‘କଳାକାର’ଶିଶୁ ନାଟକ ମହୋତ୍ସବର ପଞ୍ଚମ ସଂଧ୍ୟା

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ନାଟ୍ୟାନୁଷ୍ଠାନ ‘କଳାକାର’ ପକ୍ଷରୁ ସ୍ଥାନୀୟ ଟାଉନହଲ ପରିସରରେ ୨୦ ତାରିଖରୁ ଆରମ୍ଭ ହୋଇଥିବା ୨୩ ତମ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବର ପଞ୍ଚମ ସଂଧ୍ୟାରେ ୨ ଗୋଟି ନାଟକ ମଞ୍ଚସ୍ଥ ହୋଇଛି । ପ୍ରାରମ୍ଭରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ ସହ ମଞ୍ଚସ୍ଥ ନାଟକରେ ଅଭିନୟ କରୁଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ‘କଳାକାର’ର ଏହି ମହୋତ୍ସବ ଆୟୋଜନ ଶିଶୁ କଳାକାରଙ୍କ ପାଇଁ ପ୍ରେରଣା ଦେଇ ଚାଲିଛି ବୋଲି ଶ୍ରୀ ମହାପାତ୍ର କହିଥିଲେ । ‘ସାମାଜ’ ଉତ୍ତର ଓଡ଼ିଶା ବ୍ୟୁରୋ ମୁଖ୍ୟ କୁଳମଣି ବାରିକ ଓ ଯୁବ ଉଦ୍ୟୋଗପତି ସୁପ୍ରିତୀ ମିଶ୍ର ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାଟ୍ୟକଳା ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଓ ମଞ୍ଚକଳାକୁ ଉଜ୍ଜୀବିତ ରଖିବାରେ ‘କଳାକାର’ ଅନୁଷ୍ଠାନର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ସମାଜ ସଂସ୍କାରରେ ନାଟକର ବାର୍ତ୍ତା ସବୁକାଳରେ ଉପାଦେୟ ହୋଇ ଆସିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । କଳାକାରର ବରିଷ୍ଠ ସଦସ୍ୟ ଗୋପାଳ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଡାକ୍ତର ଅସିତ କୁମାର ପ୍ରଧାନ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ତପନ କୁମାର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପଞ୍ଚମ ସଂଧ୍ୟାରେ ପ୍ରଥମ ନାଟକ ଯାଜପୁରର ରଙ୍ଗଭୂମି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ‘ଅଲୋଡ଼ା ମା’ ମଞ୍ଚସ୍ଥ ହୋଇଥିଲା । ଆଧୁନିକତାର ସ୍ପର୍ଶରେ ବଦଳୁଥିବା ପାରିବାରିକ ସମ୍ପର୍କ, ସାମାଜିକ ସଂସ୍କାର ଓ ପୂଜ୍ୟ ପୂଜା ନୀତିର ନିଚ୍ଛକ ପ୍ରତିଫଳନ ଏହି ନାଟକରେ ଦେଖିବାକୁ ମିଳଥିଲା । ସେହିଭଳି ପଞ୍ଚମ ସଂଧ୍ୟାର ମଞ୍ଚସ୍ଥ ଦ୍ୱିତୀୟ ନାଟକ ରାଇରଙ୍ଗପୁର ବାଦାମୀବାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ‘ଆଜି ବି ଡାଆଣୀ’ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶିତ ହୋଇଥିଲା । ସମାଜର କୁସଂସ୍କାର ଓ ଅନ୍ଧ ବିଶ୍ୱାସ ବିରୋଧରେ ସଂଗ୍ରାମ ଜାରିର ରଖି ଜଣେ ଶିକ୍ଷୟିତ୍ରୀ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛିନ୍ତି, ତାହା ଏହି ନାଟକରେ ପ୍ରତିଫଳିତ ହୋଇଛି । ଉଭୟ ନାଟକର ଛାତ୍ରଛାତ୍ରୀଙ୍କ ଉଚ୍ଚକୋଟିର ଅଭିନୟକୁ ଦର୍ଶକ ବେଶ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ