ଗୋଗୁଆ-ଚଉଦକୁଲାଟ ମୁଖ୍ୟରାସ୍ତା କଡରେ ଠିପିଖୋଲା ମଦଦୋକାନ ଖୋଲାଯିବାକୁ ବିରୋଧ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୋଗୁଆ-ଚଉଦକୁଲାଟ ମୁଖ୍ୟରାସ୍ତା କଡରେ ଏକ ବିଦେଶୀ ଠିପିଖୋଲା ମଦ ଦୋକାନ ଖୋଲାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ବିରୋଧରେ ଚନ୍ଦନପୁର (ଚଉଦକୁଲାଟ) ପଞ୍ଚାୟତର ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ପଞ୍ଚାୟତ ଅଧିବାସୀଙ୍କ ଯୁକ୍ତି ହେଉଛି ପଞ୍ଚାୟତବାସୀଙ୍କ ବିରୋଧ ସତ୍ତ୍ୱେ ଏହି ରାସ୍ତାକଡରେ ପ୍ରାୟ ଦୁଇବର୍ଷ ହେବ ଏକ ବିଦେଶୀ ଠିପିବନ୍ଦ ମଦଦୋକାନ ଖୋଲିଛି । କିନ୍ତୁ ସେହି ଦୋକାନ ଭିତରେ ମଦ୍ୟପମାନେ ବସି ମଦ୍ୟପାନ କରିବା ସହିତ ଚାଷକ୍ଷେତକୁ ଶହଶହ ମଦ ବୋତଲ ଫୋପାଡିବାଦ୍ୱାରା ଚାଷୀମାନେ ଚାଷସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଠିପିବନ୍ଦ ବିଦେଶୀ ମଦଦୋକାନ ବିରୋଧରେ ବିଭିନ୍ନ ପଞ୍ଚାୟତରୁ ଜନଆନ୍ଦୋଳନ ଥମି ନଥିବାବେଳେ ଜିଲ୍ଲାପ୍ରଶାସନ ସେହି ମଦଦୋକାନର ମାତ୍ର ୧୨୦ମିଟର ଦୂରରେ ଆଉ ଏକ ଠିପିଖୋଲା ବିଦେଶୀ ମଦଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଗୋଗୁଆ-ଚଉଦକୁଲାଟ ରାସ୍ତା ଏକ ବ୍ୟସ୍ତବହୁଳ ରାସ୍ତା ଏବଂ ଏହା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳକୁ ଯିବାପାଇଁ ଏକମାତ୍ର ପ୍ରବେଶ ପଥ । କିଛି ବର୍ଷତଳେ ଏହି ରାସ୍ତାରେ ଅଣ୍ଡରାର ଜଣେ ଲୋକ ଦିଲ୍ଲୀରୁ ଫେରୁଥିବାବେଳେ ତାଙ୍କୁ ହତ୍ୟା କରାଯାଇ ଗଛରେ ଟାଙ୍ଗିଦେବା ସହିତ ତାଙ୍କର ସମସ୍ତ ଆସବାବପତ୍ର ଓ ଟଙ୍କା ପଇସା ଦୁବୃର୍ତ୍ତମାନେ ଲୁଟିନେଇଥିଲେ । ଏଭଳି ପରିସ୍ଥିତିରେ ଏହି ନିରୋଳା ରାସ୍ତାରେ ରାତିରେ ଯାତାୟତ କରିବାପାଇଁ ପଥଚାରୀମାନେ ଭୟ କରୁଥିବାବେଳେ ଏହି ରାସ୍ତାକଡରେ ଜିଲ୍ଲାପ୍ରଶାସନ ଦୁଇଦୁଇଟି ମଦଦୋକାନ ଖୋଲିବା ଦ୍ୱାରା ଏଅଞ୍ଚଳର ଲୋକମାନଙ୍କର ଧନଜୀବନ ସୁରକ୍ଷାପ୍ରତି ବିପଦ ଦେଖାଦେଇଛି । ଏହା ଦ୍ୱାରା ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାର ମଧ୍ୟ ଆଶଙ୍କା ଦେଖାଦେଇଛି । ଯେଉଁଠାରେ ଠିପିଖୋଲା ମଦଦୋକାନ ଖୋଲିବ ସେଠାକୁ ପ୍ରତିଦିନ ଶତାଧିକ ମହିଳା ଶ୍ରମିକ ଧାନଚାଷ କରିବାପାଇଁ ଆସନ୍ତି । ସେହି ରାସ୍ତାଦେଇ ସେଅଞ୍ଚଳର ଝିଅମାନେ କେନ୍ଦ୍ରାପଡା କଲେଜ, କେନ୍ଦ୍ରାପଡା ଡାକ୍ତରଖାନାକୁ ଆସିବାସହିତ ସେହି ବାଟଦେଇ ପଟ୍ଟାମୁଣ୍ଡାଇ ଅଞ୍ଚଳକୁ ଯାତାୟତ କରିଥାନ୍ତି । ଯଦି ଏହି ରାସ୍ତାକଡରେ ଦୁଇଟି ମଦଦୋକାନ ଖୋଲେ ତେବେ ସେ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ, ଚୋରି, ଡକାୟତି, ରାହାଜାନି ଇତ୍ୟାଦି ବୃଦ୍ଧି ପାଇବ । ପ୍ରଥମ ଠିପିବନ୍ଦ ମଦଦୋକାନକୁ ବନ୍ଦକରିବାପାଇଁ ଜନ ଆନ୍ଦୋଳନ ଥମି ନଥିବାବେଳେ ଜନମତକୁ ଭ୍ରୁକ୍ଷେପ ନକରି ସେହି ରାସ୍ତାକଡରେ ଜିଲ୍ଲା ପ୍ରଶାସନ ଆଉଏକ ଠିପିଖୋଲା ମଦଦୋକାନ ଖୋଲିବାକୁ ଯାଉଥିବାରୁ ଏହାକୁ ସେହି ଅଞ୍ଚଳର ହଜାର ହଜାର ଲୋକ ବିରୋଧ କରିବେବୋଲି ଜିଲ୍ଲାପାଳଙ୍କୁ ଏକ ପ୍ରତିବାଦ ପତ୍ର ପ୍ରଦାନ କରି ଚେତାବନୀ ଦେଇଛନ୍ତି । ଏହାର ନକଲ ୫-ଟି ସଚିବ, ଅବକାରୀ ବିଭାଗର ପ୍ରମୁଖ୍ୟ ଶାସନସଚିବ, ଅବକାରୀ କମିଶନର ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି । ଏହି ପ୍ରତିବାଦ ପତ୍ରରେ ଚଉଦକୁଲାଟ ଅଞ୍ଚଳର ବୁଦ୍ଧିଜୀବି କିଶୋର ଚନ୍ଦ୍ର ମିଶ୍ର, ଦୀପକ କୁମାର ପାତ୍ର, ଅବ୍‌ଦୁଲ ରେହେମାନ, ସେକ୍ ମୁସ୍ତାକ, ଗୌତମ ମିଶ୍ର, ସରୋଜ ମହାନ୍ତି, ପ୍ରମୋଦ କୁମାର ମଲ୍ଲିକ, ତପନ କୁମାର ଦାସ, ମନୋରଞ୍ଜନ ଦାସ, ସୁବାଷ ଚନ୍ଦ୍ର ନାଥ ଶର୍ମା, ଶଙ୍କର୍ଷଣ ମଲ୍ଲିକ, ସରସ୍ୱତୀ ମହାନ୍ତି, ବିଜୟ ବେହେରା ପ୍ରମୁଖ ଶତାଧିକ ଜନସାଧାରଣ ସ୍ୱାକ୍ଷର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ