ଜମିଜମା ରେକର୍ଡ କଟକରୁ କେନ୍ଦ୍ରାପଡାକୁ ସ୍ଥାନାନ୍ତରଣ ପାଇଁ ପ୍ରଶାସନକୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦୀର୍ଘ ୩୦ବର୍ଷ ହେବ କେନ୍ଦ୍ରାପଡା ଏକ ରାଜସ୍ୱ ଜିଲ୍ଲା ଭାବେ ମାନ୍ୟତା ପାଇଥିଲେ ମଧ୍ୟ ଅଦ୍ୟାବଧି କେତେକ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ ଗୁଡିକ କଟକରୁ ଏଠାକୁ ସ୍ଥାନାନ୍ତରିତ ହୋଇନଥିବା ବେଳେ ଏହି ଜିଲ୍ଲାର ଅନେକ ଜମିଜମା ସଂକ୍ରାନ୍ତୀୟ ରେକର୍ଡ ପତ୍ର ଗୁଡିକ ମଧ୍ୟ କଟକ ଜିଲ୍ଲାରୁ କେନ୍ଦ୍ରାପଡାକୁ ସ୍ଥାନାନ୍ତରିତ ହୋଇପାରି ନାହିଁ । ଫଳରେ ଏହି ଜିଲ୍ଲାର ଲୋକମାନେ ସୁଦୂର କଟକକୁ ଦୈାଡି ଦୈାଡି ନୟାନ୍ତ ହେବାଟା ଯାହା ସାର ହୋଇଛି । ପ୍ରତି ୩୦ବର୍ଷରେ ଥରେ ଜମିଜମା ନକସା ସଂଶୋଧନ କରାଯିବାର ବ୍ୟବସ୍ଥା ଥିବାବେଳେ ଗତ ଚକବନ୍ଦି ଓ ବନ୍ଦୋବସ୍ତ କାର୍ଯ୍ୟ ୩୫ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଶେଷ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଘରବାରୀ ନକସା, ଜମିଜମା ରେକର୍ଡ, ରୟତଙ୍କ ନାମରେ ତୃଟି ବିଚ୍ୟୁତି ଥିବାରୁ ତାହାର ସଂଶୋଧନ ହୋଇନପାରି ପ୍ରାୟ ସମସ୍ତ ଅଞ୍ଚଳରେ ରୟତମାନଙ୍କ ମଧ୍ୟରେ ଗଣ୍ଡଗୋଳ, ମାରପିଟ, ରକ୍ତପାତ ଓ ମାଲି ମୋକଦ୍ଦମା ଚାଲୁଅଛି । ଆବଶ୍ୟକ ସ୍ଥଳେ ପୁରୁଣା ରେକର୍ଡ ମଧ୍ୟ ଏଠାରେ ମିଳୁନାହିଁ । କେନ୍ଦ୍ରାପଡାରେ ଅତିରିକ୍ତ ଚକବନ୍ଦି କମିଶନରଙ୍କ କାର୍ଯ୍ୟାଳୟ ଖୋଲିବା ପାଇଁ ସରକାରୀ ନିର୍ଦେଶ ଥିବାବେଳେ ଆଜି ପର୍ଯ୍ୟନ୍ତ ତାହା ଖୋଲାଯାଇ ପାରୁନାହିଁ । ତେଣୁ କେନ୍ଦ୍ରାପଡାବାସୀଙ୍କ ସମୁହ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ରାପଡାରେ ତୁରନ୍ତ ଅତିରିକ୍ତ ଚକବନ୍ଦି କମିଶନରଙ୍କ କାର୍ଯ୍ୟାଳୟ ଖୋଲାଯିବା ପାଇଁ କାର୍ଯ୍ୟାଳୟ ଗୃହ ଯୋଗାଇ ଦିଆଯିବା ସହିତ ଆମ ଜିଲ୍ଲାରେ ରେକର୍ଡ ରୁମ ପ୍ରତିଷ୍ଠା କରାଯାଇ ତୁରନ୍ତ କଟକରୁ ଜମିଜମା ରେକର୍ଡ ସବୁ କେନ୍ଦ୍ରାପଡାକୁ ସ୍ଥାନାନ୍ତର କରାଯିବାକୁ ନିଖିଳ ଓଡିଶା ଗ୍ରାମୀଣ ଚାଷୀ ମୂଲିଆ ସଙ୍ଘ ପକ୍ଷରୁ ସଭାପତି ଫକିର ଚରଣ ଖଟୁଆ ଓ ସାଧାରଣ ସମ୍ପାଦକ ବିଧୁଭୂଷଣ ମହାପାତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ