ଉତ୍କଳ ସର୍ବୋଦୟ ମଣ୍ଡଳର ଆଲୋଚନାଚକ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍କଳ ସର୍ବୋଦୟ ମଣ୍ଡଳ, ବାଲେଶ୍ୱର ଶାଖାର ଏକ ଆଲୋଚନାଚକ୍ର ଗୋପାଳଗାଁ ସ୍ଥିତ ଓଏସିସି କଲେଜ ପରିସରରେ ସୋମାବର ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ସାହୁ ଏଥିରେ ସଭାପତିତ୍ୱ କରିଥିଲେ । ଉତ୍କଳ ସର୍ବୋଦୟ ମଣ୍ଡଳର ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସର୍ବୋଦୟ ମଣ୍ଡଳର ବାଲେଶ୍ୱର ଜିଲା ଆବାହକ ତଥା ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ମଣ୍ଡଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ, ସୁବ୍ରତା ମହାନ୍ତି, ନାମଦେବ କମିଳା, କବିତା ରାଣୀ ଦାସ ଏଥିରେ ବକ୍ତବ୍ୟ ପ୍ରଦାନ କରି ସାମ୍ପ୍ରତିକ ଅବକ୍ଷୟଗାମୀ ସାମାଜିକ ବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ସାମାଜିକ ଅନୁଶାସନକୁ ଗୁରୁତ୍ୱ ଦିଆ ନଯିବା ଫଳରେ ପାରିବାରିକ ଶାନ୍ତି ନଷ୍ଟ ହେବାରେ ଲାଗିଛି ବୋଲି ବକ୍ତାମାନେ କହିଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀ, ଜୟ ପ୍ରକାଶ ନାରାୟଣ ଓ ବିନୋବା ଭାବେଙ୍କ ଭଳି ମହାପୁରୁଷଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ପାରିଲେ ପୂର୍ବ ସାମାଜିକ ବ୍ୟବସ୍ଥା ପୁଣି ଫେରି ଆସିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତୀ ପଟ୍ଟନାୟକ, ବସନ୍ତଲତା ପଟ୍ଟନାୟକ, ନିରଂଜନ ପରିଡ଼ା, ଗୌରାଙ୍ଗ ପାଣିଗ୍ରାହୀ, କରୁଣାକର ଜେନା, ପପୁ ସେଠୀ, ଅର୍ଚ୍ଚନା ନନ୍ଦୀ ପ୍ରମୁଖ ଏଥିରେ ଯୋଗଦେଇ ବ୍ୟବସ୍ଥାର ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପରିବର୍ତ୍ତନ ପାରିବାରିକ ସ୍ତରରୁ ଆରମ୍ଭ କରିବା ଉଚିତ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନର ରିଡସର ସମ୍ପାଦକ ତଥା ଓଏସିସିର ନିର୍ଦ୍ଦେଶକ ସଂଜୟ ସାହୁଙ୍କ ପ୍ରତ୍ୟକ୍ଷ ତ୍ତ୍ବାବଧାନରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।


