ପ୍ରେମିକ ଉପରକୁ ଏସିଡ୍ ଫୋପାଡ଼ିଲେ ପ୍ରେମିକା
କଟକ : ପ୍ରଥମେ କଥାବାର୍ତ୍ତା । ଭାବ ଦିଆନିଆ । କିଛି ଦିନର ଭାବଦିଆନିଆ ପରେ ଉଭୟଙ୍କ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମ । ଶେଷରେ ପ୍ରତାରଣା ଓ ଏସିଡ୍ମାଡ଼ । ସାଧାରଣତଃ ପ୍ରେମିକ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକା ଉପରକୁ ଏସିଡ୍ ମାଡ଼ କରୁଥିବାବେଳେ ଏଥର କିନ୍ତୁ ସମ୍ପୂର୍ଣ୍ଣ ବିପରୀତ ଘଟିଛି । ଯାହା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏଭଳି ବିରଳ ଘଟଣଶ ଘଟିଛି କଟକ ଜିଲ୍ଲା ଜଗତପୁର ଅନ୍ତର୍ଗତ ଶିକାରୀପୁରରେ । ପ୍ରକାଶ ଯେ, ଫୋନ୍ରୁ ଆରମ୍ଭ ହୋଇଥିବା କଥାବାର୍ତ୍ତା ପ୍ରେମରେ ରୂପାନ୍ତରିତ ହୋଇଥିଲା । ଉଭୟ ଗୋଟିଏ ଗାଁର ହୋଇଥିବାରୁ ବାହାଘର ପର୍ଯ୍ୟନ୍ତ କଥା ପହଞ୍ଚି ଥିଲା । ପରବର୍ତ୍ତୀ ସମୟରେ ବୁଝାମଣାରେ ଫାଟ ଦେଖାଦେବାରୁ ପ୍ରେମରେ ଦେଖାଦେଲା ଫାଟ । ଏଥିରେ ପ୍ରେମିକା ରାଗିଯାଇ ପ୍ରେମିକଙ୍କ ଉପରକୁ ଏସିଡ୍ ଫିଙ୍ଗିଦେଇଥିଲେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକରେ ଏସ୍ସିବିରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଆବଶ୍ୟକ ଚିକିତ୍ସା ପରେ ତାଙ୍କୁ ଡିସ୍ଚାର୍ଜ କରିଦିଆଯାଇଛି । ମାତ୍ର ଯୁବକଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ କୌଣସି ଏତଲା ଦିଆଯାଇନାହିଁ । ଏସିଡ୍ ମାଡ଼ରେ ଶିକାର ହୋଇଥିବା ଯୁବକ ଜଣଙ୍କ କହିଛନ୍ତି ଯେ, ଯୁବତୀ ଜଣଙ୍କ ତାଙ୍କ ସହ ପ୍ରଥମେ ପ୍ରଥମେ ଭଲରେ କଥା ହେଉଥିଲେ । ପରେ ଏଣୁତେଣୁ କଥା ହୋଇଥିଲେ । ତାଙ୍କୁ ଦେଖାକରିବା ପାଇଁ କହିବା ସହ ସବୁବେଳେ ବୁଲାଇବା ପାଇଁ କହୁଥିଲେ । ଯୁବକ ଜଣଙ୍କ ମନା କରିବାରୁ ସେ ତାଙ୍କୁ ବ୍ଲାକ୍ମେଲିଂ କରୁଥିଲେ । ଏସିଡ୍ ମାଡ଼ ଘଟଣା ଦିନ ଯୁବତୀ ଜଣଙ୍କ ଯୁବକଙ୍କୁ ପାଖକୁ ଡାକିଥିଲେ । ମାତ୍ର ସେ ନ ଆସିବାରୁ ଯୁବତୀ ଜଣଙ୍କ ତାଙ୍କ ଘର ପାଖକୁ ଆସି ଏସିଡ୍ ଫିଙ୍ଗି ଚାଲିଯାଇଥିଲେ ।


