ଆଇତିପୁର ଗ୍ରାମରେ ଘରେ ପଶି ଦୁର୍ବୃତ୍ତଙ୍କ ଖଣ୍ତା ଓ ଠେଙ୍ଗାରେ ଆକ୍ରମଣ
ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡଙ୍ଗା):ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ଗ୍ରାମରେ ଜଣେ ବ୍ୟକ୍ତି ଙ୍କ ଘରେ ପଶି ଖଣ୍ତା ଓ ଠେଙ୍ଗାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ସୋମବାର ମଧ୍ୟରାତ୍ର ରେ ୧୦ ରୁ ୨୦ ଜଣ ଯୁବକ ଆଇତିପୁର ଗ୍ରାମର ରମେଶ ପଲେଇଙ୍କ ଘରେ ପଶି ବିଭିନ୍ନ ଅଶ୍ଲିଳ ଭାସାରେ ଗାଳି ଗୁଲଜ କରିବା ସହ ବିଭିନ୍ନ ମାରଣାସ୍ତ୍ର ରେ ରମେଶଙ୍କୁ ଆକ୍ରମଣ କରିଥିଲେ । ରମେଶଙ୍କ ଚିତ୍କାର ଶୁଣି ପରିବାର ଲୋକେ ରମେଶଙ୍କୁ ଯୁବକଙ୍କ କବଳରୁ ବଞ୍ଚାଇବାକୁ ଯାଇ ନିଜେ ଆକ୍ରମଣର ଶିକାର ହୋଇଥିଲେ । ଏହି ଆକ୍ରମଣରେ ରମେଶଙ୍କ ସହିତ ଝିଅ ସାଗରିକା ପ୍ରଧାନ, ବୋହୁ ଲଳିତା ପଲେଇ ଓ ଭାଇ ବୋହୂ ବିଜ୍ଞାନୀ ପଲେଇ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ଯୁବକ ମାନେ ଏବିଷୟରେ ପୋଲିସକୁ ନଜଣାଇବା ପାଇଁ ଉପରକୁ ତିନି ରାଉଣ୍ତ ଗୁଳି ଚାଳନା କରି ପରିବାର ଲୋକଙ୍କୁ ଭୟଭିତ କରି ଘଟଣା ସ୍ଥଳରୁ ଚାଲିଯାଇଥିଲେ । ତୁରନ୍ତ ଗୁରୁତର ଆହତ ଚାରିଜଣଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଖଲ୍ଲିକୋଟ ମେଡ଼ିକାଲ କୁ ନିଆ ଯାଇଥିଲା । ସେଠାରେ ସ୍ବାସ୍ଥ୍ୟବସ୍ତା ଗୁରୁତର ହେବାରୁ ଉକ୍ତ ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଇଯାଇଥିଲା । ଏସମ୍ପର୍କରେ ରମେଶଙ୍କ ବୋହୁ ଲଳିତା ପଲେଇ ଗତ ୪ ତାରିଖ ଦିନ ଖଲ୍ଲିକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଖଲ୍ଲିକୋଟ ଥାନା କେସ ନମ୍ବର ୫୬୯/୨୦୨୨ ଅନୁଯାୟୀ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଆକ୍ରମଣର ସଠିକ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ଅନ୍ୟପଟେ ଏହି ଘଟଣାରେ ସମ୍ପୃତ ଥିବା ତିନିଜଣ ଯୁବକଙ୍କୁ ଆଜି ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।


