ନୌବାଣିଜ୍ୟର ସ୍ୱତନ୍ତ୍ର ସ୍ୱାକ୍ଷର ବହନ କରେ କେନ୍ଦ୍ରାପଡା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟାରେ ମହୋତ୍ସବ କମିଟିର ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଯୋଗଦେଇ କହିଥିଲେ ଯେ ନୈାବାଣିଜ୍ୟର ସ୍ୱତନ୍ତ୍ର ସ୍ୱାକ୍ଷର ବହନ କରେ କେନ୍ଦ୍ରାପଡା । ନୈାବାଣିଜ୍ୟର ପରମ୍ପରା ହୁକିଟୋଲା ଲାଇଟ ହାଉସ ଜାଗ୍ରତ ସ୍ୱାକ୍ଷର ଭାବରେ ବର୍ଷ ବର୍ଷ ଧରି ରହିଆସିିଛି । କେନ୍ଦ୍ରାପଡା ବାଲିଯାତ୍ରା ଭବିଷ୍ୟତର ପ୍ରତିଭାଧରମାନଙ୍କୁ ଉନ୍ମୋଚନ କରିବାରେ ସହାୟକ ହେବ । କମିଟି ସଂପାଦକ ତଥା ସରକାରୀ ଓକିଲ ସଂଜୟ କୁମାର ଜେନା ଜିଲ୍ଲା ପ୍ରଶାସନର ଅକୁଣ୍ଠିତ ସାହାଯ୍ୟ ଓ ସହଯୋଗ ପାଇଁ କୃତଜ୍ଞତା ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡା ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ର ଯୋଗଦେଇ ବାଲିଯାତ୍ରାର ସଫଳତା କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପତ୍ରିକା ସଂପାଦକ ଶୁଭାଂଶୁ କୁମାର ଦାସ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ଉପସଭାପତି ଧିରେନ୍ଦ୍ର କୁମାର ଦାସ, ସହ ସଂପାଦକ କିଶୋର ଚନ୍ଦ୍ର ପ୍ରଧାନ, ଶ୍ରୀଧର ମହାନ୍ତି, ସତ୍ୟବ୍ରତ ସିଂ, କବି କରୁଣାକର ଦାସ, ଅକ୍ଷୟପ୍ରିୟ ଦାସ, ଗଗନ ବିହାରୀ ଜେନା, ଟୁଟୁ ଗେରୁ, ଗବେଷକ ନିରଞ୍ଜନ ମେକାପ, ରମଣୀରଞ୍ଜନ ରାଉତରୟ, ବିକ୍ରମ କେଶରୀ ରାଉତରାୟ, ରାଜୁ କୁବେର, ଶ୍ରୀଧର ଭୋଳ, ପ୍ରଦୀପ ବିହାରୀ, ସେକ ମତୁ, ସେକ ଅଜିମୁୁଦ୍ଦିନ, ପଂଚାନନ ଦାସ, ମହେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ । ଗୋକୁଳଚନ୍ଦ୍ର ସଙ୍ଗୀତ ସଦନ ପକ୍ଷରୁ ନୃତ୍ୟ, ମା ଚିଲିକାରାଣୀ ପାଇକ ଆଖଡା, ଖୋର୍ଦ୍ଦା ସମେତ ମେଲୋଡି ପ୍ରଭୃତି କାର୍ଯ୍ୟକ୍ରମରେ ପ୍ରକମ୍ପିତ୍ ହୋଇ ଉଠିଥିଲା ବାଲିଯାତ୍ରା ପଡିଆ । ମହୋତ୍ସବରେ ଜନସାମଗମକୁ ଲକ୍ଷ୍ୟ ରଖି ଶାନ୍ତି, ଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।


