ଗୌରୀଆମ୍ମା ଯାତ୍ରା : ପୋଲସରା ସହର ଚଳଚଞ୍ଚଳ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା, ପୋଲସରା ସହରର ପ୍ରସିଦ୍ଧ ମା’ ଗୌରୀଆମ୍ମା ଯାତ୍ରା ଅକ୍ଟୋବର ୧୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୧୨ ତାରିଖରେ ସମାପ୍ତ ହେବ। ଏହି ଯାତ୍ରା ୧୯୪୨ ମସିହାରୁ ଆରମ୍ଭ ହୋଇଥିବା ବେଳେ ପ୍ରତି ପାଞ୍ଚ ବର୍ଷ ବ୍ୟବଧାନରେ ଯାତ୍ରା ହୋଇଥାଏ। ପ୍ରତ୍ୟେକ ଯାତ୍ରା ପ୍ରକାରେ ମା’ ଗୌରୀ ଆମ୍ମା ପୋଲସରା ମୁଖ୍ୟ ସଡକରେ ଥିବା ବାପା ଘରୁ ବାହାରି ଡେରା ସାହିର ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି। ଡେରା ସମ୍ପ୍ରଦାୟର ପୁରୁଷ ଓ ମହିଳାଙ୍କ ଠାରୁ ଆରମ୍ଭ କରି ଛୁଆ ପର୍ଯ୍ୟନ୍ତ ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ମା’ଙ୍କ ଦର୍ଶନ କରିଥାନ୍ତି। ପ୍ରତିଦିନ ସନ୍ଧ୍ୟାରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ମାନସିକଧାରୀ ମାନେ ବିଭିନ୍ନ ବେଶରେ ସହର ସାରା ପରିକ୍ରମା କରୁଥିବା ଦେଖିବାକୁ ମିଳିଛି। ଶାନ୍ତି ଶୃଙ୍ଖଳା, ପାନୀୟ ଜଳ ଯୋଗାଣ, ନିୟମିତ ବିଜୁଳି ଯୋଗାଣ ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ରହିଥିବା ବେଳେ ସ୍ବେଚ୍ଛାସେବୀ ବୃନ୍ଦ ସଜାଗ ରହିଥିବା ଦେଖିବାକୁ ମିଳିଛି।


