ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ୱାସ୍ଥ୍ୟସେବା ସଚେତନତା ଶିବିର ଉଦ୍‌ଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରତିବର୍ଷଭଳି ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଅବସରରେ ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାର ସ୍ୱାସ୍ଥ୍ୟସେବା ସଂପର୍କିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଜନ ସଚେତନତା ପାଇଁ ଶନିବାର ଅପରାହ୍ନରେ ସ୍ଥାନୀୟ ବିଚାରଗଞ୍ଜ ଛକ ନିକଟସ୍ଥ ରିକ୍ସାଚାଳକ ସଂଘ ଅଫିସ୍ ସମ୍ମୁଖରେ ଏକ ସଚେତନତା ଶିବିର ଉଦ୍‌ଘାଟିତ ହୋଇଛି । ପ୍ରତ୍ୟହ ଏମ୍ସର ଓପିଡି କାର୍ଯ୍ୟକ୍ଷମ କରିବା, ବାଲେଶ୍ୱରରେ ନର୍ସିଂ ଓ ଫାର୍ମାସିଷ୍ଟ କଲେଜ୍ ପ୍ରତିଷ୍ଠା କରିବା, ଆୟୁଷ ହସପିଟାଲର ନିର୍ମାଣକାର୍ଯ୍ୟ ତୁରନ୍ତ ଆରମ୍ଭ କରିବା, ଆୟୁର୍ବେଦିକ କଲେଜ୍ ସ୍ଥାପନ ଓ ଔଷଧୀୟ ବଗିଚା ସୃଷ୍ଟି କରିବା, ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ସମସ୍ତ ସରକାରୀ ଚିକିତ୍ସାଳୟରେ ଖାଲିପଡ଼ିଥିବା ଡାକ୍ତର ଓ ଅନ୍ୟାନ୍ୟ ପଦବୀଗୁଡ଼ିକ ପୂରଣ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି । ବାଲେଶ୍ୱରରେ ଏକ ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ଦାବିର ଯଥାର୍ଥତା ସଂପର୍କରେ କୃଷି ବୈଜ୍ଞାନିକ ଡ. କେଶବ ଚରଣ ପଣ୍ଡାଙ୍କ ଦ୍ୱାରା ଲିଖିତ ପୁସ୍ତିକାକୁ ଏହି ଅବସରରେ ବରିଷ୍ଠ ଶିକ୍ଷାବିତ୍ ତଥା ସମାଜସେବୀ ଡ. କ୍ଷିତିଶ୍ୱର ଦାଶ ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୌରାଙ୍ଗ ପାଣିଗ୍ରାହୀ ସଂଯୋଜନା କରିଥିବାବେଳେ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ସାଧାରଣ ସମ୍ପାଦକ ପ୍ରଦୀପ ଦାସଙ୍କ ସମେତ କୁମୁଦ ରଞ୍ଜନ ଗିରି, ପ୍ରଫୁଲ୍ଲ କୁମାର ଦାସ, ଲକ୍ଷ୍ମୀପ୍ରିୟା ଜେନା, ପୂର୍ଣ୍ଣଚନ୍ଦ୍ର ପାତ୍ର, ପ୍ରଭାକର ସାହୁ, ରବିନାରାୟଣ ଭୋଳ, ଜଗତାନନ୍ଦ ବିଶ୍ୱାଳ, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ ଓ ସରସ୍ୱତୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିର ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ୫ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ଶେଷରେ ଇଂ. ହୃଷିକେଶ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ