ଆରଟିଓ ଅଫିସ ଓ ଜିଲା ମୁଖ୍ୟ ଚିକିତ୍ସାଳୟରୁ ୬ ଦଲାଲ ଗିରଫ
ବାଲେଶ୍ୱର, (ସରୋଜ ପଣ୍ଡା):ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟସ୍ଥତା କରି ସାଧାରଣ ଲୋକଙ୍କଠାରୁ ଅର୍ଥ ଶୋଷଣ କରୁଥିବା ୬ ଦଲାଲଙ୍କୁ ପୁଲିସ ଗୁରୁବାର ଗିରଫ କରିଛି । ଡାକ୍ତରଖାନା ପରିସରରୁ ଟାଉନ ଥାନା ପୁଲିସ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ସିଂଲା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଅଞ୍ଚଳର ପଞ୍ଚାନନ ସାମଲଙ୍କ ପୁତ୍ର ହରି ଓରଫ ହରେନ୍ଦ୍ର ସାମଲ (୪୦), ସହଦେବଖୁଣ୍ଟା ଥାନା ଅନ୍ତର୍ଗତ କେଶପୁର ଅଞ୍ଚଳର ଶିବ ପାଣିଗ୍ରାହୀଙ୍କ ପୁତ୍ର ରବୀନ୍ଦ୍ର ପାଣିଗ୍ରାହୀ (୪୫) ଓ ଟାଉନଥାନା ଅନ୍ତର୍ଗତ ତନ୍ତିସାହି ଅଞ୍ଚଳର ସ୍ୱର୍ଗତ ଗିରିଧାରୀ ଦାସଙ୍କ ପୁତ୍ର ରଶ୍ମିରଞ୍ଜନ ଦାସ (୩୬) । ଅଭିଯୁକ୍ତମାନେ ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ତାଙ୍କ ପରିବାରଙ୍କୁ ସାହାଯ୍ୟ କରିବା ଆଳରେ ଅର୍ଥ ଆଦାୟ କରୁଥିଲେ । ସେହିଭଳି ଆରଟିଓ କାର୍ଯ୍ୟାଳୟ ପରିସରରୁ ଶିଳ୍ପାଞ୍ଚଳ ଥାନା ପୁଲିସ ଗିରଫ କରିଥିବା ବ୍ୟକ୍ତିମାନେ ହେଲେ ଜଳେଶ୍ୱର ଥାନା ଅନ୍ତର୍ଗତ ବିରିସପୁର ଅଞ୍ଚଳର ସ୍ୱର୍ଗତ ସନ୍ତୋଷ କୁମାର ଘୋଷାଲଙ୍କ ପୁତ୍ର ଅମରନାଥ ଘୋଷାଲ (୫୮), ସୋର ଜଗନ୍ନାଥପୁର ଅଞ୍ଚଳର ମହେନ୍ଦ୍ର ପ୍ରସାଦ ସ୍ୱାଇଁଙ୍କ ପୁତ୍ର ଦୀପ୍ତିକାନ୍ତ ସ୍ୱାଇଁ (୪୫) ଓ ବସ୍ତା ଛଚିନା ଅଞ୍ଚଳର ମୁରଲୀଧର ସାହୁଙ୍କ ପୁତ୍ର ଗଗନ ଚନ୍ଦ୍ର ସାହୁ (୩୯) । ପଞ୍ଜୀକରଣ, ରେଜିଷ୍ଟ୍ରେସନ ନବୀକରଣ, ଡ୍ରାଇଭିଂ ଲାଇସେନ୍ସ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଆଦି କାର୍ଯ୍ୟ କରାଇଦେବା ପାଇଁ ଅଭିଯୁକ୍ତମାନେ ଲୋକଙ୍କଠାରୁ ଅର୍ଥ ଆଦାୟ କରିଚାଲିଥିଲେ । ପୁଲିସ ଉଭୟ ଆରଟିଓ ଅଫିସ ଓ ଡାକ୍ତରଖାନାରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୬ ମୋବାଇଲ ଫୋନ, ଡାକ୍ତରଖାନାର ଓପିଡି ଟିକଟ, ଆଧାର କାର୍ଡ଼, ଡାଇଗ୍ନୋଷ୍ଟିକ ସେଣ୍ଟର ରସିଦ, ଡ୍ରାଇଭିଂ ଲାଇସେନ୍ସ, ୧୬ ହଜାର ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି । ଏନେଇ ଦୁଇ ଥାନା ପକ୍ଷରୁ ଦୁଇଗୋଟି ମାମଲା ରୁଜୁ ସହ ଅଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।


