ସି ସି ଟିଭି ନଜର ରେ ରହିବ ଐତିହ୍ୟ ର ସହର କୋଣାର୍କ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କୋଣାର୍କ ଏକ ଐତିହ୍ୟ ପୂର୍ଣ୍ଣ ସହର।ଏହି ସହର କୁ ପ୍ରତିଦିନ ହଜାର ହଜାର ତୀର୍ଥଯାତ୍ରୀ,ପର୍ଯ୍ୟଟକ ଆସିଥାନ୍ତି କୋଣାର୍କ ର ପ୍ରସିଦ୍ଧ ଅନନ୍ୟ ସୂର୍ଯ୍ୟ ମନ୍ଦିର କୁ ଦେଖିବାକୁ। ଏଥିସହିତ ଚନ୍ଦ୍ରଭାଗା, ରାମଚଣ୍ଡି, କୁରୁମ , କାକଟପୁର ର ମଙ୍ଗଳା ମନ୍ଦିର ପ୍ରଭୁତି ସ୍ଥାନ କୁ ମଧ୍ୟ ଯାତ୍ରୀ ପର୍ଯ୍ୟଟକ ମାନେ ବୁଲିବାକୁ ଏହି ସହର ଦେଇ ଆସିଥାନ୍ତି। ଏହି ଐତିହ୍ୟ ସହର କୁ କଡ଼ା ସୁରକ୍ଷା ମଧ୍ୟରେ ରଖିବାକୁ ଏବେ ପୋଲିସ ପ୍ରଶାସନ ଚିନ୍ତା କରିଛି। କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ଏନ ଏ ସି ଅଧ୍ୟକ୍ଷା ସଂଯୁକ୍ତା ତ୍ରୀପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ପ୍ରମୁଖ ଏନ ଏ ସି କାର୍ଯ୍ୟାଳୟ ଠାରେ ଏକତ୍ର ବସି ଏ ସମ୍ପର୍କ ରେ ସବିଶେଷ ଆଲୋଚନା କରିଛନ୍ତି। କୋଣାର୍କ ଅଞ୍ଚଳ ର ବିଭିନ୍ନ ସ୍ଥାନ ରେ ସି ସି ଟିଭି ଲଗାଯିବାକୁ ସ୍ଥିର କରାଯାଇଛି। ଏହି ଅଞ୍ଚଳ ରେ ବଢୁଥିବା ଅପରାଧ କୁ ଏହା ଫଳରେ ନିୟନ୍ତ୍ରଣ କରାଯାଇ ପାରିବା ସହିତ ଯାତ୍ରୀ ପର୍ଯ୍ୟଟକ ମାନଙ୍କ ସୁବିଧା ଅସୁବିଧା ସମ୍ପର୍କ ରେ ବି ଜାଣି ହେବ। କେଉଁ କେଉଁ ସ୍ଥାନରେ ସି ସି ଟିଭି ଲଗାଗଲେ ସମ୍ପୂର୍ଣ୍ଣ କୋଣାର୍କ ସହର କୁ ଗୋଟିଏ ସ୍ଥାନ ରେ ବସି ନିରୀକ୍ଷଣ, ଅନୁଧ୍ୟାନ କରିହେବ ସେ ସମ୍ପର୍କ ରେ ପୋଲିସ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବା ପରେ ଏନ ଏ ସି ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷା କହିଛନ୍ତି। ଏନ ଏ ସି ଓ ପୋଲିସ ର ଏହି ଯୋଜନା କୁ ସବୁ ମହଲ ରେ ସ୍ବାଗତ କରାଯାଇଛି ଓ ତୁରନ୍ତ ଏ ଦିଗରେ କାର୍ଯ୍ୟ କରିବାକୁ ସାଧାରଣ ରେ ଦାବି ହେଉଛି।


