ବହୁ ସମସ୍ୟାରେ ଜର୍ଜରିତ ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ନିକଟସ୍ଥ ଗ୍ରେସିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର-୨ ଅନେକ ସମସ୍ୟା ଦେଇ ଗତି କରୁଛି। ପୂର୍ବରୁ ଜି.ଉଦୟଗିରି ଠାରେ ଅବସ୍ଥାପିତ ମୁର୍ସେଡ ମେମୋରିଆଲ ଖ୍ରୀଷ୍ଟିଆନ ଡାକ୍ତରଖାନା ଚାଲିଥିବା ବେଳେ ରାଜ୍ୟର କୋଣ ଅନୁକୋଣରୁ ରୋଗୀ ଆସି ଚିକିତ୍ସିତ ହେଉଥିଲେ । ଜି.ଉଦୟଗିରି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଏବେ ୧-ପାହ୍ୟାକୁ ଉନ୍ନୀତ ହୋଇଥିବାବେଳେ ଗ୍ରେସିଙ୍ଗିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଉନ୍ନୀତ ଆଶା ମଉଳି ଯାଇଛି । ଅପର ପକ୍ଷରେ ଏହି ହସପିଟାଲ ଦ୍ୱାରା ପ୍ରାୟ ୩୫ରୁ ୪୦ବର୍ଷ ଧରି ଲୋକମାନେ ସ୍ୱାସ୍ଥ୍ୟଗତ ସୁବିଧା ପାଇପାରୁଥିଲେ । ଟିକାବାଲି ବ୍ଲକର ପାବୁରିଆ, ଗଡଗୁଡ଼ା, ପେନେଲା ଓ ରୁଦଙ୍ଗିଆର ଲୋକ ମାନେ ଏହି ଡାକ୍ତରଖାନା ଉପରେ ଭରସା କରୁଥିବା ବେଳ, ରାଇକିଆ ବ୍ଲକର ଆଡାସିକୁପା, ପେଟାପାଙ୍ଗା ଓ ଆଖପାଖ ଅଞ୍ଚଳର ଶହଶହ ରୋଗୀ ମଧ୍ୟ ଉପକୃତ ହେଉଥିଲେ ।ଏଠାରେ ସୀମିତ ଶଯ୍ୟା ବିଶିଷ୍ଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକାଧିକ ରୋଗୀ ଡାକ୍ତରଖାନା ବାହାରେ ଚିକିତ୍ସିତ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏହାର ଉନ୍ନତି ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ବଣ ଜଙ୍ଗଲ ଘେରା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ତ୍ତମାନ ଡାକ୍ତର ପଦବୀ ପୂରଣ ହୋଇଛି । ହେଲେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପଦବୀ ପୂରଣ ହୋଇନଥିବା ବେଳେ, ୫ଜଣ ନର୍ସଙ୍କ ବଦଳରେ ୪ଜଣ ନର୍ସ ରହିଛନ୍ତି । ୨ଜଣ ଫାର୍ମାସିଷ୍ଟ ବଦଳରେ ଜଣେ ମହିଳା ରହିଛନ୍ତି । ସେହିପରି ୩ ଜଣ ଆଟେନାଣ୍ଡ ବଦଳରେ ଅଛନ୍ତି ଜଣେ ଆଟେନାଣ୍ଡ । ଖାଲିସେତିକି ନୁହେଁ, ଲାଇବ୍ରେରି ଟେକନିସିଆନ ପଦବୀ ମଧ୍ୟ ଖାଲିପଡ଼ିଛି । ଡାକ୍ତର ଗୃହ ଓ କର୍ମଚାରୀ ଗୃହର ଆବଶ୍ୟକତା ଅଛି । ସେପଟେ ବର୍ଷା ହେଲେ ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ ପାଣି ଗଳୁଛି । ଶୌଚାଳୟ ଅବସ୍ଥା ମଧ୍ୟ ଖରାପ ରହିଛି । ସୁନାମ ଅର୍ଜନ କରିଥିବା ଡାକ୍ତରଖାନା ଅଞ୍ଚଳବାସୀ ଓ ଜନପ୍ରତିନିଧିଙ୍କ ସଚେତନତା ଅଭାବରୁ ବିକାଶରେ ପ୍ରତିବନ୍ଧକ ସାଜିଛି ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରବଳ ଦାବୀ ହେଉଛି l


