକୁଡ଼ା ଚାଷୀ ମାଲିକ ମାନେ ଯୋଗଦେଇଥିଲେ। ଏଥିରେ କମ୍ପାନୀ ପକ୍ଷରୁ କୁକୁଡ଼ା ଫାର୍ମ କରିଥିବା ମାଲିକ ମାନଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଥିଲା। ବିଶେଷ କରି ଫାର୍ମ ସଫା ଓ ଗମନାଗମନ ଖର୍ଚ୍ଚ କମ୍ପାନୀ ବହନ କରିବାକୁ ବୈଠକରେ ଦାବି ଉଠିଥିବା ବେଳେ ପୁରୁଣା ଦର ବଦଳରେ ନୂଆ ଦର ଲାଗୁ, କୁକୁଡ଼ା ଚିଆଁ ଓ ଉଚ୍ଚ ମାନର ଦାନା ଯୋଗାଇ ଦେବାକୁ ମାଲିକ ମାନେ ଦାବି କରିଥିଲେ। ଏହାଛଡା ଫାର୍ମ ଚଳାଇବାକୁ ଏମଏସପି ୬ରୁ୮ଟଙ୍କାକୁ ବୃଦ୍ଧି କରିବା ସହ ଶ୍ରମିକ ଓ ବିଦ୍ୟୁତ ଖର୍ଚ୍ଚ ଶତକଡା ୫୦ଭାଗ କମ୍ପାନୀ କର୍ତ୍ତୃପକ୍ଷ ବହନ କରିବାକୁ ମତ ପ୍ରକାଶ ପାଇଥିଲା। ଏଭଳି ଅନେକ ଦାବିକୁ ନେଇ କୁକୁଡ଼ା ଚାଷୀ ସଙ୍ଘ ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ବୈଠକରେ ସ୍ଥିରୀକୃତ ହୋଇଥିଲା। ବିଶେଷ କରି କୁକୁଡ଼ା ଚିଆଁ ଓ ଦାନା ଯୋଗାଉଥିବା କମ୍ପାନୀ ମାନେ ଚାଷୀ ମାନଙ୍କୁ ଅଣଦେଖା କରୁଥିବାରୁ ଆଜି ବୈଠକରେ ଏନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିରେ ଅଗ୍ରଣୀ କୁକୁଡ଼ା ଚାଷୀ ଅଶୋକ କୁମାର ଖୁଣ୍ଟିଆ, ହରି ଅର୍ଜୁନ ପଣ୍ଡା, ଚନ୍ଦ୍ରଭାନୁ ଦାସ, ବିନୋଦ ବିହାରୀ ନାୟକ, ସଞ୍ଜୟ କୁମାର ସେଠୀ, ଦିଲ୍ଲୀପ କୁମାର ସାହୁ, ପ୍ରଭୁପାଦ ସାହୁ, ବିମଳ କୁମାର ସାହୁ ପ୍ରମୁଖ ଯୋଗଦେଇ କମ୍ପାନୀ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଜିଲ୍ଲାର ପ୍ରାୟ ୧୦୦ରୁ ଅଧିକ କୁକୁଡ଼ା ଚାଷୀ ବୈଠକରେ ଯୋଗ ଦେଇଥିବା ବେଳେ ସଂଗଠନର ସମ୍ପାଦକ ବିଜୟାନନ୍ଦ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


