ସରପଞ୍ଚ ଆକ୍ରମଣକାରୀଙ୍କୁ ଧରିବାରେ ପୁଲିସର ନିଷ୍କ୍ରିୟତା ଜିଲାପାଳଙ୍କୁ ଫେରାଦ ହେଲେ ନୂଆପୁରବାସୀ

ବାଲେଶ୍ୱର, (ସରୋଜ ପଣ୍ଡା):ବାହାନଗା ବ୍ଲକ ଅନ୍ତର୍ଗତ ନୂଆପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଅଟଳ ବିହାରୀ ରାଉତଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସର ନିଷ୍କ୍ରିୟତାକୁ ନେଇ ଜିଲାପାଳ ଓ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି ଅଞ୍ଚଳବାସୀ । ବିଜେପି ନେତା ରାକେଶ ମଲିକଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଜିଲାପାଳଙ୍କୁ ସାକ୍ଷାତ ସହ ଗୋପାଳପୁର ଫାଣ୍ଡି ଅଞ୍ଚଳରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ, ଗତ ୨ ତାରିଖରେ କିଛି ଅସାମାଜିକ ବ୍ୟକ୍ତି ଆକ୍ରୋଶମୂଳକ ଭାବେ ଶ୍ରୀ ରାଉତଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ପ୍ରଥମେ ତାଙ୍କୁ ଗୋପାଳପୁର ଡାକ୍ତରଖାନା ଓ ପରେ ବାଲେଶ୍ୱର ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।ଏବେ ମଧ୍ୟ ଶ୍ରୀ ରାଉତଙ୍କ ଅବସ୍ଥା ଉଦବେଗଜନକ ଥିବା ଗ୍ରାମବାସୀମାନେ କହିଛନ୍ତି ।ଏ ସମ୍ପର୍କରେ ଅଭିଯୋଗ କରାଯିବା ପରେ ପୁଲିସ ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କ ମଧ୍ୟରୁ ଲୋକ ଦେଖାଣିଆ ଭାବେ ଜଣକୁ ଗିରଫ କରି ଅନ୍ୟମାନଙ୍କୁ ସୁରକ୍ଷା ଦେଇ ଚାଲିଛି ବୋଲି ସେମାନେ ଆରୋପ ଉଠାଇଛନ୍ତି । ଅଭିଯୁକ୍ତମାନେ ଫାଣ୍ଡି ନିକଟସ୍ଥ ଗୋପଳପୁର ବଜାରରେ ବୁଲାବୁଲି କରୁଥିଲେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ବରଂ ଶୀଘ୍ର ହାଇକୋର୍ଟରୁ ବେଲ ନେଇ ଆସିବାକୁ ପରୋକ୍ଷ ଭାବେ ପରାମର୍ଶ ଦେଉଛନ୍ତି । ସେହିଭଳି ଗୋପାଳପୁର ଫାଣ୍ଡି ସମ୍ମୁଖ ରାସ୍ତା ଦେଇ ବାଲେଶ୍ୱର ଅଂଚଳରୁ ବାହାନଗା ବ୍ଲକ ତଥା ଅନ୍ୟାନ୍ୟ ଅଂଚଳକୁ ଭିନ୍ନ ଭିନ୍ନ ଗାଡ଼ିରେ ହଜାର ହଜାର ଲିଟର ଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ବଟି ନେଇ ଚୁପ ହୋଇ ବସୁଛି । ନୂଆପୁର ପଞ୍ଚାୟତ ସରପଞ୍ଚଙ୍କୁ ଆକ୍ରମଣ ମାମଲର ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଚୋରା ମଦ ଚାଲାଣକୁ ବନ୍ଦ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ସେମାନେ ଦାବି ଜଣାଇଛନ୍ତି । ଅନ୍ୟଥା ଆସନ୍ତା ୧୨ ତାରିଖରେ ଗୋପାଳପୁର ଫାଣ୍ଡି ସମ୍ମୁଖରେ ଗଣଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ ପାଇଁ ସେମାନେ ବାଧ୍ୟ ହେବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ଏନେଇ ସେମାନେ ଏକ ଦାବି ପତ୍ର ଜିଲ୍ଲାପାଳ ଓ ଏସପିଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସମିତି ସଭ୍ୟ ସୁଧାକର ଆଚାର୍ଯ୍ୟ, ନାରୀନେତ୍ରୀ ବାସନ୍ତୀ ସାମଲ, କଲ୍ୟାଣୀ ସରପଂଚ ସତ୍ୟନାରାୟଣ ଦାଶ, ରାଜାରାମ ମାହାପାତ୍ର, ମୃତ୍ୟୁଞ୍ଜୟ ଜେନା, ରବୀନ୍ଦ୍ର ନାଥ ମଲ୍ଲିକ, ରାମଚନ୍ଦ୍ର ମ୍ଲଲିକ, ସୂର୍ଯ୍ୟକାନ୍ତ ମାଝୀ, ସସ୍ମିତା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ