ଡାକ୍ତର ଅଭାବରୁ କେନ୍ଦ୍ରାପଡା ଜିଲ୍ଲାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକରେ ୯ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡାକ୍ତର ନଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ରୋଗୀମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇ ଦିଆଯାଉଛି । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ହେତୁ ରୋଗୀମାନଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଉଛି । ଗୋଟିଏ ପରେ ଗୋଟିଏ ଡାକ୍ତରଖାନାରେ ଚିକିତ୍ସା ସୁବିଧା ନପାଇ ଗୁରୁତର ରୋଗୀମାନେ କଟକର ବଡ ଡାକ୍ତରଖାନାରେ ପହଞ୍ôଚବା ପୂର୍ବରୁୁ ବାଟରେ ସେମାନଙ୍କ ମୃତ୍ୟୁ ହୋଇଯାଉଥିବାର ବହୁତ ଦୁଷ୍ଟାନ୍ତ ରହିଛି । ଜିଲ୍ଲାରେ ଯେଉଁ ଦୁଇଜଣ ମନ୍ତ୍ରୀ ଅଛନ୍ତି ସେମାନଙ୍କ ନିର୍ବାଚନ ମଣ୍ଡଳୀର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଅଧିକ ଶୋଚନୀୟ । ମହାକାଳପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୮ଟି ଡାକ୍ତର ପଦବୀ ମଞ୍ଜୁୁରୀ ଥିବାବେଳେ ଅଛନ୍ତି ମାତ୍ର ୮ଜଣ । ସେହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର, ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର, ଶଲ୍ୟ ଚିକିତ୍ସା ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଶିଶୁ ଚିକିତ୍ସକ ଏଭଳି ବହୁ ବିଶେଷଜ୍ଞ ପଦ ଗୁଡିକ ଖାଲିପଡିଛି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ରଢିଆ-କଂସାର-ତରପଦା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ଉପାନ୍ତ ଅଞ୍ଚଳର ରୋଗୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୭ଟି ଡାକ୍ତର ପଦବୀ ମଞ୍ଜୁୁରୀ ଥିବାବେଳେ ଅଛନ୍ତି ମାତ୍ର ୧୧ଜଣ । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ଡାକ୍ତର ପଦ ଖାଲି ପଡିଥିବା ବେଳେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ, ଭେଷଜ ବିଭାଗ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ, ପ୍ରସୂତୀ ଓ ମହିଳା ବିଭାଗ ବିଶେଷଜ୍ଞ ପଦବୀ ଗୁଡିକ ବର୍ଷ ବର୍ଷ ଧରି ଖାଲିପଡିଛି । ଏସବୁ ପଦ ଗୁଡିକ ପୁରଣ ପାଇଁ ଉପରୋକ୍ତ ୨ମନ୍ତ୍ରୀଙ୍କ ନିକଟରେ ଲୋକମାନେ ଦାବି ଉପସ୍ଥାପନ କରୁଥିଲେ ମଧ୍ୟ ପରିସ୍ଥିତି ସୁଧୁରୁ ନାହିଁ । ପୂର୍ବତନ ଅର୍ଥ ଓ ଅବକାରୀ ମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ସେହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ, ପ୍ରସୂତୀ ଓ ମହିଳା ବିଶେଷଜ୍ଞ ଏବଂ ଶଲ୍ୟ ବିଶେଷଜ୍ଞ ପଦ ଗୁଡିକ ପ୍ରାୟ ୧୦ ବର୍ଷ ହେବ ଖାଲିପଡିଛି । ଡେରାବିଶ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୬ଟି ଡାକ୍ତର ପଦବୀ ମଞ୍ଜୁୁରୀ ଥିବାବେଳେ ଅଛନ୍ତି ମାତ୍ର ୧୨ଜଣ । ସେହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ, ଶିଶୁ ବିଶେଷଜ୍ଞ ଓ ଶଲ୍ୟ ଚିକିତ୍ସକ ପଦ ଗୁଡିକ ବହୁବର୍ଷ ଧରି ଖାଲି ପଡିଛି । ମାର୍ଶାଘାଇ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭାରପ୍ରାପ୍ତ ଅଧିକାରୀ, ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ, ପ୍ରସୂତୀ ଓ ମହିଳା ବିଭାଗ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ ପଦ ଗୁଡିକ ଖାଲି ପଡିବା ଦ୍ୱାରା ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ବସ୍ତୁତଃ ଅଚଳ ହୋଇପଡିଛି । ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪ଟି ଡାକ୍ତର ପଦବୀ ମଞ୍ଜୁରୀ ଥିବାବେଳେ ଅଛନ୍ତି ମାତ୍ର ୯ଜଣ । ସେହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ, ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ, ପ୍ରସୂତୀ ଓ ମହିଳା ବିଭାଗ ବିଶେଷଜ୍ଞ ଓ ଭେଷଜ ବିଶେଷଜ୍ଞ ପଦ ଗୁଡିକ ଖାଲିପଡିଛି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୬ଟି ଡାକ୍ତର ପଦବୀ ମଞ୍ଜୁରୀ ଥିବାବେଳେ ଅଛନ୍ତି ମାତ୍ର ୧୦ଜଣ । ସେହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୂତୀ ଓ ମହିଳା ବିଭାଗ ଡାକ୍ତର, ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଓ ଶିଶୁରୋଗ ବିଶେଷଜ୍ଞ ପଦ ଗୁଡିକ ଖାଲିପଡିଛି । ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୭ଟି ଡାକ୍ତର ପଦବୀ ମଞ୍ଜୁରୀ ଥିବାବେଳେ ଅଛନ୍ତି ମାତ୍ର ୧୧ଜଣ । ସେହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ଅଧିକାରୀ, ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ, ଭେଷଜ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ ଓ ପ୍ରସୂତୀ ଏବଂ ମହିଳା ବିଭାଗ ଡାକ୍ତର ପଦବୀ ଗୁଡିକ ଖାଲିପଡିଛି । ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫ଟି ଡାକ୍ତର ପଦବୀ ମଞ୍ଜୁରୀ ଥିବାବେଳେ ଅଛନ୍ତି ୧୨ଜଣ । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଏବଂ ଭେଷଜ ବିଶେଷଜ୍ଞ ପଦବୀ ଖାଲିପଡିଛି । ପଟ୍ଟାମୁଣ୍ଡାଇ ଉପଖଣ୍ଡ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ, ଭେଷଜ ବିଶେଷଶଜ୍ଞ ଓ ଶଲ୍ୟ ବିଶେଷଜ୍ଞ ପଦ ଗୁଡିକ ଖାଲିପଡିଛି । ଏହିସବୁ ପଦ ବର୍ଷ ବର୍ଷଧରି ଖାଲି ପଡିବା ଫଳରେ ରୋଗୀମାନେ ଦଲାଲମାନଙ୍କ ହାବୁଡରେ ପଡି ଘରୋଇ ନର୍ସିଂହୋମକୁ ଯାଇ ଶୋଷଣ ହେଉଥିବା ବେଳେ କଟକ ବଡ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ସ୍ୱାଭାବିକ ଅବସ୍ଥାକୁ ଆଣିବା ପାଇଁ ଏହିସବୁ ବିଶେଷଜ୍ଞ ପଦ ଗୁଡିକ ପୂରଣ କରିବା ପାଇଁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲେ ସୁଦ୍ଧା ରାଜନେତାମାନେ ରାଜ୍ୟରେ ଡାକ୍ତର ଅଭାବ ଥିବା କଥା କହି ନିଜ ନିଜର ନୈତିକ ଦାୟିତ୍ୱକୁ ଏଡାଇ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲାର ସ୍ୱାସ୍ଥ୍ୟସେବା, ଗମନାଗମନ ଓ ଶିକ୍ଷାର ପ୍ରସାର ପାଇଁ ନିଜେ ଦାୟିତ୍ୱ ନେଇଥିବା ବିଭିନ୍ନ ସଭାସମିତିରେ ଘୋଷଣା କରୁଥିବା ବେଳେ ପ୍ରଥମେ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ସ୍ୱାଭାବିକ କରିବା ପାଇଁ ଉଦ୍ୟମ କରନ୍ତୁ ବୋଲି ବୁଦ୍ଧିଜିବୀ ମହଲରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ