ଆୟୁଷ ସମନ୍ୱିତ ଚିକିତ୍ସାଳୟ ପ୍ରତିଷ୍ଠା ନିମନ୍ତେ ସଦର ବିଧାୟକ ଦେଲେ ପ୍ରତିଶ୍ରୁତି
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ଜିଲ୍ଲା ଆୟୁର୍ବେଦିକ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୁଷ ବିକାଶ ମଞ୍ଚ ପରିଷଦର ଦ୍ୱିତୀୟ ବୈଠକ ସଭାପତି ଡା. ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ବାଲେଶ୍ୱର ଜିଲ୍ଲାରେ ସରକାରଙ୍କ ପ୍ରସ୍ତାବିତ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ସମନ୍ୱିତ ଚିକିତ୍ସାଳୟ ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ସରକାରଙ୍କୁ ଅବଗତ କରିବା ସଂଗେସଂଗେ ବାଲେଶ୍ୱରର ଏକ ଆୟୁର୍ବେଦିକ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଗତ କୋଭିଡ଼୍ ମହାମାରୀ ସମୟରେ ଆୟୁଷ ଡାକ୍ତରମାନଙ୍କର ଉତ୍ସର୍ଗୀକୃତ ସେବାକୁ ଭୂୟସୀ ପ୍ରଶଂସା କରିବା ସହିତ ଭାରତୀୟ ଚିକିତ୍ସା ପଦ୍ଧତି ଆଜି ସମଗ୍ର ବିଶ୍ୱରେ ଆଦୃତ ହେଉଅଛି ବୋଲି ମତପ୍ରକାଶ କରିଥିଲେ । ଅନ୍ୟତମ ଅତିଥିଭାବେ ମେଡିକାଲ୍ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପରିଡ଼ା, ଶ୍ରୀ ସୀତାରାମ ପରିଡ଼ା, ଶ୍ରୀ ନିରଞ୍ଜନ ରାଉତ ଯୋଗଦାନ କରି ଆୟୁଷର ଉନ୍ନତି ନିମନ୍ତେ ସଂଘବଦ୍ଧ ହୋଇ ସରକାରଙ୍କ ଠାରେ ନ୍ୟାର୍ଯ୍ୟଦାବି ଜାଣାଇବା ପାଇଁ ମତ ରଖିଥିଲେ । ସଂପାଦକ ହିମାଂଶୁ ଶେଖର ଦାସ ଉପରୋକ୍ତ ପ୍ରକଳ୍ପର ଅଗ୍ରଗତି ବିଷୟରେ ସୂଚନା ପ୍ରଦାନ କରିବା ସହିତ ଆଗାମୀ କାର୍ଯ୍ୟକ୍ରମ ପାଇଁ ଯୋଜନା ତିଆରି କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ବରିଷ୍ଠ ସଦସ୍ୟ ଶ୍ରୀ ଅଭିରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ସଭ୍ୟଙ୍କ ପ୍ରସ୍ତାବ କ୍ରମେ ସଭାପତିଙ୍କୁ ସମସ୍ତ କାର୍ଯ୍ୟରେ ସହଯୋଗ କରିବାପାଇଁ ଡା. ଲକ୍ଷ୍ମୀକାନ୍ତ ହୋତାଙ୍କୁ କାର୍ଯ୍ୟକରୀ ସଭାପତି ଭାବରେ ଚୟନ କରାଯାଇଥିଲା । ଉକ୍ତ ବୈଠକରେ ଡା. ସୁଧାଂଶୁ ଶେଖର ଦାଶ, ଡା. ପ୍ରଭାକର ରଥ, ଡା. ଜୟନ୍ତ ପ୍ରଧାନ, ଡା. ପ୍ରମୋଦ କୁମାର ରାଉତ, ସ୍ୱରାଜ କୁମାର ଦାସ, ଡା. ଦେବବ୍ରତ ପାତ୍ର, ଡା. ତ୍ରିଲୋଚନ ଧଳ, ପରମେଶ୍ୱର ପାତ୍ର ପ୍ରଭୃତି ଯୋଗଦାନ କରିଥିଲେ ।


